କରୋନା ବଢୁଛି, ଚିନ୍ତା ବଢାଉଛି । ପୁଣି ଉପରମୁହାଁ ହେଉଛି କରୋନା ମିଟର । ଗତ ୨୪ ଘଣ୍ଟାରେ ଚଳିତବର୍ଷର ସର୍ବାଧିକ କରୋନା ସଂକ୍ରମଣ ଚିହ୍ନଟ ।

520

କନକ ବ୍ୟୁରୋ : ପ୍ରାୟ ଗୋଟିଏ ବର୍ଷ ପରେ ଦେଶରେ ପୁଣି ଉପର ମୁହାଁ ହୋଇଛି କରୋନା ମିଟର । ଗତ କିଛିଦିନ ହେଲା ଲଗାତର ବଢିଚାଲିଛି କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ଚଳିତବର୍ଷର ସର୍ବାଧିକ କରୋନା ସଂକ୍ରମଣ ରେକର୍ଡ କରାଯାଇଛି । ସାରା ଦେଶରେ ଗୋଟିଏ ଦିନରେ ୨୪ ହଜାର ୮୮୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୮୩ ଦିନରେ ଏହା ସର୍ବାଧିକ । ଗତବର୍ଷ ଡିସେମ୍ବର ମାସରେ ଗୋଟିଏ ଦିନରେ ସର୍ବାଧିକ ୨୬ ହଜାର ୬୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେହିପରି ଗୋଟିଏ ଦିନରେ ୧୪୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଥିସହ ସାରା ଦେଶରେ ବର୍ତମାନ କରୋନା ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଟପିଛି ।

୨୪ ଘଂଟାରେ ୨୪,୮୮୨ ନୂଆ କରୋନା ଆକ୍ରାନ୍ତ । ୮୩ ଦିନରେ ସର୍ବାଧିକ ଦୈନିକ ସଂକ୍ରମଣ । ଦିନକରେ ଯେତିକି ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ତାହା ଚଳିତ ବର୍ଷର ସର୍ବାଧିକ ଦୈନିକ ସଂକ୍ରମଣ । ଡିସେମ୍ବର ୨୦ ତାରିଖରେ ୨୬,୬୨୪ ସଂକ୍ରମଣ ସାମ୍ନାକୁ ଆସିଥିଲା । ଗତ ୫ ଦିନର ସଂକ୍ରମଣ ଉପରେ ନଜର ପକାନ୍ତୁ । ପ୍ରତିଦିନ ଏହି ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଦିନକୁ ଦିନ ଉପରମୁହାଁ ହେଉଛି କରୋନା ମିଟର । କିଛିଦିନ ହେଲା ଲଗାତର ବଢିଚାଲିଛି କରୋନା ସଂକ୍ରମଣ । ଏଥିସହ ସାରା ଦେଶରେ ବର୍ତମାନ କରୋନା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଟପିଛି ।

ନଜର ପକାନ୍ତୁ ଦେଶର କରୋନା ମିଟର ଉପରେ
୨୬ ଡିସେମ୍ବର – ୨୬,୬୨୪
୧୩ ମାର୍ଚ୍ଚ – ୨୪,୮୮୨
୧୨ ମାର୍ଚ୍ଚ – ୨୩,୨୮୫
୧୧ ମାର୍ଚ୍ଚ – ୧୯,୨୯୮
୧୦ ମାର୍ଚ୍ଚ – ୧୮,୩୩୭
୯ ମାର୍ଚ୍ଚ – ୧୭,୫୯୯

ଗତ ୨୪ ଘଣ୍ଟାରେ ଦେଶରେ ଯେତିକି ନୂଆ ପଜିଟିଭ୍ ମାମଲା ସାମନାକୁ ଆସିଛି, ତା’ର ୬୩ ପ୍ରତିଶତ ମାମଲା ଆସିଛି କେବଳ ମହାରାଷ୍ଟ୍ରରୁ । ନାଗପୁର ସହରର ସ୍ଥିତି ଅଧିକ ଚିନ୍ତାଜନକ ହୋଇଛି । ଦେଶର ପ୍ରଥମ ସହର ଭାବେ ଥରେ ଲକଡାଉନ୍ ହଟିବା ପରେ ପୁଣିଥରେ ଲାଗିବାକୁ ଯାଉଛି ଲକଡାଉନ ।

