ପ୍ରଶାସନିକ କୋଠା ଉଚ୍ଚତାକୁ ନେଇ କେଁ : ଏନଏମଏର ସୁପାରିଶକୁ ଶ୍ରୀମନ୍ଦିର ପ୍ରଶାସନର ବିରୋଧ; ରାଜ୍ୟ ସଂସ୍କୃତି ବିଭାଗକୁ ଲେଖାଯିବ ଚିଠି

69

କନକ ବ୍ୟୁରୋ : ଶ୍ରୀମନ୍ଦିର ପ୍ରଶାସନିକ କୋଠା ନିର୍ମାଣ ଉପରେ ଏନଏମଏ ଦେଇଥିବା ସୁପାରିଶକୁ ବିରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଜ୍ୟ ସଂସ୍କୃତି ବିଭାଗକୁ ଚିଠି ଲେଖାଯିବ । ପୂର୍ବରୁ ଏନଏମଏ ପ୍ରାୟ ୧୨ ଫୁଟ ଉଚ୍ଚତା ବିଶିଷ୍ଠ କୋଠା ନିର୍ମାଣକୁ ଅନୁମତି ଦେଇଥିଲା । ତାହା କିପରି ୭ ଦଶମିକ ୫୦ ମିଟର ଭିତରେ ସୀମିତ ରହିଲା ବୋଲି ପ୍ରଶ୍ନ ଉଠାଇଛି ଶ୍ରୀମନ୍ଦିର ପ୍ରଶାସନ ।

ତେଣୁ ପୁରୁଣା ଅନୁମତି ଅନୁସାରେ ଶ୍ରୀମନ୍ଦିର ପ୍ରଶାସନିକ କୋଠା ନିର୍ମାଣ କରିବାକୁ ଚିଠି ଲେଖାଯିବ । ଗତ ସେପ୍ଟେମ୍ବର ୯ ତାରିଖରେ ହୋଇଥିବା ବୈଠକରେ ଏନଏମଏ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପରେ ଅନେକ ସୁପାରିଶ କରିଥିଲା । ଯେଉଁଥିରେ ଶ୍ରୀମନ୍ଦିର ପ୍ରଶାସନିକ କୋଠା ରହିଥିଲା । ଏନେଇ ଏନଏମଏ ସ୍ପଷ୍ଟ କରିଛି ଯେ, ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟକୁ ନିଷିଦ୍ଧାଞ୍ଚଳ ବଦଳରେ ନିୟନ୍ତ୍ରିତ ଅଞ୍ଚଳକୁ ସ୍ଥାନାନ୍ତର କରାଯାଉ । ଏହାର ଉଚ୍ଚତା ୭ ଦଶମିକ ୫୦ ମିଟର ଭିତରେ ରଖାଯାଉ ।

ଏ ନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରାଶସକ ଅଜୟ କୁମାର ଜେନା କହିଛନ୍ତି, ପୂର୍ବରୁ ଏନଏମଏ ଶ୍ରୀମନ୍ଦିର କାର୍ଯ୍ୟାଳୟର ପ୍ରଶାସନିକ କୋଠା ପାଇଁ ଅନୁମତି ଦେଇଥିଲା । ଯେଉଁଥିରେ କୋଠାର ଉଚ୍ଚତା ୧୧ ଦଶମିକ ୧୯୨ ମିଟର ରହିଥିଲା । ଏହା ସହ ଗ୍ରାଉଣ୍ଡ ଫ୍ଲୋର ସମେତ ଏହା ଉପରେ ଆଉ ଦୁଇଟି ମହଲା କୋଠା କରିବାକୁ ଅନୁମତି ଦେଇଥିଲା ।