ଦ୍ୱିତୀୟ ଦିନରେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ । ପରିବହନ ବାଧାପ୍ରାପ୍ତ, ମହଙ୍ଗା ହେଲା ପରିବା । ପେଟ୍ରୋଲ ଟାଙ୍କିରେ ପ୍ରବଳ ଭିଡ଼

181

କନକ ବ୍ୟୁରୋ; ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଥିବା ବେଳେ ପରିବହନ ବ୍ୟବସ୍ଥା ବିଗିଡ଼ିବାରେ ଲାଗିଛି । ସାରା ରାଜ୍ୟରେ ଡ୍ରାଇଭରଙ୍କ ପିକେଟିଂ ଯୋଗୁଁ ରାସ୍ତାରେ ଅଟକିଛି ହଜାର ହଜାର ଟ୍ରକ । ପରିବା ବୋଝେଇ ଟ୍ରକ ଠାରୁ ଆରମ୍ଭ କରି ତେଲ ଟ୍ୟାଙ୍କର ମଧ୍ୟ ସ୍ୱାଭାବିକ ଭାବେ ଚଳାଚଳ କରୁନାହିଁ । ରାଜ୍ୟ ବାହାରୁ ଆସୁଥିବା ଗାଡ଼ି, ରାଜ୍ୟ ଭିତରେ ଚଳାଚଳ କରୁଥିବା ଗାଡ଼ି ବିଭିନ୍ନ ସ୍ଥାନରେ ଅଟକି ରହିଛି । ସବୁଠୁ ଚିନ୍ତାଜନକ ହୋଇଛି ତେଲ ପରିବହନରେ ଅଚଳାବସ୍ଥା ।

ରାସ୍ତାରେ ଅଟକି ରହିଛି ତେଲ ଟ୍ୟାଙ୍କର । ଆନ୍ଦୋଳନର ଦ୍ୱିତୀୟ ଦିନରେ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ପେଟ୍ରୋଲ ଟାଙ୍କିରେ ତେଲ ସରି ସରି ଆସୁଛି । ରାଜଧାନୀର କିଛି ପେଟ୍ରୋଲ ଟାଙ୍କି ବନ୍ଦ ହୋଇଯାଇଥିବା ବେଳେ କିଛି ପେଟ୍ରୋଲ ଟାଙ୍କିରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି । ପେଟ୍ରୋଲ ପାଇଁ ଦୁଇ ଚକିଆ ଓ ଚାରଚକିଆ ଗାଡ଼ିର ଲମ୍ବା ଲାଇନ ଲାଗିଛି ।

ରାଜ୍ୟରେ ଦୈନିକ ଆବଶ୍ୟକତା

  • ପେଟ୍ରୋଲ – ୨୭ ଲକ୍ଷ ୫୦ ହଜାର ଲିଟର
  • ଡିଜେଲ – ୬୦ ଲକ୍ଷ ଲିଟର

ଭୁବନେଶ୍ୱରରେ ଦୈନିକ ଆବଶ୍ୟକତା

  • ପେଟ୍ରୋଲ – ୩ ଲକ୍ଷ ୩୦ ହଜାର ଲିଟର
  • ଡିଜେଲ – ୨ ଲକ୍ଷ ୩୫ ହଜାର ଲିଟର

ରାଜ୍ୟରେ ଦୈନିକ ୨୭ ଲକ୍ଷ ୫୦ ହଜାର ଲିଟର ପେଟ୍ରୋଲ ଓ ୬୦ ଲକ୍ଷ ଲିଟର ଡିଜେଲ ଆବଶ୍ୟକ ହୋଇଥାଏ । ଭୁବନେଶ୍ୱରରେ ୩ ଲକ୍ଷ ୩୦ ହଜାର ଲିଟର ଓ ୨ ଲକ୍ଷ ୩୫ ହଜାର ଲିଟର ଡିଜେଲ୍ ଆବଶ୍ୟକ ହୋଇଥାଏ । ପ୍ରତିଦିନ ଅଳ୍ପ କିଛି ତେଲ ପେଟ୍ରୋଲ ଟାଙ୍କିରେ ବଳିଥାଏ । ପରଦିନର ସପ୍ଲାଏ ଉପରେ ନିର୍ଭର କରିଥାନ୍ତି ଟାଙ୍କି । ତେଣୁ ପରିବହନ ବାଧାପ୍ରାପ୍ତ ହେଲେ ସମସ୍ୟା ସୃଷ୍ଟି ହୋଇଥାଏ ।
ଆନ୍ଦୋଳନ ଆଗକୁ ଜାରି ରହିଲେ ଖୁବଶୀଘ୍ର ସରିଯିବ ପେଟ୍ରୋଲ ଓ ଡିଜେଲ । ଆଉ ଠପ୍ ହୋଇଯିବ ସଂପୂର୍ଣ୍ଣ ପରିବହନ ବ୍ୟବସ୍ଥା ।

କେଉଁଠୁ ଓ କେମିତି ଆସେ ତେଲ?

