ସହମତିରେ ଯୌନ ସମ୍ପର୍କ ଦୁଷ୍କର୍ମ ନୁହେଁ : କେରଳ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

236

କନକ ବ୍ୟୁରୋ : ଦୁଇଜଣ ପ୍ରାପ୍ତ ବୟସ୍କଙ୍କ ମଧ୍ୟରେ ସହମତି ଭିତରେ ଶାରୀରିକ ସମ୍ପର୍କ ହୋଇଥିବ କିନ୍ତୁ ଏହା ବିବାହରେ ପରିଣତ ନହେଲେ କିମ୍ବା ଦୁଇ ଜଣଙ୍କ ମଧ୍ୟରେ ସଂପର୍କରେ ଫାଟ ସୃଷ୍ଟି ହେଲେ ପରବର୍ତ୍ତୀ ସମୟରେ ଏହା ଦୁଷ୍କର୍ମ ବୋଲି ବିବେଚନା କରାଯିବନି । ତେଣୁ ଏପରି ମାମଲା ଆଇପିସିର ଧାରା ୩୭୬ ଅଧୀନକୁ ଆସିବନାହଁ । କେରଳ ହାଇକୋର୍ଟ ଶୁକ୍ରବାର ଏକ ମାମଲାର ରାୟ ପ୍ରକାଶ କରିବା ବେଳେ ଏପରି କହିଛନ୍ତି । ଯେ ଯେପର୍ଯ୍ୟନ୍ତ କୌଣସି ଜାଲିଆତି କିମ୍ବା ମିଛ ପ୍ରତିଶ୍ରୁତି ଦେଇ ଯୌନ ସମ୍ପର୍କର ଅଭିଯୋଗ ଆସିନଥିବ ସେପର୍ଯ୍ୟନ୍ତ ଆଇପିସିର ଧାରା ୩୭୬ ଲାଗୁ ହେବନି ।

ବିଚାରପତି ବେଚୁ କୁରିଆନ ଥୋମାସ ଆଇନଜୀବୀ ନବନୀତ ଏନ ନାଥଙ୍କୁ ଜାମିନ ପ୍ରଦାନ କରିବା ସମୟରେ ଏପରି ରାୟ ଦେଇଛନ୍ତି । ଆଇନଜୀବୀ ବିବାହର ପ୍ରତିଶ୍ରୁତି ଦେଇ ଜଣେ ମହିଳା ଆଇନଜୀବୀଙ୍କୁ ବିଭିନ୍ନ ସମୟରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲ। । ପରେ ନବନୀତ ଗିରଫ ହୋଇଥିଲେ । ନବନୀତ ସଂପୃକ୍ତି ମହିଳା ଆଇନଜୀବୀକୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଥିଲେ । କିନ୍ତୁ ନବନୀତ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବା ପରେ ପୀଡିତା ନବୀନତଙ୍କ ବିରୋଧରେ ଏତଲା ଦେଇଥିଲେ । କୋର୍ଟରେ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇ ନବନୀତ ଶାରୀରିକ ସଂପର୍କ ରଖିଥିଲେ ବୋଲି ପୀଡିତାଙ୍କ ଓକିଲ ଯୁକ୍ତି ବାଢିଥିଲେ ।

ଅନ୍ୟପଟେ ନବନୀତଙ୍କ ଓକିଲ କହିଥିଲେ ପୀଡିତା ଅନ୍ୟ ଜାତିର । ତାଙ୍କ ସହ ବିବାହ ସମ୍ଭବ ନଥିଲା । ଏହାଜାଣି ବି ସେ ବାରମ୍ବାର ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁଥିଲେ ବୋଲି କହିଥିଲେ ନବନୀତଙ୍କ ଓକିଲ । ଏହାପରେ ବିଚାରପତି ରାୟ ଶୁଣାଇ କହିଥିଲେ ଦୁଇ ପ୍ରାପ୍ତ ବୟସ୍କଙ୍କ ସହମତିରେ ଶାରୀରିକ ସଂପର୍କ ରଖିଥିବେ କିନ୍ତୁ ଏହି ସଂପର୍କ ବିବାହରେ ପରିଣତ ନହେଲେ ଏହାକୁ ଦୁଷ୍କର୍ମ ମାମଲା ବୋଲି ବିବେଚନା କରାଯିବନି । ସେତେବେଳେ ଏହାକୁ ଦୁଷ୍କର୍ମ ଭାବେ ବିବେଚନା କରାଯିବ ଯେତେବେଳେ ବିନା ସହମତିରେ କିମ୍ବା ବଳ ପୂର୍ବକ ଶାରୀରିକ ସଂପର୍କ ସ୍ଥାପନ ହୋଇଥିବ ।