ଦେଶରେ ୧ହଜାର ଟପିଲା କରୋନାର ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ୧୧୩୪ ସଂକ୍ରମିତ ଚିହ୍ନଟ, ପ୍ରଧାନମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ କଲେ କୋଭିଡ ସମୀକ୍ଷା ବୈଠକ

98

କନକ ବ୍ୟୁରୋ : କିଛି ଦିନର ଆଶ୍ୱସ୍ତି ପରେ ପୁଣି ଦେଶରେ ଭୟ ବଢାଉଛି କରୋନାର ଦୈନିକ ସଂକ୍ରମଣ । ମାର୍ଚ୍ଚ ୨ୟ ସପ୍ତାହଠୁ ଦେଶରେ ଲଗାତର କୋଭିଡ ରୋଗୀଙ୍କ ସଂଖ୍ୟା ବଢୁଥିବାବେଳେ ଏବେ ଦୈନିକ ସଂକ୍ରମଣ ହଜାରେ ଟିପିଛି । ଗତ ୨୪ ଘଂଟା ଭିତରେ ଦେଶରୁ ୧୧୩୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିନ୍ତାର ବିଷୟ ହେଉଛି ଦିନକ ଭିତରେ ୪୩୫ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେପଟେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭ହଜାର ୨୬ରେ ପହଁଚିଛି । ସ୍ୱାସ୍ଥ୍ୟବିଭାଗର ସୂଚନା ଅନୁସାରେ ଦିଲ୍ଲୀ, ମହାରାଷ୍ଟ୍ର, ଗୁଜରାଟ, ଛତିଶଗଡ ଓ କେରଳରେ ଜଣେ ଲେଖାଏଁ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଏବେ ସୁଦ୍ଧା ଦେଶରେ ୫ ଲକ୍ଷ ୩୦ହଜାର ୮୧୩ଜଣଙ୍କ ଜୀବନ ନେଇସାରିଛି କରୋନା । ପ୍ରତିଥର ପରି ଏଥରକ ମଧ୍ୟ ଦିଲ୍ଲୀରେ ସବୁଠୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗତ ୨୪ଘଣ୍ଟା ଭିତରେ ରାଜଧାନୀ ଦିଲ୍ଲୀରୁ ୮୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଓ ଜଣଙ୍କ ମୃତ୍ୟୁ ହୋଇଛି ।

ସ୍ଥିତିକୁ ଦେଖି କେନ୍ଦ୍ରସ୍ୱାସ୍ଥ୍ୟମନ୍ତ୍ରାଳୟ ସଂଶୋଧିତ ଆଡଭାଇଜାରୀ ଜାରି କରିଛି । ବିଶେଷ କରି ବୟସ୍କ ବ୍ୟକ୍ତି ଏବଂ ଶିଶୁଙ୍କୁ ଅଧିକ ଯତ୍ନବାନ ରହିବାକୁ କୁହାଯାଇଛି ।