ରକ୍ଷଣାବେକ୍ଷଣ ଅଭାବରୁ ଘାସ ପଡିଆରେ ପରିଣତ ହେଲାଣି ଚାନ୍ଦିପୁର ବେଳାଭୂମି। ମାଟି ମିଶା ବାଲି ଯୋଗୁଁ ଉଚ୍ଚ ହୋଇଗଲାଣି ବେଳାଭୂମି। 

53

କନକ ବ୍ୟୁରୋ: ବିସ୍ତିର୍ଣ୍ଣ ଓ ବିରଳ ସମୁଦ୍ର ବେଳାଭୂମି ପାଇଁ ବିଶ୍ୱ ପ୍ରସିଦ୍ଧ ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର । ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଏବେ ଅସ୍ତିତ୍ୱ ହରାଇବାକୁ ବସିଛି ଏହି ସ୍ୱତନ୍ତ୍ର ବେଳାଭୂମୀ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ଏହି ବେଳାଭୂମି ଏକ ଘାଟପଡିଆରେ ପରିଣତ ହେବାକୁ ବସିଲାଣି । ଶୁଣିବାକୁ କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ, ବେଳଭୂମିର ଦୃଶ୍ୟ ଦେଖିଲେ ଏହା କହିବାରେ କୌଣସି ସମସ୍ୟା ନାହିଁ ।

ବେଳଭୂମୀ ଘାସ ଉଠିଛି । ପ୍ରାୟ ଅନ୍ୟ କୌଣସି ବେଳାଭୂମିରେ ଏତେମାତ୍ରାରେ ଘାସ ଉଠିଥିବା ଆପଣାମାନେ ଦେଖିନଥିଲେ । ତେବେ ଚାନ୍ଦିପୁର ବେଳଭୂମୀରେ ଏହି ବ୍ୟତିକ୍ରମ ଆଗାମୀ ଦିନରେ ବଡ ବିପର୍ଯ୍ୟୟ ଆଡକୁ ମୁହାଁଉଛି ବୋଲି ଆଶଙ୍କା କରାଯାଉଛି । ବାଲେଶ୍ୱର  ସହର ଠାରୁ ୧୫ କିଲୋମିଟର ଦୂରରେ ଅବସ୍ଥିତ ଚାନ୍ଦିପୁର ବେଳାଭୂମୀ । ଏହି ବେଳାଭୂମୀରେ ମାଟି କାଦୁଅ ମିଶା ବାଲିରହିଛି । ଯେଉଁଠି ଜୁଆର ଆସିଲେ ପାଣି ଆସେ ଓ ଭଟ୍ଟା ସମୟରେ ପାଣି କିଲୋମିଟର ପର୍ଯ୍ୟନ୍ତ ଛକକୁ ଫେରିଯାଏ । ଯାହାର ମଜା ନେଇଥାନ୍ତି ପର୍ଯ୍ୟଟକ । ଅଗଭୀର ସମୁଦ୍ର ଚାନ୍ଦିପୁରରେ ଥିବାରୁ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ପାଇଁ ଉପଯୁକ୍ତ ସ୍ଥାନ ବୋଲି କୁହାଯାଏ । ହେଲେ ଏବେ ଏହି ବେଳାଭୂମୀର ଚିତ୍ର ପର୍ଯ୍ୟଟକଙ୍କୁ ବ୍ୟଥିତ କରୁଛି । ବେଳଭୂମୀର ଅଧିକାଂଶ ସ୍ଥାନରେ ଉଠିଥିବା ଘାସକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି । ତେବେ ବେଳାଭୂମୀରେ ଉଠିଥିବା ଘାସର ଚେର ପ୍ରାୟ ଫୁଟେରୁ ଦୁଇ ଫୁଟ ଭିତରକୁ ଲମ୍ବିଛି । ତେଣୁ ସେଗୁଡିକୁ ସହଜରେ ଉପାଡି ହେଉନାହିଁ । ତେବେ ଏହି ଘାସ ମାଡିବା ପଛରେ ଅନେକ କାରଣ ରହିଥିବା ଗବେଷକ କହିଛନ୍ତି  ।

ଚାନ୍ଦିପୁର ବଳରାମ ଗଡ ମୁହାଣ ଦେଇ ନଦୀ ପାଣି ସମୁଦ୍ରରେ ମିଶିଛି । ଅଧିକାଂଶ ସମୟରେ ବାଲେଶ୍ୱରରେ ବନ୍ୟା ହେଉଥିବାରୁ ମାଟି ସବୁ ପାଣି ମିଶି ସମୁଦ୍ରକୁ ଚାଲିଆସେ । ତେଣୁ ବେଳଭୂମିରେ ମାଟି ପରିମାଣ ବଢିଯାଇଛି ଏବଂ କୂଳ କ୍ରମଶଃ ଉଚ୍ଚା ହୋଇଯାଇଛି । ଫଳରେ ଜୁଆର କୂଳ ଯାଏଁ ଆସୁନାହିଁ । ପୂର୍ବରୁ ଘାସ ଗୁଡିକୁ ମୁହାଣ ପାଖରେ ହେଉଥିଲା । ପରବର୍ତୀ ସମୟରେ ଏହାର ମଂଜି  ବେଳାଭୂମୀକୁ ଭାସିଆସି ଉପଯୁକ୍ତ ଭୂପୃଷ୍ଠ ମିଳୁଥିବାରୁ ଏଠାରେ ଘସ ଉଠୁଛି ବୋଲି ବିଶେଷଜ୍ଞ ମତ ରଖିଛନ୍ତି ।