ପୁଣି ଥରେ ପଦାରେ ପଡିଲା ଦାମ-ଦେବାଶିଷ କଳି । ଦେବାଶିଷ ପାରାଦୀପରେ ବୁଲିବା ପରେ ଚିହିଁକି ଉଠିଲେ ଦାମ 

872

କନକ ବ୍ୟୁରୋ: ପୁଣି ଥରେ ପଦାରେ ପଡିଲା ଦାମ-ଦେବାଶିଷ୍ କଳି । ବରିଷ୍ଠ ବିଜେଡି ନେତା ଦେବାଶିଷ୍ ସାମନ୍ତରାୟ ପାରାଦୀପରେ ବୁଲିବା ପରେ ଚିହିଁକି ଉଠିଛନ୍ତି ଦାମ ରାଉତ । ଦେବାଶିଷ୍ ପାରାଦୀପରେ ବୁଲିବାକୁ ଦାମ ସହଜରେ ଗ୍ରହଣ କରିପାରି ନାହାନ୍ତି । ଏଥିସହ ପୁଅ ସମ୍ବିତଙ୍କ ଟିକେଟ କାଟିବା ପାଇଁ ଦେବାଶିଷ୍ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି । କିନ୍ତୁ ଦାମଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଦେବାଶିଷ ।

ଦାମୋଦର ରାଉତ ଏବଂ ଦେବାଶିଷ୍ ସାମନ୍ତରାୟ ହେଉଛନ୍ତି ଜଗତସିଂହପୁର ଜିଲ୍ଳାର ଦୁଇ ବରିଷ୍ଠ ନେତା । ଉଭୟ ଜଗତସିଂହପୁର ଜିଲ୍ଳାରୁ ବିଧାନସଭାକୁ ଏକାଧିକ ଥର ନିର୍ବାଚିତ ହୋଇଛନ୍ତିି । କିନ୍ତୁ ପରବର୍ତ୍ତୀ ସମୟରେ ଦେବାଶିଷ୍ ଜଗତସିଂହପୁର ଜିଲ୍ଲା ଛାଡି କଟକରୁ ଆସି ବିଧାନସଭାରୁ ନିର୍ବାଚିତ ହୋଇଥିଲେ । ହେଲେ, ୨୦୧୯ରେ ନିର୍ବାଚନ ହାରିବା ପରେ, ଏବେ ଦେବାଶିଷ୍ ସାମନ୍ତରାୟ ପାରାଦୀପ ଅଞ୍ଚଳରେ ବୁଲୁଛନ୍ତି । ଯାହାକୁ ନେଇ ଚିହିଁକି ଉଠିଛନ୍ତିି ଦାମୋଦର ରାଉତ । କହିଛନ୍ତିି, ଦେବାଶିଷ୍ ପୁଅ ସମ୍ବିତଙ୍କ ଟିକେଟ କାଟିବା ପାଇଁ ଉଦ୍ୟମ କରୁଛନ୍ତି । ଆଉ ସେଥିପାଇଁ ପାରାଦୀପରେ ବୁଲୁଛନ୍ତି ।

ଦାମଙ୍କ ଅଭିଯୋଗ ପରେ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି, ଦେବାଶିଷ୍ ସାମନ୍ତରାୟ । କହିଛନ୍ତି, କେବେ କହିନି କି କେବେ ଇଛା ପ୍ରକାଶ କରିନି? ସବୁ ଗଣମାଧ୍ୟମକୁ କହିଛି କଟକରୁ ଠିଆ ହେବି । କିନ୍ତୁ ବାପ ପୁଅଙ୍କୁ କେଉଁଠି ନିଆଁ ଲାଗିଲା ଜାଣିପାରୁନି । ସୂଚନାଯୋଗ୍ୟ ଯେ, ୨୦୧୯ରୁ ପାରାଦୀପରେ ଦାମ ରାଉତଙ୍କ ପୁଅ ସମ୍ବିତ ରାଉତରାୟ ବିଧାୟକ ଅଛନ୍ତିି । ଆଗକୁ ମଧ୍ୟ ପାରାଦୀପରୁ ଲଢ଼ିବେ ବୋଲି ଲକ୍ଷ୍ୟ ରଖିଛନ୍ତି । କିନ୍ତୁ ଦେବାଶିଷ ପାରାଦୀପରେ ବୁଲିବାକୁ ଦାମ ଓ ସମ୍ବିତ ସହଜରେ ଗ୍ରହଣ କରିପାରିନାହାନ୍ତିି ।