ସେହିପରି ନାଗପୁର ସହରରେ ସୋମବାରଠାରୁ ସପ୍ତାହ ବ୍ୟାପୀ ଲକଡାଉନ ଲାଗୁ ହେବାକୁ ଯାଉଥିବା ବେଳେ ମଦଦୋକନ ଠାରୁ ଆରମ୍ଭ କରି ଦୋକାନ ବଜାରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ମାର୍ଚ୍ଚ ୧୫ ଠାରୁ ଜରୁରୀ ସାମଗ୍ରୀକୁ ଛାଡିଦେଲେ ଆଉ କିଛି ଦୋକାନ ଖୋଲା ରହିବ ନାହିଁ । କେବଳ ଔଷଧ, ପନିପରିବା, ଫଳ ଓ କ୍ଷୀର ଦୋକାନ ଖୋଲା ରହିବ । ଲୋକଙ୍କ ବେପରୁଆ ଆଚରଣ ଯୋଗୁଁ ଲକଡାଉନ କଟକଣା ଲାଗୁ କରିବାକୁ ବାଧ୍ୟ ହୋଇଛନ୍ତି ରାଜ୍ୟ ସରକାର ।

ନଜର ପକାନ୍ତୁ ମହାରାଷ୍ଟ୍ରର କରୋନା ସ୍ଥିତି ଉପରେ
*୨୪ ଘଂଟାରେ ମହାରାଷ୍ଟ୍ରରେ ୧୫,୮୨୩ ନୂଆ ମାମଲା ଚିହ୍ନଟ
*ନାଗପୁରରେ ମାର୍ଚ୍ଚ ୧୫ରୁ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଲକଡାଉନ୍
*ପୁନେରେ ରାତି ୧୧ରୁ ସକାଳ ୬ଟା ନାଇଟ୍ କର୍ଫ୍ୟୁ
*ଅକୋଲାରେ ଶୁକ୍ରବାର ସଂଧ୍ୟା ୮ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ଲକଡାଉନ୍
*ମାର୍ଚ୍ଚ ୧୨ରୁ ୨୨ ପର୍ଯ୍ୟନ୍ତ ପାନଭେଲରେ ନାଇଟ କର୍ଫ୍ୟୁ

ସେପଟେ ପଞ୍ଜାବରେ ମଧ୍ୟ କରୋନା ସ୍ଥିତି ଉଦବେଗଜନକ ରହିଛି । ସ୍କୁଲ ଛୁଟି କରାଯାଇଛି । କିଛି ଜିଲ୍ଲାରେ ଲକଡାଉନ, କିଛି ଜିଲ୍ଲାରେ ରାତି କର୍ଫ୍ୟୁ ଆରମ୍ଭ ହୋଇଛି ।

ନଜର ପକାନ୍ତୁ ପଂଜାବର କରୋନା ସ୍ଥିତି ଉପରେ
*ଦିନକରେ ୧୪୦୮ ନୂଆ ସଂକ୍ରମଣ 
*୯ ଜିଲ୍ଲାରେ ଜାରି ହୋଇଛି ରାତି କର୍ଫ୍ୟୁ 
*ଲୁଧିଆନା, ପଟିଆଲା, ମୋହାଲି, ଫତେଗଡ ସାହିବ, ଜଳନ୍ଧର, ନୱନ ସହର, କପୁରତାଲା ଓ ହୋସିଆରପୁରରେ ରାତି ୧୧ରୁ ସକାଳ ୫ଟା ଯାଏଁ କର୍ଫ୍ୟୁ 
*ରାଜ୍ୟରେ ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ଛୁଟି

ଅନ୍ୟପଟେ ଓଡ଼ିଶାରେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ବେଳେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।