ସୁପ୍ରିମକୋର୍ଟରେ ମୁମ୍ବାଇ ଗଛ କଟା ମାମଲା। ଆଜି ସ୍ୱତନ୍ତ୍ର ଖଣ୍ଡପୀଠରେ ହେବ ଜରୁରୀ ଶୁଣାଣି

ଗଛ କାଟିବା ଉପରେ ରୋକ ଲଗାଇବାକୁ ଛାତ୍ର ପ୍ରତିନିଧିମଣ୍ଡଳୀଙ୍କ ଆବେଦନ; ସେପଟେ ଗିରଫ ୨୯ ବିକ୍ଷୋଭକାରୀଙ୍କୁ ଛାଡିଲା ମହାରାଷ୍ଟ୍ର ପୁଲିସ

100

କନକ ବ୍ୟୁରୋ: ସୁପ୍ରିମକୋର୍ଟରେ ମୁମ୍ବାଇ ଆରେ କଲୋନୀର ଗଛ କଟା ମାମଲାର ଶୁଣାଣି ଆଜି ହେବ । ପୂର୍ବାହ୍ନ ୧୦ଟାରେ ସୁପ୍ରିମକୋର୍ଟର ସ୍ୱତନ୍ତ୍ର ଖଣ୍ଡପୀଠ ଏହି ମାମଲାର ଜରୁରୀ ଶୁଣାଣି କରିବ । ଛାତ୍ରଙ୍କ ଏକ ପ୍ରତିନିଧି ଦଳ ଗଛ କଟା ଉପରେ ରୋକ ଲଗାଇବା ପାଇଁ ଚିଫ୍ ଜଷ୍ଟିସ ରଂଜନ ଗୋଗେଇଙ୍କୁ ଚିଠି ଲେଖିଥିଲେ । ଛାତ୍ରଙ୍କ ଆବେଦନ ପରେ ଜରୁରୀ ଶୁଣାଣି ନିଷ୍ପତି ନେଇଛି ସୁପ୍ରିମକୋର୍ଟ । ଛାତ୍ରଙ୍କ ପ୍ରତିନିଧି ଦଳ ଆବେଦନରେ ଦର୍ଶାଇଛନ୍ତି, ଅକ୍ଟୋବର ୪ ତାରିଖରୁ ବେଆଇନ ଭାବେ ଗଛ କଟାଯାଉଛି । ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରୁଥିବା ବିକ୍ଷୋଭକାରୀଙ୍କୁ ଗିରଫ କରାଯାଉଛି । ତେଣୁ ଘଟଣାର ପ୍ରାଥମିକତାକୁ ଦୃଷ୍ଟିରେ ନେଇ ଜରୁରୀ ଶୁଣାଣି କରିବା ପାଇଁ ଆବେଦନରେ ଅନୁରୋଧ କରାଯାଇଥିଲା ।

ସେପଟେ ବମ୍ବେ ହାଇକୋର୍ଟ ଆଦେଶ ପରେ ଗତ ଶୁକ୍ରବାର ଠାରୁ ଆରେ କଲୋନୀରେ ଗଛ କଟା ଆରମ୍ଭ ହୋଇଯାଇଥିଲା । ଆଉ ପରିବେଶବିତ, ସାମାଜିକ କର୍ମକର୍ତ୍ତା ଶୁକ୍ରବାର ରାତିରୁ ତୀବ୍ର ବିରୋଧ ଆରମ୍ଭ କରିଦେଇଥିଲେ । ଏହାକୁ ନେଇ ପୁଲିସ ଓ ବିକ୍ଷୋଭକାରୀ ମୁହାଁମହିଁ ହୋଇଥିଲେ । ଏହି ଘଟଣାରେ ଗିରଫ ହୋଇଥିବା ୬ ମହିଳାଙ୍କ ସମେତ ୨୯ ଜଣଙ୍କୁ ଗତକାଲି ଛାଡି ଦେଇଛି ପୁଲିସ । ଆରେ କଲୋନିରେ ଗଛକଟା ବନ୍ଦ ପାଇଁ ହୋଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିବା ପରେ ଶନିବାର ପରିବେଶବିତ୍ ଓ କର୍ମକର୍ତା ପୁଣି ଆବେଦନ କରିଥିଲେ । ଏହାପରେ ହାଇକୋର୍ଟ ଆବେଦନକାରୀଙ୍କୁ ସୁପ୍ରିମକୋର୍ଟ ଯିବାକୁ ପରାମର୍ଶ ଦେଇଥିଲେ । ମେଟ୍ରୋ ଫେଜ୍ ୩ର ସେଡ୍ ତିଆରି କରିବା ପାଇଁ ପ୍ରଶାସନ ଅରେ କଲୋନୀ ଅଂଚଳକୁ ବାଛିଛି । ପ୍ରକଳ୍ପ ପାଇଁ ସେଠାରେ ଥିବା ହଜାର ହଜାର ଗଛ କାଟିବାକୁ ସ୍ଥାନୀୟ ଅଂଚଳର ଲୋକେ ତୀବ୍ର ବିରୋଧ କରୁଛନ୍ତି ।