ଆଜି ସିଡିଏସ ବିପିନ ରାୱତ ଏବଂ ତାଙ୍କ ପତ୍ନୀଙ୍କର ପୂର୍ଣ୍ଣ ମିଲିଟାରୀ ସମ୍ମାନ ସହ ହେବ ଅନ୍ତିମ ସଂସ୍କାର : ଶେଷ ଦର୍ଶନ ପାଇଁ ସର୍ବସାଧାରଣଙ୍କୁ ଅନୁମତି

221

କନକ ବ୍ୟୁରୋ : ଆଜିି ସିଡିଏସ ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କର ହେବ ଅନ୍ତିମ ସଂସ୍କାର । ଏହା ପୂର୍ବରୁ ଦୁଇ ପାର୍ଥିବ ଶରୀରକୁ ସାଧାରଣ ଲୋକେ ସିଡିଏସଙ୍କ ଦିଲ୍ଲୀସ୍ଥିତ କାମରାଜ ମାର୍ଗ ବାସଭବନରେ ଅନ୍ତିମ ଦର୍ଶନ କରିପାରିବେ । ସକାଳ ୧୧ଟାରୁ ୧୨ଟା ୩୦ ମଧ୍ୟରେ ସାଧାରଣ ଲୋକ ଶେଷ ଦର୍ଶନ କରିପାରିବେ । ଏହାପରେ ମଧ୍ୟାହ୍ନ ୧୨ଟା ୩୦ରୁ ଗୋଟାଏ ୩୦ ମଧ୍ୟରେ ସେନା ଅଧିକାରୀ ଏବଂ ସଦସ୍ୟ ଶେଷ ସମ୍ମାନ ଜଣାଇବେ । ଅପରାହ୍ନ ୨ଟାରୁ ଅନ୍ତିମ ସଂସ୍କାର ପ୍ରକ୍ରିୟା ଆରମ୍ଭ ହେବାକୁ ଥିବା ବେଳେ ସଂଧ୍ୟା ୪ଟା ସୁଦ୍ଧା ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ରହିଛି ।

ଗତକାଲି ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ତିନି ସେନା ମୁଖ୍ୟ ପାଲାମ ଏୟାରବେସରେ ଶ୍ରଦ୍ଧାଜ୍ଞଳି ଜ୍ଞାପନ କରିଥିଲେ । ତାମିଲନାଡୁର କୁନ୍ନରରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଦେଶର ପ୍ରଥମ ସିଡିଏସ୍ ଏବଂ ତାଙ୍କ ପତ୍ନୀ ମଧୁଲିକା ରାୱତ ଓ ଅନ୍ୟ ୧୧ ଜଣ ସେନା ଅଧିକାରୀ । ଗତକାଲି ରାତିରେ ପ୍ରାୟ ୮ଟାରେ ଜେନେରାଲ ବିପିନ ରାୱତ, ତାଙ୍କ ପତ୍ନୀ ଓ ଅନ୍ୟମାନଙ୍କ ପାର୍ଥିବ ଶରୀର ଦିଲ୍ଲୀର ପାଲମ ଏୟାରବେସ୍ରେ ପହଁଚିଥିଲା । ମୃତକଙ୍କ ମଧ୍ୟରୁ ତିନି ଜଣଙ୍କର ପରିଚୟ ମିଳିପାରିଛି । ବାକି ମୃତକଙ୍କର ଡିଏନଏ ରିପୋର୍ଟ ଆସିବା ପରେ ସେମାନଙ୍କ ପରିବାରକୁ ମର ଶରୀର ହସ୍ତାନ୍ତର କରାଯିବ । ସେପର୍ଯ୍ୟନ୍ତ ଆର୍ମି ବେସ ହସ୍ପିଟାଲରେ ପାର୍ଥିବ ଶରୀର ରହିବ ।