ପୁଲିସ-ଡ୍ରାଇଭର ପିଟାପିଟି । ବ୍ରହ୍ମପୁର, ଜୟପୁର ଓ ଭୁବନେଶ୍ୱର ତମାଣ୍ଡୋରେ ମୁହାଁମୁହିଁ । ଡ୍ରାଇଭର ସଂଘର ଚେତାବନୀ, ପୋଲିସ୍ ଉଠାଇ ନେଲେ ଜୋରଦାର ହେବ ବିକ୍ଷୋଭ ।

153

କନକ ବ୍ୟୁରୋ: ଦ୍ୱିତୀୟ ଦିନରେ ଜୋରଦାର ହୋଇଛି ଡ୍ରାଇଭରଙ୍କ ଧର୍ମଘଟ । ସାରା ରାଜ୍ୟରେ ଡ୍ରାଇଭର ଆନ୍ଦୋଳନର ପ୍ରଭାବ ଦେଖିବାକୁ ମିଳିଛି । କେଉଁଠି ପୋଲିସ-ଡ୍ରାଇଭର ମୁହାଁମୁହିଁ ତ, ଆଉ କେଉଁଠି ଡ୍ରାଇଭର-ଡ୍ରାଇଭର ଭିତରେ ହଙ୍ଗାମାର ଚିତ୍ର ସାମ୍ନାକୁ ଆସିଛି । କେବଳ ସେତିକି ନୁହେଁ ଧର୍ମଘଟରେ ବସିଥିବା ଡ୍ରାଇଭରଙ୍କୁ ପୋଲିସ ଜୋର ଜବରସ୍ତ ଉଠାଇ ନେଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛି ଡ୍ରାଇଭର ମହାସଂଘ ।

  • ଦ୍ୱିତୀୟ ଦିନରେ ଡ୍ରାଇଭରଙ୍କ ଆନ୍ଦୋଳନ
  • ତମାଣ୍ଡୋରେ ଦୁଇ ଡ୍ରାଇଭର ଗୋଷ୍ଠୀ ମୁହାଁମୁହିଁ

ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ ଦ୍ୱିତୀୟ ଦିନରେ ଉଗ୍ର ରୂପ ନେଇଛି । ରାଜଧାନୀ ଉପକଣ୍ଠ ତମାଣ୍ଡୋରେ ଆନ୍ଦୋଳନକୁ ନେଇ ହାଇଡ୍ରାମା ଦେଖିବାକୁ ମିଳିଛି । ବାହାର ରାଜ୍ୟରୁ ଆସିଥିବା ଡ୍ରାଇଭର ଆନ୍ଦୋଳନକୁ ବିରୋଧ କରିବାରୁ ସେଠାରେ ଠେଲାପେଲା ଓ ମାରପିଟ୍ ସ୍ଥିତି ଉପୁଜିଥିଲା । ତମାଣ୍ଡୋରେ ଦୁଇ ଗୋଷ୍ଠୀଙ୍କ ଗଣ୍ଡଗୋଳ ପରେ କିଛି ସମୟ ଜାମ ହୋଇଯାଇଥିଲା ରାସ୍ତା, ଦୁଇପଟେ ଶହ ଶହ ଗାଡି ଅଟକି ରହିଥିଲା । ପୁଲିସ ସେଠାରେ ପହଞ୍ଚି ଡ୍ରାଇଭରଙ୍କୁ ହଟାଇବା ପରେ ଯାତାୟତ ସ୍ୱାଭାବିକ ହୋଇଛି । ତେବେ ଆନ୍ଦୋଳନକାରୀ ଡ୍ରାଇଭର ଓ ବାହାର ରାଜ୍ୟର ଡ୍ରାଇଭରଙ୍କ ସଂଘର୍ଷ ପରେ ଘଟଣାସ୍ଥଳକୁ ଯାଇ କଂଗ୍ରେସ ଓ ବିଜେପିର ନେତା ଡ୍ରାଇଭରଙ୍କ ସହ ଆଲୋଚନା କରିଛନ୍ତି ।

