ବ୍ରହ୍ମପୁରରେ ଭଡ଼ାରେ ଲାଗିଛି ରାଜୀବ ଆବାସ ଘର। ବିଏମସି ପକ୍ଷରୁ ଅତର୍କିତ ଚଢ଼ାଉ।

122

କନକ ବ୍ୟୁରୋ: ଭଡ଼ାରେ ଲାଗିଛି ରାଜୀବ ଆବାସ । ଯେଉଁ ହିତାଧିକାରୀଙ୍କୁ ରାଜୀବ ଆବାସ ମିଳିଛି, ସେଥିରୁ କିଛି ବାସଗୃହ ଭଡ଼ାରେ ଲାଗିଛି । କିଛି ଘରେ ତାଲା ପଡ଼ିଛି ତ, କିଛି ଖୋଲାମେଲାରେ ରହିଛି । ଏଭଳି ଅଭିଯୋଗ ବହୁ ଦିନରୁ ହେଉଥିବା ବେଳେ ବିଏମସି ପକ୍ଷରୁ ଅତର୍କିତ ଭାବେ ଚଢ଼ଉ କରାଯାଇଛି । ରାଜୀବ ଆବାସ ଯୋଜନା ଅନୁଯାୟୀ ତାଲିକାଭୁକ୍ତ ହିତାଧିକାରୀ ଏଠାରେ ରହୁଛନ୍ତି ନା ସେହି ଘରେ ଅନ୍ୟ କିଏ ରହୁଛନ୍ତି ସେଥିନେଇ ଆରମ୍ଭ ହୋଇଯାଇଛି ଯାଞ୍ଚ । ସହରକୁ ବସ୍ତିମୁକ୍ତ କରିବା ସହ ଦିନ ମଜୁରିଆ ଓ ବାସହୀନଙ୍କୁ ବାସଗୃହ ଯୋଗାଇବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୧୭ ମସିହାରେ ଲାଗୁ ହୋଇଥିଲା ରାଜୀବ ଆବାସ ଯୋଜନା ।

ସେହି ସମୟରେ ଉପଯୁକ୍ତ ହିତାଧିକାରୀ ଚୟନ କରି ତାଲିକା ପ୍ରସ୍ତୁତ କରାଯିବା ସହ ବିଏମସି ପକ୍ଷରୁ ତାଲିକା ଅନୁଯାୟୀ ହିତାଧିକାରୀଙ୍କୁ ବାସଗୃହ ପ୍ରଦାନ କରାଯାଇଥିଲା । ବିଏମସି ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଯୋଗ୍ୟ ତାଲିକାରେ କିଛି ହିତାଧିକାରୀ ସେହି ଆବାସରେ ରହିବାକୁ ପସନ୍ଦ କରୁନାହାନ୍ତି ଅନ୍ୟ କିଛି ହିତାଧିକାରୀ ବାସଗୃହ ହାତେଇ ଭଡ଼ା ଲଗାଇଥିବା ଅଭିଯୋଗ ହୋଇଥିଲା । ବିଏମସି ପକ୍ଷରୁ ଆଇନାବନ୍ଧ ସାହି ରାଜୀବ ଆବାସ ଯୋଜନାରେ ନିର୍ମିତ ବ୍ଲକ ଉପରେ ଚଢ଼ଉ କରାଯାଇଥିଲା । ୧୨୮ଟି ବାସଗୃହ ଯାଞ୍ଚ ବେଳେ ଅଧିକାଂଶ ଘରେ ତାଲା ପଡ଼ିଥିବା ବେଳେ ଅନ୍ୟ କିଛି ବାସଗୃହ ପଡ଼ିଥିଲା ଖାଲି ।