ଖବରକାଗଜରେ ସମ୍ପାଦକୀୟ ଲେଖିଲେ ମୁଖ୍ୟମନ୍ତ୍ରୀ : ‘ଏ ମାଟିର କନ୍ୟା’ ଶୀର୍ଷକରେ ନବୀନ ପଟ୍ଟନାୟକଙ୍କ ଆଲେଖ୍ୟ ସାଉଣ୍ଟୁଛି ଚର୍ଚ୍ଚା

267

କନକ ବ୍ୟୁରୋ : ଖବରକାଗଜରେ ସମ୍ପାଦକୀୟ ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ‘ଏ ମାଟିର କନ୍ୟା’ ଶୀର୍ଷକରେ ନବୀନଙ୍କ ଆଲେଖ୍ୟ ଚର୍ଚ୍ଚା ସାଉଣ୍ଟୁଛି । ନବୀନ କହିଛନ୍ତି, ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଶପଥ ନେବା ସମୟ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗୌରବର ଶ୍ରେଷ୍ଠ ମୁହୂର୍ତ୍ତ ଥିଲା । ଇତିହାସର ସେହି ସ୍ୱର୍ଣ୍ଣିମ ଅବସରରେ ସାମିଲ ହେବା ତାଙ୍କ ପାଇଁ ସୌଭାଗ୍ୟ ବୋଲି କହିଛନ୍ତି । ଜଣେ ଜନଜାତି ବ୍ୟକ୍ତି ଭାରତର ସର୍ବୋଚ୍ଚ ସାମ୍ବିଧାନିକ ଦପରେ ଅଧିଷ୍ଠିତ ହେବା ତାଙ୍କର ବଡ଼ ଅଭିଳାଷା ଥିଲା ।

ସେଥିପାଇଁ ୨୦୧୨ ମସିହା ରାଷ୍ଟ୍ରପତି ନିର୍ବାଚନରେ ଡକ୍ଟର ପି.ଏ ସାଙ୍ଗମାଙ୍କୁ ରାଷ୍ଟ୍ରପତି କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ସାଙ୍ଗମା କେବଳ ଆଦିବାସୀ ବର୍ଗର ନୁହନ୍ତି, ସମାଜର ସବୁ ବର୍ଗର ଲୋକଙ୍କର ସମ୍ମାନସ୍ପଦ ନେତା ଥିଲେ । ମେଘାଳୟର ମୁଖ୍ୟମନ୍ତ୍ରୀ, ଜଣେ କେନ୍ଦ୍ରମନ୍ତ୍ରୀ ତଥା ଲୋକସଭାର ବାଚସ୍ପତି ଭାବେ ସେ ତାଙ୍କର ପ୍ରତିଭାର ପରିଚୟ ଦେଇଥିଲେ । ହେଲେ ପଂଚଦଶ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଚୟନରେ ଓଡ଼ିଆ ଝିଅ ତଥା ଜନଜାତି ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କ ନାଁ ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ ।

ଆଉ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ପ୍ରାର୍ଥୀ ଘୋଷଣା ହେବା ପରେ ଦଳମତ ନିର୍ବିଶେଷରେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ପାଇଁ ନିବେଦନ କରିଥିଲେ । ଆଜି ଓଡ଼ିଶାର ଜଣେ ଝିଅ, ଜନଜାତି ମହିଳା ଦେଶର ସେହି ସର୍ବୋଚ୍ଚ ସାମ୍ବିଧାନିକ ପଦ ମଣ୍ଡନ କରି ଓଡ଼ିଶା ମାଟିର ଗୌରବକୁ ବୃଦ୍ଧି କରିଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।