ଶ୍ରଦ୍ଧାଞ୍ଜଳିଙ୍କୁ ଖୋଜୁଛି ଇଡି। କୁଆଡ଼େ ଗଲେ ଶ୍ରଦ୍ଧାଞ୍ଜଳି ବେହେରା?

207

କନକ ବ୍ୟୁରୋ: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଘଟଣାକୁ ନେଇ ହୁଲୁସ୍ତୁଲ କରୁଛି ଇଡି । ଅର୍ଚ୍ଚନାର ବିଜିନେସ୍ ପାର୍ଟନର ଖଗେଶ୍ୱରର ଅଷ୍ଟମ ଦିନର ଜେରାରେ ଚାଞ୍ଚଲ୍ୟକର ତଥ୍ୟ ହାସଲ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଇଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଚାଲିଥିବା ତଦନ୍ତ ପ୍ରକ୍ରିୟାରେ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁ ସାମ୍ନାକୁ ଆସିଛି । ଯେଉଁଥିପାଇଁ ଶ୍ରଦ୍ଧାଞ୍ଜଳିଙ୍କ ବୟାନ ରେକର୍ଡ କରିବା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ହେଲେ ଶ୍ରଦ୍ଧାଞ୍ଜଳି ଏବେ ସୁଦ୍ଧା ଇଡି ପାଇଁ ଫେରାର ଅଛନ୍ତି । ଆଉ ଶ୍ରଦ୍ଧାଞ୍ଜଳିଙ୍କୁ ଖୋଜି ଖୋଜି ହାଲିଆ ଇଡି କର୍ମଚାରୀ । ଶ୍ରଦ୍ଧାଞ୍ଜଳି କେଉଁଠି ଓ କୁଆଡ଼େ ଗଲେ ସେ ନେଇ ତନାଘନା ଆରମ୍ଭ ହୋଇଛି ।

ଅର୍ଚ୍ଚନା ସମ୍ପତିର ଖୋଳତାଡ଼ ବେଳେ ଆରଟିଓକୁ ଇଡି ପକ୍ଷରୁ ତଥ୍ୟ ମଗାଯାଇଥିଲା । ଆରଟିଓ ପକ୍ଷରୁ ମଧ୍ୟ ଇଡିକୁ ସମସ୍ତ ତଥ୍ୟ ଦିଆଯାଇଛି । ମିଳିଥିବା ତଥ୍ୟ ଅନୁସାରେ ଅର୍ଚ୍ଚନାଙ୍କ ନାଁରେ ଥିଲା ୪ଟି ଦାମୀ ଗାଡ଼ି । ସେସବୁ ଗୁଡ଼ିକର ନମ୍ବର ଥିଲା ୨୩-୨୪ । ଟୟୋଟା ଫର୍ଚୁନର, ଫୋର୍ଡ ଏଣ୍ଡେଭର, ହୁଣ୍ଡାଇ କ୍ରେଟା ଓ ମହିନ୍ଦ୍ରା ଥର୍ । ଏସବୁ ଗାଡ଼ି ଗୁଡ଼ିକ ଅର୍ଚ୍ଚନାଙ୍କ ନାଁରେ ରହିଥିଲା । ଏହା ଭିତରୁ କ୍ରେଟା ଓ ଫର୍ଚୁନର ବିକ୍ରି ହୋଇଯାଇଥିବା ବେଳେ ଥର ଗାଡ଼ି ଜବତ ହୋଇଛି ଓ ଏଣ୍ଡୋଭର ଗାଡ଼ି କୁଆଡ଼େ ଗଲା ତାକୁ ନେଇ ଖୋଳତାଡ଼ କରୁଛି ଇଡି ।
ଶ୍ରଦ୍ଧାଞ୍ଜଳିଙ୍କ ଠାରୁ ଅନେକ ପ୍ରଶ୍ନର ଉତର ଖୋଜିବାକୁ ଚାହୁଁଛି ଇଡି
• ଅର୍ଚ୍ଚନାଙ୍କ ସହ କେବେ ଠାରୁ ସମ୍ପର୍କରେ ଥିଲେ?
• ଅର୍ଚ୍ଚନାଙ୍କ ଠାରୁ କିଛି ଲାଭବାନ ହୋଇଥିଲେ କି ଶ୍ରଦ୍ଧାଞ୍ଜଳି?
• ନାଗ ସାମ୍ରାଜ୍ୟ ଗଢ଼ିବାରେ ଶ୍ରଦ୍ଧାଂଜଳିଙ୍କର ଭୂମିକା ରହିଥିଲା କି?
ଆଉ ଏସବୁ ପ୍ରଶ୍ନ ଭିତରେ ଶ୍ରଦ୍ଧାଞ୍ଜଳି କାହିକିଁ ଇଡି ସହ ଲୁଚକାଳି ଖେଳୁଛନ୍ତି, ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।