ବ୍ରଜରାଜନଗର ଉପ-ନିର୍ବାଚନ ବିଜୟ ପାଇଁ ବିଜେଡି ତିଆରି କଲା ରଣନୀତି । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ସର୍ବମାନ୍ୟ ବୋଲି ପାରିତ ହେଲା ସଂକଳ୍ପ

170

କନକ ବ୍ୟୁରୋ: ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ଏହାପରେ ଗଡ ଦଖଲ ପାଇଁ ରାଜନୈତିକ ଦଳମାନେ ନିଜ ନିଜ କସରତ ଆରମ୍ଭ କରି ଦେଇଛନ୍ତି । ତେଣୁ ପ୍ରାର୍ଥୀମାନେ ମଧ୍ୟ ଟିକେଟ ପାଇଁ ଲବି କରିବା ଆରମ୍ଭ କରି ଦେଇଛନ୍ତି କିନ୍ତୁ ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ ଦଳୀୟ କନ୍ଦଳକୁ ଏଡାଇବା ପାଇଁ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ପ୍ରୟାସ । ଆଜି ବିଜେଡିର ବୈଠକ ବସି ଏକ ସଂକଳ୍ପ ପାରିତ ହୋଇଛି, ଯେ ସଭାପତି ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ସମସ୍ତେ ଗ୍ରହଣ କରିବେ ।

ବ୍ରଜରାଜନଗର ଉପ-ନିର୍ବାଚନ ତାରିଖ ଘୋଷଣା ହେବା ପରେ ପ୍ରାର୍ଥୀ ଚୟନକୁ ନେଇ ରାଜନୈତିକ ଦଳ ମାନଙ୍କ ମଧ୍ୟରେ ଜୋରଦାର କସରତ ଆରମ୍ଭ ହୋଇଯାଇଛି । ଦଳ ଭିତରେ ଟିକେଟ ପାଇବା ପାଇଁ ଆଶାୟୀ ମାନେ ମଧ୍ୟ ଲବି ଆରମ୍ଭ କରିଦେଇଛନ୍ତି । ଆଉ ଏସବୁ ଭିତରେ ଦଳୀୟ କନ୍ଦଳକୁ ଏଡାଇବା ପାଇଁ ଆରମ୍ଭ ହୋଇଯାଇଛ ରଣନୀତି ।

  • ବ୍ରଜରାଜନଗର ପାଇଁ ବିଜେଡିର ସଂକଳ୍ପ
  • ନବୀନଙ୍କ ନିଷ୍ପତ୍ତିକୁ ଦେବେ ସମର୍ଥନ

ଶାସକ ବିଜେଡି ଆରମ୍ଭ କଲା ମିଶନ ବ୍ରଜରାଜନଗର । ଉପ-ନିର୍ବାଚନ ବିଜୟ ପାଇଁ ତିଆରି ହେଲା ରଣନୀତି । ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ମନ୍ତ୍ରୀ ନବ ଦାସ, ସୁଶାନ୍ତ ସିଂ ଓ ଝାରସୁଗୁଡା ଜିଲ୍ଲା ପର୍ଯ୍ୟବେକ୍ଷକ ସୁବାସ ସିଂ ଗ୍ରାଉଣ୍ଡ ଜିରୋରେ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ଦଳର ସର୍ବୋଚ୍ଚ ନେତା ନବୀନ ପଟ୍ଟନାୟକଙ୍କ ଉପରେ ଆସ୍ଥା ପ୍ରକଟ କରି ପାରିତ କଲେ ସଂକଳ୍ପ । ବ୍ରଜରାଜନଗର ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ପ୍ରାର୍ଥୀଙ୍କୁ ଚୟନ କରିବେ ତାଙ୍କୁ ମିଳିବ ପୂର୍ଣ୍ଣପ୍ରାଣ ସମର୍ଥନ ।

ଦଳ ଗଠନ ହେବା ପରଠାରୁ ଦିବଙ୍ଗତ ବିଧାୟକ କିଶୋର ମହାନ୍ତି ପ୍ରଥମ ଥର ପାଇଁ ବ୍ରଜରାଜନଗର ଆସନରେ ବିଜେଡିକୁ ଦେଇଥିଲେ ବିଜୟର ସ୍ୱାଦ । ତେଣୁ ତାଙ୍କର ଅକାଳ ବିୟୋଗ ପରେ ହେଉଥିବା ଉପ-ନିର୍ବାଚନରେ ଏହି ବିଜୟ ଧାରାକୁ ବଜାୟ ରଖିବାକୁ ଦଳ କରିବ ପ୍ରାଣମୂର୍ଚ୍ଛା ଉଦ୍ୟମ ।

  • ନବୀନଙ୍କ ନଜରରେ କିଏ?
  • ଜାରି ରହିବ କି ପୁରୁଣା ଧାରା?

ଉପ- ନିର୍ବାଚନରେ ବିଜୟର ଇତିହାସ ବିଜେଡି ସପକ୍ଷରେ ରହି ଆସିଛି । ପ୍ରାର୍ଥୀ ଚୟନରେ ମଧ୍ୟ ମୁଖିଆ ଖେଳି ଆସୁଛନ୍ତି ମାଷ୍ଟରଷ୍ଟ୍ରୋକ । ପିପିଲିରେ ପ୍ରଦୀପ ମହାରଥୀଙ୍କ ପରେ ପୁଅ ରୁଦ୍ର ମହାରଥୀ, ବିଜେପୁରରେ ସୁବଳ ସାହୁଙ୍କ ପରେ ପତ୍ନୀ ରୀତା ସାହୁ, ପାଟକୁରାରେ ବେଦ ପ୍ରକାଶ ଅଗ୍ରୱାଲଙ୍କ ପରେ ପତ୍ନୀ ସାବିତ୍ରୀ ଅଗ୍ରୱାଲ ଓ ତିର୍ତ୍ତୋଲରେ ବିଷ୍ଣୁ ଦାସଙ୍କ ପରେ ପୁଅ ବିଜୟ ଶଙ୍କର ଦାସଙ୍କୁ ଟିକେଟ ଦେଇ ସଫଳତା ପାଇଛନ୍ତି ନବୀନ । ତେଣୁ ସମାନ ଫର୍ମୁଲା ଆପଣାଇ ସ୍ୱର୍ଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ମୈଦାନରେ ଅବତୀର୍ଣ୍ଣ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏପଟେ କଂଗ୍ରେସ ଟିକେଟ ପାଇଁ ତିନି ଦାବିଦାରଙ୍କ ନାଁ ସାମ୍ନାକୁ ଆସିଛି । ଅନ୍ୟପଟେ ବିଜେପିର ପ୍ରାର୍ଥୀତ୍ୱକୁ ନେଇ ପ୍ରଶ୍ନରେ ସଂଘୀୟ ବ୍ୟବସ୍ଥାରେ ସଂସଦୀୟ ଦଳର ନିଷ୍ପତ୍ତି ପରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ବୋଲି କହିଛି ଦଳ ।