ଅଭିଯୋଗ ଜଣାଇବା ପାଇଁ ଆମ୍ବୁଲାନ୍ସରେ ଆସିଲେ ଦିବ୍ୟାଙ୍ଗ: କହିଲେ, ଭିନ୍ନକ୍ଷମ ପ୍ରମାଣ ପତ୍ର ଥାଇ ବି ୨ ବର୍ଷ ହେଲା ମିଳୁନି ଭତା

107

କନକ ବ୍ୟୁରୋ: ଜନଶୁଣାଣି ଶିବିରରେ ହଠାତ୍ ପହଂଚିଥିଲା ଏକ ଆମ୍ବୁଲାନ୍ସ । ଜିଲ୍ଲାପାଳଙ୍କୁ ଗୁହାରି ଜଣାଇବା ପାଇଁ ଆମ୍ବୁଲାନ୍ସରେ ଆସିଥିଲେ ଜଣେ ଦିବ୍ୟାଙ୍ଗ ଯୁବକ । ନିଆଳି ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଚାଲିଥିବା ବେଳେ ନିଜ ଅଭିଯୋଗ ଜଣାଇବା ପାଇଁ ଆମ୍ବୁଲାନ୍ସରେ ଆସିଛନ୍ତି ନିଆଳି ବ୍ଲକ ପହଙ୍ଗା ପଂଚାୟତ ସୁନ୍ଦରଦା ଗାଁର ବବୁଲ ମହାରଣା । ୪ ବର୍ଷ ତଳେ ବିଦ୍ୟୁତ୍ ଆଘତ ଯୋଗୁଁ ଗୋଟିଏ ହାତ ହରାଇଛନ୍ତି ବବୁଲ । ତାଙ୍କର ଦୁଇ ଗୋଡ ମଧ୍ୟ ଅଚଳ ହୋଇଯାଇଛି । ଏତେ ପରେ ବି କୌଣସି ସରକାରୀ ସହାୟତା ମିଳିନାହିଁ । ୨ ବର୍ଷ ହେଲା ଭିନ୍ନକ୍ଷମ ପ୍ରମାଣପତ୍ର ସହ ବାରମ୍ବାର ଭତା ପାଇଁ ଆବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ସବୁ ଆଡୁ ନିରାଶ ହେବା ପରେ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନିଙ୍କୁ ଭେଟିବାକୁ ଆମ୍ବୁଲାନ୍ସରେ ଆସିଛନ୍ତି । ଯେହେତୁ ବବୁଲ ବସି ପାରୁନାହାନ୍ତି ତେଣୁ ଆମ୍ବୁଲାନ୍ସରେ ଷ୍ଟ୍ରେଚରରେ ଶୋଇ ଜନ ଶୁଣାଣି ଶିବିରରେ ପହଂଚିିଥିଲେ । ସେଠାରେ ଉପସ୍ଥିତ ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତରାୟଙ୍କୁ ନିଜ ଅଭିଯୋଗ ଶୁଣାଇଥିଲେ । ବବୁଲଙ୍କ ଅଭିଯୋଗ ସୁଣିବା ପରେ ତୁରନ୍ତ ତାଙ୍କୁ ରେଡ୍କ୍ରସ୍ ପକ୍ଷରୁ ୩ହଜାର ଟଙ୍କାର ସହାୟତା ସହ ହ୍ୱିଲ ଚେୟାର ଦିଆଯାଇଛି ।