ପୁଣି ଆସିଲା ବାତ୍ୟା ଭୟ । ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ୬ ତାରିଖ ସୁଦ୍ଧା ହୋଇପାରେ ଲଘୁଚାପ

251

କନକ ବ୍ୟୁରୋ: ଦକ୍ଷିଣ ଆଣ୍ଡାମାନ ସାଗରରେ ଆଜି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହି ଘୂର୍ଣ୍ଣିବଳୟ ୬ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଏହାପରେ ଉତ୍ତର ପଶ୍ଚିମ ଦିଗକୁ ଗତି କରି ୮ ତାରିଖରେ ଅବପାତରେ ପରିଣତ ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ମେ ମାସରେ ସୃଷ୍ଟି ହେଉଥିବା ଲଘୁଚାପ ବାତ୍ୟାରେ ପରିଣତ ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ । ତେବେ ୬ ତାରିଖ ପରେ ଏହାର ଗତିପଥ ଜାଣିହେବ ।

  • ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ
  • ୬ ତାରିଖ ସୁଦ୍ଧା ସୃଷ୍ଟି ହେବ ଲଘୁଚାପ
  • ୮ ତାରିଖରୁ ବର୍ଷା ପବନ ଆଶଙ୍କା

ଧୀରେ ଧୀରେ ଆଶାନ୍ତ ହେଉଛି ଦକ୍ଷିଣ ଆଣ୍ଡାମାନ ସାଗର । ଉପର ବାୟୁମଣ୍ଡଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ୪୮ ଘଣ୍ଟା ଭିତରେ ଅର୍ଥାତ ୬ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ଆଶଙ୍କା ରହିଛି । ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାଶ୍ୱର୍ବର୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଅଧିକ ଘନୀଭୂତ ହେବା ସମ୍ଭାବନା ରହିଛି ।

ମେ’ ମାସରେ ଲଘୁଚାପ ସୃଷ୍ଟି ହେଲେ ଏହା ବାତ୍ୟାରେ ପରିଣତ ହେବା ଆଶଙ୍କା ଅଧିକ ରହିଥାଏ । କାରଣ ଏହି ସମୟରେ ବାତ୍ୟା ପାଇଁ ବାତାବରଣ ଅନୁକୂଳ ରହିଥାଏ । ଲଗାତର ଗତ ୩ ବର୍ଷ ଧରି ମେ’ ମାସରେ ବାତ୍ୟାକୁ ସାମ୍ନା କରିଛି ଓଡ଼ିଶା । ତେବେ ଆଶଙ୍କା କରାଯାଉଛି, ଆସନ୍ତା ୮ ତାରିଖରେ ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ । ୮ ତାରିଖରୁ ସମୁଦ୍ର ଭିତରେ ପବନର ବେଗ ବଢ଼ିବା ସମ୍ଭାବନା ରହିଛି । ଆକଳନ କରାଯାଉଛି, ଘଣ୍ଟା ପ୍ରତି ୫୫ରୁ ୬୫ କିଲୋମିଟର ବେଗରେ ପବନ ଆଗକୁ ବଢ଼ିବ, ଯାହା ୭୫ କିଲୋମଟିର ବେଗର ଝଟକା ଦେବ ।

ଲଘୁଚାପ ସୃଷ୍ଟି ହେବା ପରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ସେତିକି ବେଳେ ଏହାର ରୂପରେଖ ସ୍ପଷ୍ଟ ହେବ । ଓଡ଼ିଶା ଉପରେ ଏହାର କ’ଣ ପ୍ରଭାବ ରହିବ, ଏବେ ଠାରୁ କହିହେବନି ବୋଲି ପ୍ରତିକ୍ରିୟା ରଖିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେପଟେ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଣ୍ଟ ମଧ୍ୟ ବାତ୍ୟା ପାଇଁ ପାଗ ଅନୁକୂଳ ରହିଛି ବୋଲି କହିଛି ।