ଗୋପାଳ ଦାସ ବାଇକକୁ ଜବତ କଲା କ୍ରାଇମବ୍ରାଞ୍ଚ: ଗୁଳିକାଣ୍ଡ ପରେ ଏହି ବାଇକରେ ଖସିଯିବାକୁ ଚେଷ୍ଟା କରୁଥିଲା ଗୋପାଳ

374

କନକ ବ୍ୟୁରୋ: ତଦନ୍ତ ଚାଲିଛି, ସମୟ ଗଡୁଛି, ହେଲେ ମାମଲାର ମୂଳରେ ପହଂଚି ପାରୁନାହିଁ କ୍ରାଇମବ୍ରାଞ୍ଚ । ଏହାରି ଭିତରେ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ ୫ ଦିନ ବିତିଲାଣି । କିନ୍ତୁ ମୃତ୍ୟୁ ପଛର ରହସ୍ୟ ଏବେ ବି ରହସ୍ୟ ହୋଇ ରହିଛି । କାହିଁକି ମନ୍ତ୍ରୀଙ୍କୁ ଗୋପାଳ ଦାସ ଗୁଳି କରି ହତ୍ୟା କଲା, ଏହା ଜାଣିବାକୁ ସାରା ଓଡିଶା ଉକ୍ରଣ୍ଠାର ସହ ଅପେକ୍ଷା କରିଛି । ହେଲେ ହତ୍ୟାକାଣ୍ଡର ପ୍ରକୃତ କାରଣ ପାଖରେ ତଦନ୍ତକାରୀ ଦଳ ପହଂଚି ପାରିନାହିଁ । କିନ୍ତୁ ତଦନ୍ତ ପ୍ରକ୍ରିୟା ଭିତରେ ଗୋଟିଏ ପରେ ଗୋଟିଏ ରୋଚକ ତଥ୍ୟ ସାମ୍ନାକୁ ଆସୁଛି । ଗୋପାଳର ବାଇକକୁ କ୍ରାଇମସ୍ପଟରୁ ଜବତ କରିଛି କ୍ରାଇମବ୍ରାଂଚ । କୁହାଯାଇଛି, ବାଇକରେ ଘଟଣାସ୍ଥଳକୁ ଆସି, ମନ୍ତ୍ରୀଙ୍କୁ ଗୁଳି କରିବା ପରେ ସେହି ବାଇକରେ ଖସିଯିବାକୁ ଗୋପାଳ ଯୋଜନା କରିଥିଲା । ଏପରିକି ମନ୍ତ୍ରୀଙ୍କ ସଭାସ୍ଥଳରୁ ଅଳ୍ପ ଦୂରରେ ଗାଡି ରଖିଥିଲା ଗୋପାଳ ।

ଜବତ ବାଇକର ନଂବର ହେଉଛି ହିରୋହୋଣ୍ଡା ପ୍ୟାସନ ପ୍ରୋ ଓଆର-୨୩ଇ୬୮୧୮ । ମନ୍ତ୍ରୀଙ୍କୁ ଗୁଳି କରି ଘଟଣାସ୍ଥଳରୁ ଖସିଯିବାକୁ ଉଦ୍ୟମ କଲା ବେଳେ ଗୋପାଳକୁ କାବୁ କରିନେଇଥିଲେ ଉପସ୍ଥିତ ପୁଲିସ କର୍ମଚାରୀ ଓ ନବଙ୍କ ସମର୍ଥକ । ଫଳରେ ବାଇକ ଧରି ଘଟଣାସ୍ଥଳରୁ ଚମ୍ପଟ ମାରିବା ଯୋଜନା ଗୋପାଳର ଫେଲ ହୋଇଯାଇଥିଲା । ତେବେ ପ୍ରଶ୍ନ ଉଠୁଛି ମନ୍ତ୍ରୀଙ୍କ ଗସ୍ତ ସମୟରେ ସୁରକ୍ଷା ପାଇଁ ନିୟୋଜିତ ସମସ୍ତ ସୁରକ୍ଷାକର୍ମୀଙ୍କୁ ଗାଡି ନେଇ ସଭାସ୍ଥଳରେ ଛାଡିଥିଲା । ହେଲେ ଗୋପାଳ ନିଜ ବାଇକ ଧରି ଘଟଣାସ୍ଥଳକୁ ଗଲେ କିପରି? ଏହା ବରିଷ୍ଠ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କଲା ନାହିଁ କାହିଁକି? କ୍ରାଇମବ୍ରାଂଚ ଟିମ ଅଭିଯୁକ୍ତ ଗୋପାଳ ଦାସଙ୍କ କ୍ୱାର୍ଟର୍ସରେ ତନାଘନା ଚଲାଇଛି । ଗୋପାଳଙ୍କୁ ସାଥୀରେ ଆଣି କ୍ରାଇମବ୍ରାଂଚ କ୍ୱାର୍ଟର୍ସରେ ଛାନଭିନ୍ କରିଛି । କ୍ୱାର୍ଟର୍ସରୁ କ୍ରାଇମବ୍ରାଂଚକୁ ମନ୍ତ୍ରୀଙ୍କ ହତ୍ୟା ସମ୍ବନ୍ଧିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବା ଆଶାରେ ଛାନଭିନ କରିଛି ତଦନ୍ତକାରୀ ଦଳ । ସେପଟେ ଅନ୍ୟ ଏକ ଟିମ ଗଂଜାମ ଯାଇ ଗୋପାଳ ଦାସଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଛି ।