ଦେଶରେ ଦୁଇ ସପ୍ତାହ ହେଲା ବଢିନି ତେଲଦର । ଅନ୍ତର୍ଜାତୀୟ ବଜାରରେ ତେଲଦର ବଢିଥିଲେ ମଧ୍ୟ ଦେଶରେ ତେଲ ଦରବୃଦ୍ଧି ଅଟକି ଯାଇଛି ।

104

କନକ ବ୍ୟୁରୋ: ଗତ ମାସରେ କ୍ରମାଗତ ତେଲଦର ବୃଦ୍ଧି ସାଧାରଣ ଲୋକଙ୍କୁ ଚିନ୍ତାରେ ପକାଇଥିଲା । କିନ୍ତୁ ଆଶ୍ବସ୍ତିର କଥା ହେଉଛି ଦେଶରେ ଗତ ୧୪ ଦିନ ହେଲା ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ରହିଛି । ଶେଷଥର ପାଇଁ ଗତ ଫେବ୍ରୁଆରି ୨୭ ତାରିଖରେ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ହୋଇଥିଲା । ସେହିଦିନ ପେଟ୍ରୋଲ ଲିଟର ପିଛା ୨୪ ପଇସା ଓ ଡିଜେଲ ଲିଟର ପିଛା ୧୫ ପଇସା ବଢିଥିଲା ।

ଭୁବନେଶ୍ବରରେ ଏବେ ପେଟ୍ରୋଲ ଲିଟର ପିଛା ଦାମ ୯୧.୯୦ ଓ ଡିଜେଲ ଦାମ ୮୮.୭୯ରେ ବିକ୍ରି ହେଉଛି । ସେହିପରି ମାଲକାନଗିରିରେ ପେଟ୍ରୋଲ ଦର ୯୬.୫୫ ଓ ଡିଜେଲ ଦର ୯୩.୩୦ରେ ବିକ୍ରି ହେଉଛି । ସମ୍ବଲପୁରରେ ପେଟ୍ରୋଲ ଦାମ ୯୨.୪୬ ଓ ଡିଜେଲ ଦାମ ୮୯.୩୫ରେ ବିକ୍ରି ହେଉଛି ।

ଆଶ୍ଚର୍ୟ୍ୟର ବିଷୟ ହେଉଛି ଅନ୍ତର୍ଜାତୀୟ ବଜାରରେ ତେଲଦର ବଢିଥିଲେ ମଧ୍ୟ ଦେଶରେ ତେଲ ଦରବୃଦ୍ଧି ଅଟକି ଯାଇଛି । ବ୍ରେଣ୍ଟ କ୍ରୁଡ ଅଏଲ ଏବେ ବ୍ୟାରେଲ ପିଛା ୬୯.୨୨ ଡଲାରରେ ପହଞ୍ଚିଛି । ମାସ ଆରମ୍ଭରେ ଏହା ୫୦ ଡଲାର ପାଖାପାଖି ଥିଲା । ସେହିପରି ଇଣ୍ଡିଆନ ବାସ୍କେଟ ମୂଲ୍ୟ ୬୭.୩୮ ଡଲାରରେ ପହଞ୍ଚିଛି । ଓପେକ ଦ୍ବାରା ତେଲ ଉତ୍ପାଦନକୁ ସୀମିତ ରଖାଯିବା ଓ ସାଉଦି ଆରବ ଉପରେ ଆତଙ୍କବାଦୀ ଆକ୍ରମଣପରେ ବିଶ୍ବ ବଜାରରେ ତେଲଦର ହଠାତ ବୃଦ୍ଧି ପାଇଛି ।