ସିଡିଏସ ନିଯୁକ୍ତି ପାଇଁ ବଦଳିଲା ନିୟମ । ଜାଣନ୍ତୁ ପ୍ରତିରକ୍ଷା ମନ୍ତ୍ରାଳୟର ନୂଆ ନିୟମ କଣ?

292

କନକ ବ୍ୟୁରୋ : ପ୍ରତିରକ୍ଷା ମନ୍ତ୍ରାଳୟ ସିଡିଏସ ନିଯୁକ୍ତି ସମ୍ବନ୍ଧୀୟ ନିୟମରେ ବଡ ଧରଣର ସଂଶୋଧନ କରିଛି । ଏଣିକି ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବା ସିଡିଏସ ନିଯୁକ୍ତି ପାଇଁ ସରକାର ସେହି ଅଧିକାରୀଙ୍କୁ ବାଛିବେ ଯେଉଁମାନେ ଲେଫ୍ଟନାଣ୍ଟ ଜେନେରାଲଙ୍କ ସମକକ୍ଷ ବା ସେହି ରାଙ୍କର ଅଧିକାରୀ ହୋଇଥିବେ । ନଚେତ ଯେଉଁମାନେ ଲେଫ୍ଟନାଣ୍ଟ ଜେନେରାଲ କିମ୍ବା ଜେନେରାଲ ପଦରୁ ଅବସର ନେଇଥିବେ । କିନ୍ତୁ ସିଡିଏସ ନିଯୁକ୍ତି ସମୟରେ ସେମାନଙ୍କର ବୟସ ୬୨ ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ ।

କେନ୍ଦ୍ର ସରକାର ଲେଫ୍ଟନାଣ୍ଟ ଜେନେରାଲ, ଜେନେରାଲ ରାଙ୍କ ବା ଅବସରପ୍ରାପ୍ତ ସେନା ଅଧିକାରୀଙ୍କୁ ସିଡିଏସ ନିଯୁକ୍ତି ଦେଇପାରିବେ । ଏଥିପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ନୌସେନା,ସ୍ଥଳସେନା ଓ ବାୟୁସେନାର ସର୍ଭିସ ଆକ୍ଟରେ ପରିବର୍ତ୍ତନ କରିଛି । ତେବେ ଏହି ନିୟମ ଆସିଥିଲେ ମଧ୍ୟ ଏବେ ନୌସେନା, ସ୍ଥଳ ଓ ବାୟୁସେନାର ମୁଖ୍ୟ ପଦରୁ ଅବସର ନେଇଥିବା ଅଧିକାରୀ ସିଡିଏସ ଦୌଡରୁ ବାଦ୍ ପଡିବେ । କାରଣ ଏହି ୩ ସେନାର ପ୍ରମୁଖଙ୍କ ଅବସର ବୟସ ୬୨ ବର୍ଷ ରହିଛି । ଅଥାର୍ତ ଯେଉଁମାନେ ଏବେ ଚାକିରିରେ କରୁଛନ୍ତି ଓ ବୟସ ସୀମା ପାର କରିନାହାନ୍ତି ସେମାନଙ୍କୁୁ ସିଡିଏସ ଭାବେ ନିଯୁକ୍ତ କରାଯିବ ।ଗତ ବର୍ଷ ଡିସେମ୍ବର ମାସରେ ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ୍ ରାୱତଙ୍କର ମୃତ୍ୟୁ ହୋଇଥିଲା । ଆଉ ଏହାପରେ ସିଡିଏସ ପଦ ଖାଲି ପଡିଛି ।