ରାଜଧାନୀରେ ମାତିଛନ୍ତି ନିଶାଡ଼ି । ଅଧ ରାତିରେ ରଙ୍ଗମାଟିଆରେ ବିଏମସି ଠିକା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ । ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବଞ୍ଚିଗଲେ ଯୁବକ । 

146

କନକ ବ୍ୟୁରୋ: ରାଜଧାନୀରେ ଦିନକୁ ଦିନ କେମିତି ବ୍ରାଉନସୁଗାର କାରବାର ବଢ଼ି ଚାଲିଛି । ଆଉ ସନ୍ଧ୍ୟା ହେଲେ ବ୍ରାଉନସୁଗାର ଖାଉଥିବା ନିଶାଡି ମାନେ ରାସ୍ତାରେ ଯାଉଥିବା ଲୋକଙ୍କୁ ଆକ୍ରମଣ କରୁଛନ୍ତି, ତାହା ସାମନାକୁ ଆସିଛି । ତେବେ ସୌଭାଗ୍ୟବଶତଃ ନିଶାଡିଙ୍କ ଆକ୍ରମଣ ଶିକାର ହୋଇଥିବା ଯୁବକ ନିଜ ବୁଦ୍ଧି ଯୋଗୁଁ ବଞ୍ଚିଯାଇଛନ୍ତି ।

  • ସ୍ଥାନ- ରଙ୍ଗମାଟିଆ, ମଞ୍ଚେଶ୍ୱର 
  • ସମୟ – ମଙ୍ଗଳବାର ରାତି 

ଇନ୍ଦ୍ରଜିତ୍ ନାୟକ ନାମକ ବିଏମସିର ଠିକା କର୍ମଚାରୀ, ନିଜ ଡ୍ୟୁଟି ସାରି ବାଇକ୍ ଯୋଗେ ଘରକୁ ଫେରୁଥିଲେ । ରଙ୍ଗମାଟିଆ ଛକରୁ କିଛି ଦୂରରେ ୭ରୁ ୮ଜଣ ଯୁବକ ତାଙ୍କୁ ଏକୁଟିଆ ପାଇ ଘେରି ଯାଇଥିଲେ । ଆକ୍ରମଣ କରି ମାଡ ମାରିଥିଲେ । ଯେଉଁଥିରେ ଇନ୍ଦ୍ରଜିତ ଲହୁ ଲୁହାଣ ହୋଇଯାଇଥିଲେ । ନିଶାଡିଙ୍କ ଆକ୍ରମଣାରେ ସେ ଭୟଭୀତ ହୋଇପଡିଥିଲେ  । ଜୀବନ ଯିବାର ଭୟ ଥିବାରୁ ସେ ବାଇକକୁ ଫୋପାଡି ସେଠାରୁ ଦୌଡି ପଳାଇବାକୁ ଉଦ୍ୟମ କରିଥିଲେ । ହେଲେ ନିଶାଡିମାନେ ତାଙ୍କୁ ଛାଡି ନଥିଲେ ।

  • ବୁଦ୍ଧି ଯୋଗୁଁ ବଞ୍ଚିଗଲେ ଇନ୍ଦ୍ରଜିତ୍ 
  • ଡ୍ରେନ୍ ଭିତରେ ଗୁରୁଣ୍ଡି ଗୁରୁଣ୍ଡି ଗଲେ 

ଇନ୍ଦ୍ରଜିତଙ୍କୁ ଘେରିଥିବା ନିଶାଡିମାନଙ୍କ ମଧ୍ୟର ଜଣେ ଦୁବୃର୍ତ୍ତ ଏକ ପଥର ଧରି ତାଙ୍କ ଉପରକୁ ଫୋପାଡି ଦେବାକୁ ବସିଥିଲା । ଏହି ସମୟରେ ଉପସ୍ଥିତ ବୁଦ୍ଧି ଖଟାଇ ଇନ୍ଦ୍ରଜିତ୍ ଡ୍ରେନ୍ ସ୍ଲାବ ତଳକୁ ଚାଲି ଯାଇଥିଲେ । ଫଳରେ ପଥରଟି ତାଙ୍କ ଦେହରେ କି ମୁଣ୍ଡରେ ବାଜି ନଥିଲା । ହେଲେ, ଉପରକୁ ଆସିଲେ ନିଶାଡିମାନେ ତାଙ୍କୁ ମାରି ଦେଇପାରନ୍ତି ଭାବି ସେ ଡ୍ରେନରେ ପଡିଥିବା ସ୍ଲାବ ତଳେ ଗୁରୁଣ୍ଡି ଗୁରୁଣ୍ଡି ଯାଇଥିଲେ । ଗାଁ ଛକ ନିକଟ ହେବା ପରେ ଡ୍ରେନରୁ ବାହାରି ପାଖରେ ଥିବା କ୍ଲବ ପିଲାଙ୍କୁ ଡାକ ପକାଇଥିଲେ ।

ଗାଁ ଯୁବକମାନେ ନିଶାଡିଙ୍କୁ କାବୁ କରିବା ସହ ପୁଲିସକୁ ଖବର ଦେଇଥିଲେ । ଆହତ ଇନ୍ଦ୍ରଜିତଙ୍କୁ ହସ୍ପିଟାଲକୁ ପଠାଇଥିଲେ । ଏହି ଘଟଣାରେ ମଞ୍ଚେଶ୍ୱର ଥାନା ପୋଲିସ ୪ଜଣଙ୍କୁ ଧରି ପଚରାଉଚୁରା କରୁଛି । ତେବେ ଇନ୍ଦ୍ରଜିତଙ୍କ କହିବା ଅନୁସାରେ ଗାଁ ନିକଟରେ ବ୍ରାଉନସୁଗାର କାରବାରକୁ ସେ ବିରୋଧ କରିଥାନ୍ତି । ଯାହା ତାଙ୍କ ପାଇଁ ମହଙ୍ଗା ପଡିଛି । ହକି ମହାକୁମ୍ଭ ପାଇଁ ରାଜଧାନୀ ସଜେଇ ହେଉଥିବାବେଳେ ନିଶାଡିଙ୍କ ଏଭଳି କାର୍ଯ୍ୟ ସହରର ସୁରକ୍ଷା ଉପରେ ପ୍ରଶ୍ନଚିହ୍ନ ଲଗାଇଛି । ପ୍ରଶ୍ନ ଉଠୁଛି, ରାତିରେ ନିଶାରେ ଟଳୁଥିବା ଯୁବକଙ୍କ ବିରୋଧରେ କାହିଁକି କଡା କାର୍ଯ୍ୟାନୁଷ୍ଠାନ ନେଉନି ପୋଲିସ?