କଲାମ ଦ୍ୱୀପରୁ ଅଗ୍ନି-୧ର ସଫଳ ପରୀକ୍ଷଣ ! ପରମାଣୁ ଅସ୍ତ୍ର ସଂପନ୍ନ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦୀ କ୍ଷମତା ୧୨ଶହ କିଲୋମିଟର

67

କନକ ବ୍ୟୁରୋ : ଭଦ୍ରକ ଧାମରା ବନ୍ଦର ନିକଟ ଅବଦୁଲ କଲାମ ଦ୍ୱୀପରୁ ସ୍ୱଳ୍ପଦୂରଗାମୀ ବାଲାଷ୍ଟିକ ମିଶାଇଲ ଅଗ୍ନୀ-୧ର ସଫଳ ପରୀକ୍ଷଣ ହୋଇଛି । ଏଥିପାଇଁ ଦ୍ୱୀପର ୪ନଂବର ଲଂଚପ୍ୟାଡରେ ସମସ୍ତ ପ୍ରସ୍ତୁତି କରାଯାଇଥିଲା । ସକାଳ ୮ଟା ୩୪ ମିନିଟରେ ଭାରତୀୟ କ୍ଷେପଣାସ୍ତ୍ର କ୍ଷମତାର ବାର୍ତ୍ତା ନେଇ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇ ପାରୁଥିବା ପରମାଣୁ କ୍ଷମତା ସଂପନ୍ନ ଏହି ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଥିଲା । । ଏଥିପାଇଁ ସମୁଦ୍ରରେ ସୁରକ୍ଷା କଡାକଡି କରିବା ସହ ମେରାଇନ ଓ କୋଷ୍ଟଗାର୍ଡଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟ ତରଫରୁ ନିର୍ଦ୍ଦେଶ ଦିଆଯାଇଥିଲା । ସେନାରେ ସାମିଲ କରାଯାଇଥିବା ଅଗ୍ନି-୧ରେ ବୈଷୟିକ ପାରାମିଟର ଠିକ ଅଛି କି ନାହିଁ ବୋଲି ଏହି ପରୀକ୍ଷଣ ହୋଇଛି ।

ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇପାରୁଥିବା ପରମାଣୁ କ୍ଷମତା ସଂପନ୍ନ ଅଗ୍ନୀ-୧ କ୍ଷେପଣାସ୍ତ୍ର ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ । ଅଗ୍ନୀ-୧, ଦୁଇ ଟନ ଓଜନର ପାରମ୍ପାରିକ ଅସ୍ତ୍ର କିମ୍ବା ପରମାଣୁ ଅସ୍ତ୍ର ବହନ କରିବାର କ୍ଷମତା ରହିଛି । ସେକେଣ୍ଡ ପିଛା ଅଢେଇ କିଲୋମିଟର ଏହାର ବେଗ । ଅଗ୍ନି-୧ର ଲମ୍ବ ୪.୮ ମିଟର, ମୋଟେଇ ୧.୩ ମିଟର ଓ ଓଜନ ୧୨ ଶହ କିଲୋଗ୍ରାମ । କଠିନ ଇନ୍ଧନ ଆବଶ୍ୟକ କରୁଥିବା ଏହି କ୍ଷେପଣାସ୍ତ୍ରର ମାରକ କ୍ଷମତା ୭ ଶହରୁ ୧୨ କିଲୋମିଟର । ଅଗ୍ନି-୧ର ପ୍ରଥମ ପରୀକ୍ଷା ୨୦୦୨ ମସିହା ଜାନୂୁଆରୀ ୨୫ ତାରିଖରେ ହୋଇଥିଲା । ୨୦୧୨ ଜୁଲାଇ ୧୩ ତାରିଖରେ ଏହାର ପରୀକ୍ଷଣ ମଧ୍ୟ ସଫଳ ହୋଇଥିଲା । ୨୦୧୪ ଏପ୍ରିଲ ୧୧ ତାରିଖରେ ମଧ୍ୟ ଅଗ୍ନି-୧ର ସଫଳ ପରୀକ୍ଷଣ ହୋଇଥିଲା ।