ବାଲେଶ୍ୱରରେ ଗୋଳିଆ ପାଣି । ପାଣି ହନ୍ତସନ୍ତ ହେଉଛନ୍ତି ପୌରାଞ୍ଚଳର ବାସିନ୍ଦା । ନିର୍ବାଚନରେ ହେଇପାରେ ବଡ ମୁଦ୍ଦା?

35

କନକ ବ୍ୟୁରୋ: ପାନୀୟ ଜଳ ସମସ୍ୟା ନିର୍ବାଚନରେ ପ୍ରସଙ୍ଗ ହୋଇଛି । ସବୁ ଲୋକଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇବାରେ ରାଜ୍ୟ ସରକାର ବିଫଳ ହୋଇଥିବା ଅଭିଯୋଗ ଆଣୁଛି ବିଜେପି । କେନ୍ଦ୍ରୀୟ ନେତାଙ୍କଠାରୁ ଆରମ୍ଭ କରି ରାଜ୍ୟ ନେତାମାନେ ପିଇବା ପାଣି ପ୍ରସଙ୍ଗରେ ଶାସକ ଦଳକୁ ଘେରୁଛନ୍ତି । ପ୍ରଧାନମନ୍ତ୍ରୀ ବି ଏହି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ବିରୋଧୀଙ୍କ ଏହି ଅଭିଯୋଗ ଭିତରେ ଗ୍ରାଉଣ୍ଡ ଜିରୋରେ କଣ ରହିଛି ବାସ୍ତବ ଚିତ୍ର?

ବାଲେଶ୍ୱର ପୌରାଞ୍ଚଳର ସମସ୍ତ ଘରକୁ ପାଇପ ଯୋଗେ ପିଇବା ପାଣି ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର । ପ୍ରତି ଘରକୁ ପାଇପ୍ ସଂଯୋଗ କରାଯାଇଛି । ପାଇପରେ ମିଟର ବି ଲାଗିଛି । ଟ୍ୟାପ୍ ଖୋଲିଲେ ପାଣି ବି ଆସୁଛି । ଏଥିପାଇଁ ଲୋକେ ମାସକୁ ମାସ ପାଣି କର ବି ଦେଉଛନ୍ତି । ହେଲେ, ବାଲେଶ୍ୱର ପୁଲବଜାର ଅଞ୍ଚଳରେ ପାଇପରୁ ବାହାରୁଛି ଗୋଳିଆ ପାଣି । କିଛି ସମୟ ରହିଗଲେ ପାଣିରେ ଜେଲି ଭଳି ଆସ୍ତରଣ ପଡି ଯାଉଛି । ଯାହାକି ପିଇବା ଉପଯୋଗୀ ନୁହେଁ ।

ପାଣିର ମାନ ଏତେ ଖରାପ ଯେ ୱାଟର ଫିଲ୍ଟରର କ୍ୟାଣ୍ଡେଲ ଶୀଘ୍ର ଖରାପ ହୋଇଯାଉଛି । ଆକ୍ୱାଗାର୍ଡ ମଧ୍ୟ କାମ କରୁନି । ଆକ୍ୱାଗାର୍ଡର କ୍ୟାଣ୍ଡେଲରେ ହଳଦିଆ ରଙ୍ଗର ମୋଟା ଆସ୍ତରଣ ବସି ଯାଉଛି । ଯାହାଫଳରେ ଲୋକେ ପାଣି ସମସ୍ୟାରେ ହନ୍ତସନ୍ତ ହେଉଛନ୍ତି । ତେବେ ଏହି ଗୋଟିଏ ଅଞ୍ଚଳ ନୁହେଁ ବିଭିନ୍ନ ସ୍ଥାନରୁ ସମାନ ଅଭିଯୋଗ ଆସୁଛି । ତେବେ ଏନେଇ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ସେ କହିଛନ୍ତି, ଆଇରନ୍ ଥାଇପାରେ କିମ୍ବା ପାଇପ୍ ଲାଇନ ଜାମ ଥାଇପାରେ । ଏବଂ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।