ବଦଳିଲା ଓଡ଼ିଶାର ନିର୍ବାଚନ ରଣକ୍ଷେତ୍ର: ବିଜୟ ପାଇଁ ବଡ଼ ନେତାଙ୍କ ସମରସଜ୍ଜା

441

କନକ ବ୍ୟୁରୋ: ବିଗତ ଦିନରେ ପୂର୍ବ ଭାରତର ବିକାଶ ପାଇଁ ଓଡ଼ିଶା ପ୍ରୟୋଗଶାଳା ପାଲଟିବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏବେକିନ୍ତୁ ମୋଦୀଙ୍କ ପାଇଁ ରାଜନୀତିର ପ୍ରୟୋଗଶାଳା ପାଲଟିଛି ଓଡ଼ିଶା । ରାଜ୍ୟରେ ସରକାର ଦଖଲ ପାଇଁ ବିଜେପି ଯେଉଁ ସମରସଜା କରିଛି, ସେଥିରୁ ଏଭଳି ସଂକେତ ମିଳୁଛି । ତିନିଦିନର ବ୍ୟବଧାନରେ ପୁଣିଥରେ ମୋଦୀ ଓଡ଼ିଶା ଆସୁଛନ୍ତି । ଏକାଧିକ ମନ୍ତ୍ରୀ ଓ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଛି । ଆଉ ଏହାକୁ କାଉଂଟର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭି.କେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର ଜାରି ରହିଛି । କହିବାକୁ ଗଲେ ଏଥର ନିର୍ବାଚନରେ ବଡ଼ ଧରଣର ଲଢ଼େଇ ହେଉଛି ।

୨୦୨୪ ବାଜି ଜିତିବା ପାଇଁ ବିଜେପିର କେନ୍ଦ୍ର ନେତୃତ୍ୱ ଅଂଟା ଭିଡ଼ିବା ପରେ ନୂଆ ମୋଡ଼ ନେଇଛି ରାଜ୍ୟ ରାଜନୀତି । କିଛି ଦିନ ପୂର୍ବରୁ ଲାଗୁଥିଲା, ୪୦୦ ପାର୍ର ନାରା ଦେଇ ରଣନୀତି କରୁଛି ବିଜେପି । ଏବେ କିନ୍ତୁ ସ୍ଥିତି ବଦଳି ଯାଇଛି । କେବଳ କେନ୍ଦ୍ରରେ ନୁହେଁ ଓଡ଼ିଶାରେ ମଧ୍ୟ ସରକାର ଗଢିବା ପାଇଁ ସୁଯୋଗ ରହିଥିବା ଆକଳନ କରୁଛନ୍ତି ବିଜେପିର ଶୀର୍ଷ ନେତୃତ୍ୱ । ଜୁନ ୧୦ରେ ବିଜେପି ସରକାର ଶପଥ ଗ୍ରହଣ କରିବ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ଦେଖାଇବା ପରେ ଏହା ସ୍ପଷ୍ଟ ହୋଇଯାଇଛି ।