  • ଡ୍ରାଇଭର ସଂଘର ଥାନା ଘେରାଉ
  • ନାକେଦମ ହେଲା ପୁଲିସ

ଷ୍ଟିୟରିଂ ଛାଡ ଆନ୍ଦୋଳନ ବେଳେ ଗାଡି ଚଲାଉଥିବା ଡ୍ରାଇଭରକୁ ପୁଲିସ ଉପସ୍ଥିତିରେ ଆକ୍ରମଣ କରିଛନ୍ତି ଆନ୍ଦୋଳନକାରୀ । ଜୟପୁରର ଏକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପୁଲିସ ମାଡ ମାରିଥିବା ଡ୍ରାଇଭର ସଂଘର ୩ ଜଣକୁ ଉଠାଇ ଆଣିବା ପରେ ଟାଉନ ଥାନା ଘେରାଉ କରିଥିଲେ ସଂଘର ଶତାଧିକ କର୍ମକର୍ତା । ସ୍ଥିତି ଏମିତି ହେଲା ଯେ, ଥାନା ଭିତରକୁ ନା ପୁଲିସ ଆସିପାରିଲା ନା ଯାଇପାରିଲା । ଥାନା ବାହାରେ ଓ ଭିତରେ ଅଟକି ରହିଲା ପୁଲିସ । ତେବେ ଡ୍ରାଇଭର ସଂଘର ଲିଖିତି ପ୍ରତିଶ୍ରୁତି ପାଇବା ପରେ ପୁଲିସ ୩ ଜଣଙ୍କୁ ଛାଡିଦେଇଛି । ସେପଟେ ଡ୍ରାଇଭର ମହାସଂଘ ଖୋଲାଖୋଲି ଚେତବାନୀ ଦେଇଛି । ଧର୍ମଘଟରେ ବସିଥିବା ଡ୍ରାଇଭରଙ୍କୁ ଜୋର ଜବରସ୍ତ ଉଠାଇ ନେଲେ ଆନ୍ଦୋଳନ ଜୋରଦାର ହେବ ।ଦାବି ପୂରଣ ନହେଲେ ରାଜରାସ୍ତାକୁ ଡ୍ରାଇଭରଙ୍କ ପରିବାର ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ଡ୍ରାଇଭର ଧର୍ମଘଟର ଦ୍ୱିତୀୟ ଦିନରେ ସାରା ରାଜ୍ୟରେ ଦେଖିବାକୁ ମିଳିଛି ଜୋରଦାର ପ୍ରତିବାଦ । ଭୁବନେଶ୍ୱର ସମେତ ଗଂଜାମ, ବଲାଙ୍ଗୀର, ସମ୍ବଲପୁର, ପୁରୀ, ବାଲେଶ୍ୱର, ଯାଜପୁର ଆଦି ସ୍ଥାନରେ ଡ୍ରାଇଭର ଧର୍ମଘଟ ଉଗ୍ର ରୂପ ଧାରଣ କରିଛି ।

ଅନ୍ୟପଟେ ବିଧାନସଭାରେ ଉଠିଛି ଡ୍ରାଇଭର ଆନ୍ଦୋଳନ ପ୍ରସଙ୍ଗ । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଉଦବେଗ ପ୍ରକାଶ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । କହିଥିଲେ ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ସାଧାରଣ ଲୋକେ ହଇରାଣ ହେଉଛନ୍ତି । ତୁରନ୍ତ ସରକାର ଡ୍ରାଇଭରଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରନ୍ତୁ । ସେପଟେ ବିରୋଧୀ ଦଳ ନେତା ଜୟନାରାୟଣ ମିଶିର ମଧ୍ୟ ଡ୍ରାଇଭରଙ୍କ ସମସ୍ୟା କଥା ଉଠାଇ ସରକାର ତୁରନ୍ତ ସମାଧାନ କରନ୍ତୁ ବୋଲି କହିଥିଲେ । ଏହି ପ୍ରସଙ୍ଗରେ ଉଭୟ ବିଜେପି ଓ କଂଗ୍ରେସ ବିଧାୟକଙ୍କ ଉଦବେଗ ପ୍ରକାଶ କରିବା ପରେ ବାଚସ୍ପତି ରୁଲିଂ ଦେଇଛନ୍ତି । ଆସନ୍ତାକାଲି ପରିବହନ ମନ୍ତ୍ରୀ ଆନ୍ଦୋଳନକାରୀ ଡ୍ରାଇଭରଙ୍କ ସହ ଆଲୋଚନା କରି ଆଲୋଚନାରୁ କଣ ନିସ୍କର୍ଷ ବାହାରିଲା ତାହା ଗୃହକୁ ଜଣାଇବେ ।