ପୂଜା ମଣ୍ଡପରେ ମହାନବମୀ, ପୀଠରେ ଆଜି ବିଜୟା ଦଶମୀ ପୂଜା । ରାଜ୍ୟର କୋଣ ଅନୁକୋଣରେ ଚାଲିଛି ମାଆ ଜଗତଜନନୀଙ୍କ ଆରାଧନା

ସୁଉଚ୍ଚ ତୋରଣ ସହ ଆଲୋକମାଳାରେ ଝଲସୁଛି ପୂଜା ମଣ୍ଡପ; ସେପଟେ ରାଜଧାନୀରେ ଦାଣ୍ଡିଆର ଧୂନ୍

358

କନକ ବ୍ୟୁରୋ: ଉତ୍ସବ ଓ ଉତ୍ସାହର ସହ ଚାଲିଛି ଜଗତଜନନୀଙ୍କ ପୂଜା । ଆଜି ମାଆ ଦୁର୍ଗାଙ୍କ ମହାନବମୀ ପୂଜା । ସେପଟେ ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଦଶମୀ ପୂଜା କରାଯାଉଛି । ଲକ୍ଷାଧିକ ଶ୍ରଦ୍ଧାଳୁ ମାଆଙ୍କ ଦର୍ଶନ ସହ ପୂଜା ଦେଖିବାକୁ ଭିଡ ଜମାଉଛନ୍ତି । ମାଆଙ୍କ ବିଶ୍ୱରୂପ ଓ ବେଶଭୂଷା ଦେଖିବାକୁ ଶ୍ରଦ୍ଧାଳୁ ଆତୁର ହେଉଛନ୍ତି । ଆଖି ଝଲସା ଆଲୋକମାଳାରେ ସଜା ହୋଇଛି ସାରା ଓଡିଶାର ପୂଜା ପେଣ୍ଡାଲ । ରାଜଧାନୀ ଭୁବନେଶ୍ୱରର ସହିଦ ନଗରରେ ଚାନ୍ଦି ମେଢ ସାଙ୍ଗକୁ ମାଆଙ୍କ ସୁନା ମୁକୁଟ ଦେଖିବାକୁ ପ୍ରବଳ ଭିଡ ଜମୁଛି । ସେହିପରି ପୁରୁଣା ଷ୍ଟେସନ ବଜାର ପୂଜା ମଣ୍ଡପରେ ଚାନ୍ଦି ମେଢ ଦେଖିବାକୁ ମିଳିଛି । ଭୁବନେଶ୍ୱରର ୧୭୧ଟି ସ୍ଥାନରେ ମାଆଙ୍କ ପୂଜା ଅନୁଷ୍ଠିତ ହେଉଛି । ସେପଟେ କଟକରେ ପ୍ରାୟ ୧୬୫ଟି ମଣ୍ଡପରେ ମାଆଙ୍କ ଆରାଧନା କରାଯାଉଛି । ପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ବେଶ ଧୁମଧାମରେ ଚାଲିଛି ଶାରଦୀୟ ଦୁର୍ଗାପୂଜା । ଆକର୍ଷଣୀୟ କରିବା ପାଇଁ ପୂଜା କମିଟି ପକ୍ଷରୁ ସୁନ୍ଦର ସୁନ୍ଦର ସୁଉଚ୍ଚ ତୋରଣମାନ କରାଯାଇଛି ।

ସେପଟେ, ମହାମାୟୀ ଜଗତଜନନୀ ମାଆ ଦୁର୍ଗାଙ୍କ ଆଗମନରେ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ । ଆଉ ମାଆଙ୍କ ଦର୍ଶନ ପାଇଁ ବିଭିନ୍ନ ପୂଜାମଣ୍ଡପରେ ଶ୍ରଦ୍ଧାଳୁଙ୍କ ଟାର୍ଗେଟ୍ କରୁଛନ୍ତି ଲୁଟେରା । ଏଭଳି ଖବର ସମସ୍ତଙ୍କୁ ଚମକାଇ ଦେଇଛି । ମାଳ ମାଳ ସିସିଟିଭି ଲାଗିବା ସତ୍ୱେ ରାଜଧାନୀର ନୟାପଲ୍ଲୀ ପୂଜାମଣ୍ଡପରେ ୩ ମହିଳାଙ୍କଠାରୁ ଲୁଟ୍ ହୋଇଥିବାବେଳେ ଷ୍ଟେସନବଜାର ମଣ୍ଡପରେ ଜଣଙ୍କ ମୋବାଇଲ୍ ଓ ଜଣଙ୍କ ସୁନା ଚେନ୍ ଲୁଟ୍ ହୋଇଛି । ଲକ୍ଷ୍ମୀସାଗର ଥାନା ଅଂଚଳରେ ୩ ଜଣ ଲୁଟର ଶିକାର ହୋଇଛନ୍ତି । ମଂଚେଶ୍ୱର ଥାନା ଅଧୀନରେ ୨ ଜଣ ଯୁବକଙ୍କ ପର୍ସ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ପୂଜାମଣ୍ଡପରେ ଲୁଟାପାଟ କରୁଥିବା ୫ ଜଣ ଅଭିଯୁକ୍ତଙ୍କୁ ଉଠାଇ ନେଇ ପଚରା ଉଚରା କରୁଛି ପୁଲିସ ।