ତମାଖୁ ଜାତୀୟ ସାମଗ୍ରୀ ଉପରେ ଟିକସ ବଢ଼ାଇବାକୁ ଦାବି । କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରାଳୟକୁ ପରାମର୍ଶ ଦେଲେ ଡାକ୍ତର ଓ ପବ୍ଲିକ ହେଲ୍ଥ ଗ୍ରୁପ

236

କନକ ବ୍ୟୁରୋ: ତମାଖୁ ଜାତୀୟ ବିଭିନ୍ନ ପ୍ରକାର ସାମଗ୍ରୀ ଯଥା, ସିଗାରେଟ, ବିଡି ଏବଂ ଧୂମବିହୀନ ତମାଖୁ ଉପରେ ବଜେଟରେ ଟିକସ ବଢ଼ାଇବା ପାଇଁ ବିଶେଷଜ୍ଞମାନେ ଅର୍ଥ ମନ୍ତ୍ରାଳୟକୁ ପରାମର୍ଶ ଦେଇଛନ୍ତି। ସମସ୍ତ ପ୍ରକାର ତମାଖୁ ଜାତୀୟ ଉତ୍ପାଦ ଉପରେ ଉତ୍ପାଦ ଶୁଳ୍କ ବଢ଼ାଇବା ପାଇଁ ସେମାନେ ମତ ଦେଇଛନ୍ତି। ଦେଶରେ ତମାଖୁଜନିତ ସାମଗ୍ରୀର ବ୍ୟବହାର ହ୍ରାସ କ୍ଷେତ୍ରରେ ଟିକସ ବୃଦ୍ଧି ଏକ ଗୁରୁତ୍ବପୂର୍ଣ୍ଣ ମାଧ୍ୟମ। ଅଧିକାଂଶ ଦେଶ ଏହି ଉପାୟକୁ ଆପଣାଇଛନ୍ତି। ନିକଟରେ ହୋଇଥିବା ଏକ ଅନୁଧ୍ୟାନ ଅନୁଯାୟୀ, ସିଗାରେଟ, ବିଡି ଏବଂ ଧୂମବିହୀନ ତମାଖୁ ଗତ ୧୦ ବର୍ଷ ମଧ୍ୟରେ ଅଧିକରୁ ଅଧିକ ସୁଲଭ ହେବାରେ ଲାଗିଛି। ନିକଟରେ ସିଗାରେଟ ଉପରେ ଏନସିସିଡି( ନ୍ୟାସନାଲ କାଲାମିଟି କଣ୍ଟିଜେଣ୍ଟ ଡ୍ୟୁଟିଜ୍)ରେ ସାମାନ୍ୟ ବୃଦ୍ଧି କରାଯାଇଛି। ଏହାକୁ ବାଦ୍ ଦେଲେ ତମାଖୁଜାତୀୟ ଅନ୍ୟ ଉତ୍ପାଦ ଉପରେ ୨୦୧୭ ଜୁଲାଇରେ ଜିଏସଟି ଲାଗୁ ହେବା ପରଠାରୁ ଟିକସ ବୃଦ୍ଧି ହୋଇନାହିଁ ବୋଲି କୋଚିସ୍ଥିତ ରାଜାଗିରି କଲେଜ ଅଫ୍ ସୋସିଆଲ ସାଇନସେସର ଆଡଜଙ୍କଟ ପ୍ରଫେସର ଡ ରିଜୋ ଜନ୍ କହିଛନ୍ତି।

ସମସ୍ତ ପ୍ରକାର ଟିକସକୁ ମିଶାଇଲେ ସିଗାରେଟ ଉପରେ ଟିକସ ବୋଝ ପ୍ରାୟ ୪୯.୩ ପ୍ରତିଶତ ରହିଛି ଏବଂ ବିଡି ଉପରେ ୨୨ ପ୍ରତିଶତ ଟିକସ ଏବଂ ଧୂମବିହୀନ ତମାଖୁ ଉପରେ ୬୩ ପ୍ରତିଶତ ଟିକସ ଆଦାୟ ହେଉଛି। କିନ୍ତୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସୁପାରିସ ଅନୁସାରେ ତମାଖୁଜାତୀୟ ଉତ୍ପାଦର ଖୁଚୁରା ମୂଲ୍ୟ ଉପରେ ଟିକସ ବୋଝ ଅତିକମରେ ୭୫ ପ୍ରତିଶତ ହେବା ଆବଶ୍ୟକ। ତେଣୁ ବଜେଟରେ ତମାଖୁଜାତୀୟ ଉତ୍ପାଦ ଉପରେ ଟିକସ ବୃଦ୍ଧି ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

ମହାମାରୀ ପରି ତମାଖୁ ଭାରତରେ ବର୍ଷକୁ ୧୩ ଲକ୍ଷ ଲୋକଙ୍କ ଜୀବନ ନେଉଛି। ତେଣୁ ଲୋକଙ୍କ ଠାରୁ ଏହି ଉତ୍ପାଦ ଯେଭଳି ଦୂରରେ ରହିବ ସେଥିପାଇଁ ପଦକ୍ଷେପ ନିଆଯିବା ଆବଶ୍ୟକ। ଭାରତରେ ପ୍ରାୟ ୫୦ ପ୍ରତିଶତ କର୍କଟ ରୋଗ ତମାଖୁ ଯୋଗୁ ହେଉଛି। ତେଣୁ ଟିକସ ବଢ଼ିଲେ ଏହାର ବ୍ୟବହାର କମିବ ବୋଲି ଟାଟା ମେମୋରିଆଲ ହସ୍ପିଟାଲର କର୍କଟ ରୋଗ ବିଶେଷଜ୍ଞ ଡା ପଙ୍କଜ ଚତୁର୍ବେଦୀ କହିଛନ୍ତି। ଭାରତରେ ବିଶ୍ବର ଦ୍ବିତୀୟ ସର୍ବାଧିକ ତମାଖୁ ବ୍ୟବହାରକାରୀ (୨୬୮ ନିୟୁତ) ଲୋକ ରହିଛନ୍ତି।