କରୋନା ସଂକ୍ରମଣରେ ଲାଗୁନି ବ୍ରେକ୍: କେରଳରୁ ଜଣେ ସଂକ୍ରମିତଙ୍କ ମୃତ୍ୟୁ

378

କନକ ବ୍ୟୁରୋ: ଦେଶରେ ଲାଗୁନି କରୋନା ସଂକ୍ରମଣରେ ରୋକ । ୨୪ଘଂଟାରେ ୬୨୮ ରୋଗୀଚିହ୍ନଟ ସହ ଜଣଙ୍କ ମୃତ୍ୟୁ ଚିନ୍ତାକୁ ବଢ଼ାଉଛି । ୧୭ ରାଜ୍ୟ ମଧ୍ୟର କେରଳ ଓ କର୍ଣ୍ଣାଟକରେ ସବୁଠୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେବେ ଆଶ୍ୱସ୍ତିକର ଖବର ହେଉଛି କି ସୁସ୍ଥ ହାର ୯୮.୯୧% ରହିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞ ସତର୍କ ଏବଂ ସଜାଗ ରହିବାକୁ ବାରମ୍ବାର ପରାମର୍ଶ ଦେଉଛନ୍ତି ।

ଡିସେମ୍ବର ୨ୟ ସପ୍ତାହରେ କେରଳରୁ କରୋନାର ନୂଆ ଭାଇରସ ଜେଏନ ଡଟ ୱାନ ଭୁତାଣୁରେ ପ୍ରଥମ ସଂକ୍ରମିତ ଚିହ୍ନଟ ହେବା ଖବର ଯେତିକି ଭୟ ବଢାଇଥିଲା ଏବେ ତାଠୁ ବେଶ ଅଧିକ ଚିନ୍ତା ବଢ଼ାଇଛି ଏହାର ଦ୍ରୁତ ସଂକ୍ରମଣ । ଯେଉଁଠି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଶହେ ତଳେ ରହୁଥିଲା କିଛି ଦିନ ଭିତରେ ଏହା ୪ହଜାର ପାର କରିଛି ।

ଡରାଉଛି କରୋନାର ନୂଆ ଭୂତାଣୁ
-୨୪ ଘଂଟା ଭିତରେ ଦେଶରୁ ୬୨୮ ରୋଗୀ ଚିହ୍ନଟ
-କେରଳରେ ୧୨୮ ସଂକ୍ରମିତ ଚିହ୍ନଟ
-କେରଳରେ ଜଣଙ୍କ ମୃତ୍ୟୁ
-ମହାରାଷ୍ଟ୍ରରୁ ୫ଜଣ ନୂଆ ରୋଗୀ ଚିହ୍ନଟ
-କେରଳ ଓ କର୍ଣ୍ଣାଟକରେ ସଂକ୍ରମଣ ୨୦୦% ବୃଦ୍ଧି
-ସୁସ୍ଥ ହାର ୯୮.୯୧% ରହିବା ଏକ ପ୍ରକାର ଆଶ୍ୱସ୍ତି

ଦିଲ୍ଲୀ ଏମ୍ସର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ଚିକିତ୍ସ ଡକ୍ଟର ରଣଦୀପ ଗୁଲେରିଆଙ୍କ ମତରେ ଯଦିଓ ଜେଏନ ଡଟ ୱାନ ବେଶ ଦ୍ରୁତ ସଂକ୍ରମଣ କରୁଛି ତଥାପି ଏହା ବର୍ତ୍ତମାନ ଘାତକ ସାବ୍ୟସ୍ତ ହୋଇନି । ଏହାକୁ ମାଇଲ୍ଡ ଭାଇରସ କୁହାଯାଏ । ଅଧିକାଂଶ ସଂକ୍ରମିତ ଘରେ ରହି ସୁସ୍ଥ ହେଉଛନ୍ତି । ଡାକ୍ତରଖାନାରେ ଭର୍ତ୍ତି ସଂଖ୍ୟା କମ ରହିଛି ।

ଇନସାକଗର ଅଧ୍ୟକ୍ଷ ଡକ୍ଟର ଏନକେ ଆରୋଡାଙ୍କ ମତରେ ନୂଆ ଭୂତାଣୁଠୁ ଭୟଭୀତ କାରଣ ନାହିଁ । ପୂର୍ବ ଭୂତାଣୁ ପରି ନୂଆ ଭୂତାଣୁ ସଂକ୍ରମିତଙ୍କ ନିକଟେରେ ସମାନ ଲକ୍ଷଣ ପ୍ରକାଶ ପାଉଛି । ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କା କମ ରହିଛି ତଥାପି ସତର୍କ ରହିବା ଜରୁରୀ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ କରୋନା ଭ୍ୟାକ୍ସିସିନ ଓ ବୁଷ୍ଟର ଡୋଜ ନୂଆ ଭୁତାଣୁ ସହ ଲଢ଼ିବାରେ ବେଶ ସହାୟକ ହେବ । ସେପଟେ ଜେଏନ ଡଟ ୱାନ ପାଇଁ ନୂଆ ଟିକା ତିଆରି ପାଇଁ ପୁଣେ ସ୍ଥିତ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପ୍ରସ୍ତୁତି ଆରମ୍ଭ କରିଛି । ଏନେଇ କମ୍ପାନୀ ପକ୍ଷରୁ ଲାଇସେନ୍ସ ଆବେଦନ କରାଯାଇଥିବା ସୁଚନା ମିଳିଛି ।