ମାଲିକର ବିଶ୍ୱାସରେ ବିଷ ଦେଲା ଡ୍ରାଇଭର : ଗାଡି ଚୋରି ନାଟକ କରି ବନ୍ଧା ହେଲା ଡ୍ରାଇଭର

194

କନକ ବ୍ୟୁରୋ : ମାଲିକର ବିଶ୍ୱାସରେ ବିଷ ଦେଲା ଡ୍ରାଇଭର । ଟଙ୍କା ଲୋଭରେ ଗାଡିକୁ ଲୁଚାଇ ଚୋରିର ନାଟକ ରଚିଥିଲା ଡ୍ରାଇଭର । ଆଉ ସନ୍ଦେହ କାଳେ ଉପୁଜିବ ଭାବି ନିଜେ ଥାନାରେ ଏତଲା ଦେଇଥିଲା । ଶେଷରେ କିନ୍ତୁ ପୋଲିସ ହାତରେ ଧରାପଡଛି ଡ୍ରାଇଭର । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଂଚଳରେ । ଗଞ୍ଜାମ ଜିଲ୍ଲ ପାଟପୁରର କାହ୍ନୁ ଚରଣ ଚୌଧୁରୀ ନାମକ ଜଣେ ଯୁବକ ଭୁବନେଶ୍ୱରରେ ଜଣେ ମାଲିକଙ୍କ ପାଖରେ ରହି ଗାଡି ଚଲାଉଥିଲେ ।

ତେବେ ଦୁଇ ଦିନ ତଳେ କାହ୍ନୁ ଭୁବେନଶ୍ୱରରୁ ଟାଟା ଇଂଟ୍ରା ଗାଡିରେ ଭଡା ଉଦେ୍ଧଶ୍ୟରେ ବ୍ରହ୍ମପୁର ଆସିଥିଲେ । ବ୍ରହ୍ମପୁରରେ ନିଜର କାମ ସାରି ଭଡା ପଇସା ଧରି ଭୁବେନଶ୍ୱର ବାହାରିଥିବା ବେଳେ ଖଲ୍ଲିକୋଟ ଥାନା ବଡ ଘାଟି ନିକଟରେ ଚାରି ଜଣ ଦୁର୍ବୃତ୍ତ ତାଙ୍କ ଠାରୁ ଗାଡି, ମିଳିଥିବା ଭଡା ଟଙ୍କା ଓ ମୋବାଇଲ ନେଇ ପଳେଇଥିବା ସେ ମାଲିକଙ୍କୁ କହିଥିଲେ । ଏହାପରେ ମାଲିକ ସହ ଆସି ଥାନାରେ ଏତଲା ଦେଇଥିଲେ । ତେବେ ଏତଲା ଦେବା ପରେ ଡ୍ରାଇଭର କାହ୍ନୁର ହାବଭାବ ଦେଖି ପୋଲିସ ସନ୍ଦେହ କରିଥିଲା । ତଦନ୍ତ ପରେ ଜଣା ପଡିଥିଲା ଏତଲା ଦେଇଥିବା ଡ୍ରାଇଭର କାହ୍ନୁ ହିଁ ଟଙ୍କା ଲୋଭରେ ଗାଡିକୁ ଜଙ୍ଗଲରେ ଲୁଚାଇ ଭଡା ଟଙ୍କା ଗାଏବ କରିଥିଲା ଓ ଗାଡି ଟିକୁ ବିକିବା ପାଇଁ ଚକ୍ରାନ୍ତ କରିଥିଲା ।

କାହ୍ନୁ ପୋଲିସ ଆଗରେ ସବୁ ସତ ମାନିଥିବା ବେଳେ ସେ ଜଙ୍ଗଲରେ ଲୁଚାଇଥିବା ଗାଡିଟିକୁ ପୋଲିସ କୁ ଦେଖାଇଥିଲା । ପୋଲିସ ଗାଡିଟିକୁ ଜବତ କରି ମାଲିକ ଚନ୍ଦନ କୁମାରକୁ ଫେରାଇଛି । ବଡ ଘାଟିରେ ଏପରି ଲୁଟ ହେଉଛି କହି ବର୍ଷେ ଭିତରେ ୫ଟି ସମାନ ଅଭିଯୋଗ ଆସିଛି । ଯେଉଁ କେସରେ କି ଡ୍ରାଇଭର ମାନେ ନିଜ ମାଲିକ ସହ ବିଶ୍ୱାସ ଘାତକ କରିବା ସହ ଲୋଭର ବଶବର୍ତୀ ହୋଇ ଏହି ପ୍ରକାର ଚୋରିର ମିଛ ନାଟକ ରଚୁଛନ୍ତି ।