ପାରାଦୀପରେ ବିଶୋଧନ ପରେ ପାରାଦୀପ, ଝାରସୁଗୁଡା, ଜଟଣୀ ଓ ବାଲେଶ୍ୱର ଡିପୋକୁ ଯାଏ । ଟ୍ୟାଙ୍କର ଜରିଆରେ ବିଭିନ୍ନ ଜିଲ୍ଲାକୁ ଯାଇଥାଏ ପେଟ୍ରୋଲ ଓ ଡିଜେଲ୍ । ଅଶୋଧିତ ତେଲ ଜାହାଜ ଯୋଗେ ପାରାଦୀପରେ ପହଁଚିଥାଏ, ସେଠାରେ ବିଶୋଧନ ହେବା ପରେ, ଅଟକ ରହିଥିବା ଟ୍ୟାଙ୍କର ଯୋଗେ ପାରାଦୀପ, ବାଲେଶ୍ୱର ଝାରସୁଗୁଡା ଓ ଜଟଣୀ ଡିପୋରୁ ସାରା ରାଜ୍ୟକୁ ପରିବହନ କରାଯାଏ ପେଟ୍ରୋଲ ଓ ଡିଜେଲ । ତେବେ ଭୁବନେଶ୍ୱର ଓ କଟକରେ ଡ୍ରାଇଭର ମହାସଂଘର ଆନ୍ଦୋଳନ ଯୋଗୁଁ ପରିବା ଦରରେ ନିଆଁ ଲାଗିଛି । ଆନ୍ଦୋଳନ ଯୋଗୁଁ ବାହାରୁ କଟକ, ଭୁବନେଶ୍ୱରକୁ ସ୍ୱାଭାବିକ ଭାବେ ପରିବା ଗାଡି ଆସିପାରୁନାହିଁ ।

                               ପରିବା ବଜାରରେ ପ୍ରଭାବ
                              ଗତକାଲି                      ଆଜି

  • ପୋଟଳ          ୮୦ ଟଙ୍କା           ୧୪୦ ଟଙ୍କା
  • ଭେଣ୍ଡି             ୪୦ ଟଙ୍କା             ୫୦ ଟଙ୍କା
  • ଜହ୍ନି               ୪୦ ଟଙ୍କା             ୫୦ ଟଙ୍କା
  • ବାଇଗଣ         ୩୦ ଟଙ୍କା             ୪୦ ଟଙ୍କା
  • କଲରା            ୩୦ ଟଙ୍କା            ୪୦ ଟଙ୍କା
  • ଟମାଟୋ          ୨୦ ଟଙ୍କା           ୨୫ ଟଙ୍କା

ଆଉ ଏହାର ସୁଯୋଗ ନେଇ ପରିବା ବେପାରୀ ମନ ଇଛା ଦର ବଢାଇ ଦେଇଛନ୍ତି । କଟକ ଛତ୍ରବଜାର ପାଇକାରୀ ବଜାରରେ ଏହାର ପ୍ରଭାବ ପଡ଼ିଛି । ତେଣୁ ସବୁଆଡେ ପରିବା ଦର ବଢ଼ି ଚାଲିଛି । ଗୋଟିଏ ଦିନରେ ୨୫ରୁ ୩୦ ପ୍ରତିଶତ ଦର ବୃଦ୍ଧି ପାଇଛି । ଏପଟେ ବଜାରରେ ମଧ୍ୟ ପରିବା ପରିମାଣ କମ୍ ଥିବା ଦେଖିବାକୁ ମିଳୁଛି । ଯଦି ସମସ୍ୟାର ସମାଧାନ ନହୁଏ, ତେବେ ଆକାଶଛୁଆଁ ହେଇପାରେ ପରିବା ଦର । ଅନ୍ୟ ସାମଗ୍ରୀ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବା ଆଶଙ୍କା ବୃଦ୍ଧି ପାଉଛି । ମାଛ, ଚିକେନ୍, ଅଣ୍ଡାର ଅଭାବ ପରିଲଖିତ ହେବା ସହ ଦର ମଧ୍ୟ ବୃଦ୍ଧି ପାଇବ ।

ସେହିପରି ରନ୍ଧନ ଗ୍ୟାସ ପରିବହନ ମଧ୍ୟ ବାଧାପ୍ରାପ୍ତ ହୋଇଛି । ରାସ୍ତା ଅବରୋଧ ହଟାଇବାକୁ ପୁଲିସ ଓ ପ୍ରଶାସନ ଉଦ୍ୟମ କରୁଛି । ଡ୍ରାଇଭର ମହାସଂଘର ଆନ୍ଦୋଳନ ଯଦି ଆଗକୁ ବଢ଼େ, ତେବେ ସବୁ କ୍ଷେତ୍ରରେ ଏହାର ପ୍ରଭାବ ପଡିବ । ସାଧାରଣ ଯାତ୍ରୀ ପରିବହନ ଠାରୁ ଆରମ୍ଭ କରି ଅଗ୍ନିଶମ, ଆମ୍ବୁଲାନ୍ସ ସେବା ଭଳି ଅତ୍ୟାବଶ୍ୟକ ସେବା ମଧ୍ୟ ବାଧାପ୍ରାପ୍ତ ହେବା ଆଶଙ୍କା ରହିଛି ।