ଦିଲ୍ଲୀକୁ ଜାଣିଶୁଣି ବୁଡେଇ ଦିଆଯାଇଛି, ଦିଲ୍ଲୀ ବୁଡିବା ପଛରେ ବିଜେପି ଦାୟୀ । ରାଜଧାନୀ ଦିଲ୍ଲୀରେ ବନ୍ୟାସ୍ଥିତି ନେଇ ଏମିତି କହିଲେ ଆପ୍ ନେତା । 

1,758

କନକ ବ୍ୟୁରୋ: ପ୍ରବଳ ବର୍ଷା ପରେ ଏବେ ଯମୁନାର ଜଳ, ରାଜଧାନୀ ଦିଲ୍ଲୀକୁ ଦେଉଛି ଯମ ଯନ୍ତ୍ରଣା । ଚାରିଆଡେ କେବଳ ପାଣି ଆଉ ପାଣି ଥିବାବେଳେ, ଜଳବନ୍ଦ ହେଇ ଜୀବନ କାଟୁଛନ୍ତି ଦିଲ୍ଲୀବାସୀ । ତେବେ ଦିଲ୍ଲୀରେ ଆସିଥିବା ଏହି ବନ୍ୟାକୁ ନେଇ ଏବେ ଆରମ୍ଭ ହେଇଯାଇଛି ଆରୋପ-ପ୍ରତ୍ୟାରୋପର ରାଜନୀତି । ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ଆପ୍ ନେତା ସୌରଭ ଭରଦ୍ୱାଜ କହିଛନ୍ତି ଯେ, ଦିଲ୍ଲୀକୁ ଜାଣିଶୁଣି ବୁଡାଯାଇଛି, ଏଥିପାଇଁ ଦାୟୀ ହେଉଛି ବିଜେପି ।

ସୌରଭ ଭରଦ୍ୱାଜଙ୍କ କହିବା କଥା, ଦିଲ୍ଲୀକୁ ଜାଣିଶୁଣି ବୁଡେଇ ଦିଆଯାଇଛି । ହଥିନୀ କୁଣ୍ଡ ବ୍ୟାରେଜରୁ ଅତିରିକ୍ତ ପାଣି ଛଡାଯାଇ ଦିଲ୍ଲୀକୁ ଜାଣିଶୁଣି ବୁଡେଇ ଦିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଖାଲି ସେତିକି ନୁହେଁ, ସୁପ୍ରିମକୋର୍ଟ ସମେତ ଦିଲ୍ଲୀର ପ୍ରମୁଖ ସଂସ୍ଥା ଗୁଡିକୁ ବୁଡେଇବାକୁ ଚକ୍ରାନ୍ତ କରାଯାଇଛି ବୋଲି ସେ କହିଛନ୍ତି ।

ଅନ୍ୟପଟେ ସାଂସଦ ସଞ୍ଜୟ ସିଂହଙ୍କ କହିବା କଥା, ହିମାଚଳ, ପଞ୍ଜାବ, ହରିୟାଣା ଏବଂ ଦିଲ୍ଲୀ ବନ୍ୟା ଦ୍ୱାରା ପ୍ରଭାବିତ ହେଇଛି । ଗତ ତିନି ଧରି ଦିଲ୍ଲୀରେ ପ୍ରବଳ ବର୍ଷା ହେଇଛି । ଯେଉଁ କାରଣରୁ ଏପରି ଦୁର୍ଦ୍ଦଶା ଭୋଗିବାକୁ ପଡିଛି । ତେବେ ଦିଲ୍ଲୀକୁ ବର୍ବାଦ କରିବାକୁ ଚକ୍ରାନ୍ତ କରାଯାଇଛି । ମୋଦୀଙ୍କର ଦିଲ୍ଲୀ ପ୍ରତି ଘୃଣା ରହିଛି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ,  ଦିଲ୍ଲୀକୁ ଦୋହଲାଇ ଦେଇଛି ଯମୁନା ନଦୀ ବନ୍ୟା ପାଣି । ପୂରା ରାଜଧାନୀରେ ଯେଉଁଠି ଆଖି ପଡୁଛି ସବୁଠି କେବଳ ବନ୍ୟାପାଣି । ସୁପ୍ରିମକୋର୍ଟଠୁ ନେଇ ଶଶ୍ମାନଘାଟ । ମୁଖ୍ୟମନ୍ତ୍ରୀ ଆବାସଠୁ ନେଇ ସରକାରୀ କାର୍ଯ୍ୟାଳୟ । ସବୁ କିଛି ଯମୁନା ପାଣିରେ ଉବୁଟୁବୁ ହେଉଛି । ବନ୍ୟାପାଣି ପଶିବାଯୋଗୁଁ ରାଜଧାନୀ ଦିଲ୍ଲୀକୁ ପିଇବାପାଣି ଯୋଗାଉଥିବା ତିନୋଟି ୱାଟର ପ୍ଲାଣ୍ଟ ବନ୍ଦ ହୋଇପଡିଛି । ଗୋଟେପଟେ ବନ୍ୟାପାଣିରେ ରାଜଧାନୀବାସୀ ଉବୁଟୁବୁ ହେଉଥିବାବେଳେ ଅନ୍ୟପଟେ ପିଇବା ପାଇଁ ମିଳୁନି ପାଣି । ସେପଟେ ବନ୍ୟା ଅଂଚଳକୁ ଯାଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପରାଜ୍ୟପାଳ ଭିକେ ସକସେନା ସ୍ଥିତିର ସମୀକ୍ଷା କରିଛନ୍ତି ।