ଅଲିମ୍ପିକ ଖେଳାଳୀ ଦୂତି ଚାନ୍ଦଙ୍କ ବିବାଦୀୟ ପୋଷ୍ଟକୁ ନେଇ ଚର୍ଚ୍ଚା । କହିଲେ, ଖେଳକୁ ନେଇ ଚାଲିଛି ରାଜନୀତି, ହକି ଖେଳକୁ ନେଇ କହିଲେ ଏମିତି କଥା?

306

କନକ ବ୍ୟୁରୋ : ଫେସବୁକରେ ଅଲିମ୍ପିକ୍ ଖେଳାଳି ଦୂତୀ ଚାନ୍ଦଙ୍କ ଏକ ପୋଷ୍ଟ ଆଜି ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଥିଲା । ରାଜ୍ୟ ସରକାରଙ୍କ ଉପରେ ବେଶ୍ କ୍ଷୁବ୍ଧ ହୋଇ ଦୂତୀ ଏହି ପୋଷ୍ଟ କରିଥିବା ସମସ୍ତେ ଅନୁମାନ କଲେ । ଦୂତୀ ଏଥିରେ ଲେଖିଥିଲେ, ଖେଳକୁ ନେଇ ଏଠି ରାଜନୀତି ଚାଲିଛି । ସରକାରଙ୍କ ଉଦେଶ୍ୟରେ ଲେଖିଥିଲେ, ଆପଣ ଖାଲି ସେହି ହକି ଇଣ୍ଡିଆ ଟିମକୁ ଧରି ନାଚୁଥାନ୍ତା । ବାକି ଖେଳ ବିଭାଗ ସବୁ ଚୁଲିକୁ ଯାଉ । ଏମିତି କଥା ବୋଧହୁଏ ଦୂତୀ ପୂର୍ବରୁ କେବେ କହି ନଥିଲେ । ଦୂତୀଙ୍କ ଏଭଳି ପୋଷ୍ଟକୁ ନେଇ ଚାରିଆଡେ ଚର୍ଚ୍ଚା ସୃଷ୍ଟି ହୋଇଛି । ପରେ ସେ ସେହି ପୋଷ୍ଟ ଡିଲିଟ୍ କରିଦେଇଥିଲେ । ଦେଖନ୍ତୁ ଆଉ କଣ କଣ ଲେଖିଥିଲେ ଦୂତୀ ।

ଏ ହେଉଛି ସେହି ଫେସବୁକ୍ ପୋଷ୍ଟ୍, ଯାହା ଚର୍ଚ୍ଚାର କାରଣ ପାଲଟିଛି  । ଦେଖନ୍ତୁ ଏଥିରେ କ’ଣ ଲେଖିଛନ୍ତି ଦୂତି ଚାନ୍ଦ । ସେ ଲେଖିଛନ୍ତି “ଓଡ଼ିଶା ସରକାର ସାରା ରାଜ୍ୟରେ ଖେଳାଳିଙ୍କ ପାଇଁ ଭିତିଭୂମି ତିଆରି କରିବାରେ ବ୍ୟସ୍ତ, କିନ୍ତୁ ଏପଟେ କ୍ରୀଡ଼ାବିତମାନେ  ଦିନକୁ ଦିନ ହଜିଗଲେଣି  । ଖାଲି ଯାହା ଖେଳକୁ ନେଇ ଏଠି ସବୁ ରାଜନୀତି ଚାଲିଛି’  । ନିଜ ପୋଷ୍ଟରେ ରାଜ୍ୟରେ ହକି ତୁଳନାରେ ଆଥଲେଟିକସକୁ ଅବହେଳା କରାଯାଉଥିବାର ଅଭିଯୋଗ ମଧ୍ୟ ଆଣିଛନ୍ତି ଦୂତୀ  । “ହକି ଇଣ୍ଡିଆ ପାଇଁ କୋଟି କୋଟି ଟଙ୍କାର ଅର୍ଥ ଅଛି, କିନ୍ତୁ ଆଥଲେଟିକ୍ସ ପାଇଁ କିଛି ନାହିଁ’ ବୋଲି ସେ ଲେଖିଛନ୍ତି  ।

ଅବଶ୍ୟ ପରେ ଏହି ପୋଷ୍ଟକୁ ହଟାଇ ଦେଇଛନ୍ତି ଦୂତୀ  । ହେଲେ ଏମିତି ଲେଖିବା ପଛର କାରଣ କ’ଣ  । ଆଉ ସେ ଲେଖିଥିବା କଥାରେ କେତେ ସତ ଅଛି ? ଯଦି ଦୂତୀ ସରକାରଙ୍କ ଦୋଷ ଦୁର୍ବଳତାକୁ ସାମ୍ନାକୁ ଆଣିବାକୁ ଚାହୁଁଥିଲେ, ତାହେଲେ ପରେ କାହିଁକି ନିଜ ପୋଷ୍ଟ  ହଟାଇ ଦେଲେ ? ବିବାଦୀୟ କଥା ଲେଖି ଚର୍ଚ୍ଚାକୁ ଆସିବାକୁ ଚାହିଁଥିଲେ ନା ଚାପରେ ଆସି ଏହାକୁ ହଟାଇ ଦେଲେ ? ଅନ୍ୟ କଥାଟି ହେଲା ରାଜ୍ୟ ସରକାର ହକି ଇଣ୍ଡିଆକୁ ପ୍ରୋତ୍ସାହନ କରିଆସୁଥିବା ବେଳେ ଆଥଲେଟିକ୍ସ ମିଟ୍ ଆୟୋଜନ କରି ମଧ୍ୟ ପ୍ରଶଂସା ସାଉଁଟିଛନ୍ତି  । ତୃଣମୂଳ ସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ କ୍ରୀଡ଼ାର ଉନ୍ନତି ପାଇଁ ସରକାର ପଦକ୍ଷେପ ନେଇଥିବା ବେଳେ ଦୂତୀଙ୍କ ଏହି ପୋଷ୍ଟ ଏକ ବିବାଦ ସୃଷ୍ଟି କରିଛି  ।