ବ୍ରହ୍ମପୁର ଓ ନବରଙ୍ଗପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରଣହୁଙ୍କାର ପରେ ରାଜ୍ୟ ବିଜେପି ଶିବିରରେ ଉତ୍ସାହ ଭରିଯାଇଛି । ୧୦ ତାରିଖରେ ପୁଣି ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ।
ଭୁବନେଶ୍ୱରରେ ରୋଡ୍ ସୋ’ କରିବେ ମୋଦୀ
ସନ୍ଧ୍ୟା ୬ଟାରେ ମାଷ୍ଟରକ୍ୟାଂଟିନ୍ ଛକରୁ ବାଣୀବିହାର ପର୍ଯ୍ୟନ୍ତ ଚାଲିବ ମୋଦୀଙ୍କ ରୋଡ୍ ସୋ’
ମାତ୍ର ୩ ଦିନ ବ୍ୟବଧାନରେ ଏହା ହେବ ମୋଦୀଙ୍କ ଦ୍ୱିତୀୟ ଗସ୍ତ । ୧୧ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ କାର୍ଯ୍ୟକ୍ରମ ରହିଛି । ସେଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।
ଦୁଇ ଦିନରେ ଆସୁଛନ୍ତି ୨ କେନ୍ଦ୍ରମନ୍ତ୍ରୀ ଓ ୨ ବିଜେପି ମୁଖ୍ୟମନ୍ତ୍ରୀ
ପ୍ରଚାର ପାଇଁ ଓଡ଼ିଶା ଆସିବେ ଡ୍ରିମ୍ ଗାର୍ଲ ହେମା ମାଳିନୀ
ପ୍ରଚାରକୁ ଆହୁରି ଶାଣୀତ କରିବା ପାଇଁ ବିଜେପିର ବଡ଼ ବଡ଼ ନେତା ଆସୁଛନ୍ତି ଓଡ଼ିଶା ।
କାଲି ରାୟଗଡ଼ା ଓ ନବରଙ୍ଗପୁରରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ଜନସଭା
୯ ତାରିଖରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କାରୀଙ୍କ ପୁରୀ ଗସ୍ତ
ନବରଙ୍ଗପୁରରେ ଜନସଭା କରିବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଚିତ୍ରକୋଣ୍ଡା ଓ ଖଲ୍ଲିକୋଟ ଗସ୍ତ କାର୍ଯ୍ୟକ୍ରମ

ସେହିପରି ଓଡ଼ିଶାରେ ନିର୍ବାଚନ ପ୍ରଚାର ପାଇଁ ଆସିବେ ଡ୍ରିମ୍ ଗାର୍ଲ ହେମା ମାଳିନୀ । ରାଜ୍ୟ ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ସାଂସଦ ହେମା ମାଳିନୀଙ୍କ ନାଁ ସ୍ଥାନ ପାଇଛି । ଏହା ସହ ଅର୍ଜୁନ ମୁଣ୍ଡା, ବିଷ୍ଣୁଦେବ ସାଏଙ୍କ ନାଁ ମଧ୍ୟ ଷ୍ଟାର ପ୍ରଚାରକ ତାଲିକାରେ ରଖାଯାଇଛି ।

ଗୋଟିଏ ପଟେ କେନ୍ଦ୍ରୀୟ ନେତାଙ୍କୁ ନେଇ ବିଜେପି ପୂରା ଦମ୍ ଲଗାଇ ଦେଇଥିବା ବେଳେ ବିଜେଡିର ଏକ ନମ୍ବର ଷ୍ଟାର ପ୍ରଚାରକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୨ ନମ୍ବର ଷ୍ଟାର ପ୍ରଚାରକ କାର୍ତିକ ପାଣ୍ଡିଆନ୍ ବିଭିନ୍ନ ନିର୍ବାଚନ କ୍ଷେତ୍ରକୁ ଘନ ଘନ ଗସ୍ତ କରି ଭୋଟ୍ ଅପିଲ୍ କରୁଛନ୍ତି । ଜନସଭା ଓ ରୋଡ ସୋ’ କରି ବିରୋଧୀଙ୍କୁ ଟାର୍ଗେଟ କରିବା ସହ ସରକାରଙ୍କ ୨୫ ବର୍ଷର ସଫଳତା ସଂପର୍କରେ ବୁଝାଉଛନ୍ତି । ଏପଟେ ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କ ଗସ୍ତ ଓଡ଼ିଶାରେ କିଛି ପ୍ରଭାବ ପକାଇବ ନାହିଁ ବୋଲି କହିଛି ବିଜେଡି ।

ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ରାଜ୍ୟର ସବୁ ନିର୍ବାଚନମଣ୍ଡଳୀ ଉପରେ ଫୋକସ କରୁଛନ୍ତି ଉଭୟ ବିଜେଡି ଓ ବିଜେପି । ସୂଚନା ଅନୁସାରେ ଓଡ଼ିଶାର ଅଧିକାଂଶ ଲୋକସଭା କ୍ଷେତ୍ରରେ ଜନସଭା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।