ଇଷ୍ଟଆଇ ଫୁଡ୍ କନକ୍ଲେଭ-୨୪ । ସାରାବିଶ୍ୱ ଦେଖିଲା ସ୍ୱାଦିଷ୍ଟ ଓଡି଼ଆ ବ୍ୟଞ୍ଜନ, ଦେଶ ବିଦେଶରେ ମିଳିବ ନୂଆ ପରିଚୟ

86

କନକ ବ୍ୟୁରୋ : ପଖାଳଠାରୁ ଆରମ୍ଭକରି ବିଭିନ୍ନ ପ୍ରକାର ବେସର, ମୁଢ଼ି ମାଂସ, ଛେନାପୋଡ ଓଡ଼ିଆଙ୍କର ପ୍ରିୟଖାଦ୍ୟ । ଓଡିଆଙ୍କ ଏହି ଖାଦ୍ୟ ଯେତିକି ସ୍ୱାଦିଷ୍ଟ ସେତିକି ସ୍ୱାସ୍ଥ୍ୟକର । କେବଳ ଏତିକିରେ ଏହି ତାଲିକା ସୀମିତ ନୁହେଁ, ଓଡ଼ିଶାରେ ମିଳିଥାଏ ଭଳିକି ଭଳି ସ୍ୱାଦିଷ୍ଟ ବ୍ୟଞ୍ଜନ । କିନ୍ତୁ ବିଶ୍ୱ ଦରବାରରେ ଏହିସବୁ ଓଡ଼ିଆ ଖାଦ୍ୟର ଚାହିଦା ଯେତିକିି ବଢ଼ିବା କଥା ସେତିକିି ବଢ଼ିପାରିନି । ହେଲେ, ଓଡ଼ିଶାର ସ୍ୱାଦିଷ୍ଟ ବ୍ୟଞ୍ଜନକୁ, ହଜି ଯାଉଥିବା ପାରମ୍ପରିକ ଖାଦ୍ୟକୁ, ବିଶ୍ୱ ଦରବାରରେ ପହଁଚାଇବା ଲକ୍ଷ୍ୟ ନେଇ, ଆୟୋଜିତ ହୋଇଛି ଫୁଡ କନକ୍ଲେଭ-୨୪ ।

ଓଡିଶାର ପାରମ୍ପରିକ ଓ ଭଳିକି ଭଳି ସ୍ୱାଦିଷ୍ଟ ବ୍ୟଞ୍ଜନକୁ ସାରାବିଶ୍ୱରେ, ଅଧିକରୁ ଅଧିକ ପରିଚିତ କରିବାକୁ ନିଆରା ଉଦ୍ୟମ ଆରମ୍ଭ କରିଛି ଇଷ୍ଟଆଇ । ଭୁବନେଶ୍ୱରରେ ଆୟୋଜନ କରିଛିିି ଇଷ୍ଟଆଇ ଫୁଡ୍ କନକ୍ଲେଭ ୨୪ । କନକ୍ଲେଭରେ ଯୋଗ ଦେଇ ଦେଶର ଜଣାଶୁଣା ଫୁଡ ବ୍ଲଗର, ଖାଦ୍ୟ ନିର୍ମାତା, ଓ ସେଫ ଅବିନାସ ଓ ସେଲିବ୍ରିଟି ସେଫ୍ ରଣବୀର ବ୍ରାର, ଭିନ୍ନ ଢ଼ଂଗରେ ଓଡିଆ ଖାଦ୍ୟ ପ୍ରସ୍ତୁତ କରିବା ଶିଖାଇଛନ୍ତି । ସେଫ୍ ରଣବୀର ଛେନାପୋଡ଼ ଓ ମୁଢ଼ି ମାଂସ ପ୍ରସ୍ତତ କରିଥିବାବେଳେ, ଅବିନାଶ ଲାଇଭ୍ ରୋଷେଇ କରି କ୍ଷୀରି ପ୍ରସ୍ତୁତ କରିଛନ୍ତି । ଦେଶ ବିଦେଶରେ ନାଁ କରିଥିବା ଦୁଇ ସେଫଙ୍କ ଲାଇଭ୍ ରୋଷେଇ କରିବାର ଦୃଶ୍ୟ କନକ୍ଲେଭରେ ଉପସ୍ଥିତି ଥିବା ଦର୍ଶକଙ୍କ ମନ ଜିଣିଛି ।

ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଆ ଖାଦ୍ୟର ପ୍ରଶଂସା କରିଛନ୍ତି ସେଫ୍ ରଣବୀର । ସମ୍ବାଦ ସମ୍ପାଦିକା ତନୟା ପଟ୍ଟନାୟକଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାରରେ ରଣବୀର ପଖାଳ, ବେସର ତରକାରୀ ଓ ଛେନାପୋଡ ତାଙ୍କର ପ୍ରିୟ ବୋଲି କହିଛନ୍ତି । ଏହିଭଳି କାର୍ଯ୍ୟକ୍ରମ ଓଡିଆ ଖାଦ୍ୟର ପ୍ରଚାର କରିବ ବୋଲି ମତ ରଖିଛନ୍ତି ।

ଏହି କନକ୍ଲେଭରେ ଓଡିଆ ଖାଦ୍ୟର ଇତିହାସ, ବର୍ତମାନର ସ୍ଥିତି ଆଉ ପ୍ରଚାର ପ୍ରସାର ଦିଗରେ ଆଲୋଚନା ହୋଇଛି । ସେହିପରି ଫାର୍ମ ଟୁ ଟେବୁଲ ସ୍ଥାନୀୟ ଖାଦ୍ୟର ପରିଚୟ ସୃଷ୍ଟିକୁ ନେଇ ହୋଇଛି ଆଲୋଚନା । ସ୍ଥାନ ଅନୁଯାୟୀ ନାମକରଣ ହେଲେ, ଏହା ଗର୍ବର ବିଷୟ ବୋଲି ମତ ପ୍ରକାଶ ପାଇଛି । ତୃତୀୟ ସେସନରେ ଖାଦ୍ୟ ଓ ମହିଳା ଉଦ୍ୟୋଗୀଙ୍କ ଉପରେ ଆଲୋଚନା ହୋଇଛି । ଓଡିଆ ଖାଦ୍ୟର ପ୍ରଚାର ପ୍ରସାର ଏହି କନକ୍ଲେଭର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ଆୟୋଜକ । ସେହିପରି ଏହି କାର୍ଯ୍ୟକ୍ରମ ପ୍ରତି ଓଡିଆଙ୍କୁ ନିଜ ଓଡିଆ ଖାଦ୍ୟ ସହ ଭିନ୍ନ ଢ଼ଙ୍ଗରେ ପରିଚିତ କରାଇବ ବୋଲି କହିଛନ୍ତି ଫୁଡ ବ୍ଲଗର ସରୋଜା ଚୌଧୁରୀ ।

କନକ୍ଲେଭରେ ଓଡିଆ ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟ କରୁଥିବା ଢ଼େଙ୍କାନାଳ ପ୍ୟାଲେସର ଯୁବରାଜ ଅମର ଜ୍ୟୋତି ସିଂହ ଦେବ ଓ ତାଙ୍କ ପତ୍ନୀ ନିରଞ୍ଜଳା ସିଂହ ଦେବଙ୍କୁ ସମ୍ମାନିତ କରାଯାଇଛି । କନକ ନ୍ୟୁଜ୍, ସମ୍ବାଦ, ରେଡିଓ ଚକୋଲେଟ୍, ସମେତ ଆଉ କେତେକ ସଂଗଠନର ସହଯୋଗରେ ଇଷ୍ଟଆଇ ପକ୍ଷରୁ ଆୟୋଜିତ ହୋଇଯାଇଛି ଏହି କନକ୍ଲେଭ ।