ପୁଣି ରାଜ୍ୟରେ ଶଶିକଳା ସିଣ୍ଡ୍ରୋମର କଥା ଉଠାଇଲେ ଧର୍ମେନ୍ଦ୍ର ପ୍ରଧାନ । ଜବାବ୍ ରଖିଲେ ମନ୍ତ୍ରୀ ଅଶୋକ ପଣ୍ଡା । ପଢନ୍ତୁ, କିଏ କହିଲେ କଣ ?

233

କନକ ବ୍ୟୁରୋ: ପୁଣିଥରେ ରାଜ୍ୟ ରାଜନୀତିରେ ଶଶିକଳା ସିଣ୍ଡ୍ରୋମର କଥା ଉଠାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୋମବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଲାବେଳେ, କେନ୍ଦ୍ରମନ୍ତ୍ରୀ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଯେ, ବିଗତ ଚାରି ମାସ ଭିତରେ ଦୁଇ ତିନୋଟି କଥାକୁ ସେ ମର୍ଯ୍ୟାଦା ଭିତରେ କହିଥିଲେ । ଝାରସୁଗୁଡା ଉପ ନିର୍ବାଚନ ବେଳେ ବି ସେହି କଥା କହିଥିଲେ । ରାଜ୍ୟରେ ଏବେ ଶଶିକଳା ସିଣ୍ଡ୍ରୋମର ଲକ୍ଷଣ ଦେଖାଗଲାଣି । ହେଲେ ସମସ୍ତେ ଗଣତନ୍ତ୍ରର ଲକ୍ଷ୍ମଣରେଖା ଭିତରେ ରହିବା ଉଚିତ୍ । ହେଲେ ଆମ ରାଜ୍ୟରେ ଏ ସବୁର ସୀମା ଉଲ୍ଲଂଘନ ହେଉଛି ବୋଲି ସେ କହିଛନ୍ତି।

ଅନ୍ୟପଟେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ନିଜ ନିର୍ବାଚନରେ ବିରୋଧ ହେବା ପ୍ରସଙ୍ଗରେ ଧର୍ମେନ୍ଦ୍ର କହିଛନ୍ତି ଯେ, ବିରୋଧ କରିବାକୁ ପ୍ରାୟୋଜିତ ଯୋଜନା ହେଉଛି । ଏହା ପଛରେ ଷଡଯନ୍ତ୍ରକାରୀ ହେଉଛନ୍ତି ପ୍ରଶାସନିକ ଅଧିକାରୀ । ତେବେ ଇଷ୍ଟଇଣ୍ଡିଆ କମ୍ପାନୀର ରାଜୁତି ସମୟରେ ମଧ୍ୟ ଅଧିକାରୀମାନଙ୍କର ଦମ୍ଭ ଏହିଭଳି ଥିଲା ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ସେପଟେ ଶଶିକଳା ସିଣ୍ଡ୍ରୋମକୁ ନେଇ ଧର୍ମେନ୍ଦ୍ରଙ୍କ ପ୍ରତିକ୍ରିୟା ପରେ ଏହାର ଜବାବ ରଖିଛି ବିଜେଡି । ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ କେଉଁ ପରିପ୍ରେକ୍ଷୀରେ ଶଶିକଳା ସିଣ୍ଡ୍ରୋମ କଥା କହିଥିବେ ସେ କଥା ସେ ଜାଣିଥିବେ । ମୁଖ୍ୟମନ୍ତ୍ରୀ ସବୁ କିଛି କରୁଛନ୍ତି । ମନ୍ତ୍ରୀ ଓ ବିଧାୟକ ବି ତାଙ୍କ କାମ କରୁଛନ୍ତି । ସିଣ୍ଡ୍ରୋମ କଥା ସେ ଅନୁଭବ କରୁନାହାଁନ୍ତି । ସେମିତି ଟିକିଏ କିଛି ବି କଥା ସେ ଅନୁଭବ କରୁନାହାଁନ୍ତି । ତେବେ କେନ୍ଦ୍ର ମନ୍ତ୍ରୀ କଣ ଅନୁଭବ କରିଥିବେ ସେ କଥା ତାଙ୍କୁ ଜଣା ବୋଲି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ।

ସେହିପରି ରାଜ୍ୟରେ ଗଣତନ୍ତ୍ର ନାହଁ ବୋଲି କେନ୍ଦ୍ରମନ୍ତ୍ରୀ କହିବା ପରେ, ଏହାର ଉତ୍ତର ଦେଇ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ଯେ, ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣତନ୍ତ୍ର ନାହିଁ ବୋଲି କେମିତି କହୁଛନ୍ତି ? ତେବେ କେନ୍ଦ୍ରରେ ଯେଉଁ ସରକାର ଅଛି ସେ ଗଣତାନ୍ତ୍ରିକ ସରକାର ନୁହଁନ୍ତି କି ?ସେଠି ଗଣତାନ୍ତ୍ରିକ ସରକାର ଏଠି ଅଗଣତାନ୍ତ୍ରିକ ସରକାର ? ଏଇଟା କେଉଁ ମାପ କାଠି ? ବୋଲି ପ୍ରଶ୍ନ କରିଛନ୍ତି ସାମାଜିକ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ।