ଦରଦାମ୍ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ହଲ୍ଲାବୋଲ। ଦିଲ୍ଲୀ ରାମଲୀଳା ମଇଦାନରେ ଏକାଠି ହେଲେ କଂଗ୍ରେସ କର୍ମୀ। 

67

କନକ ବ୍ୟୁରୋ: ସେପ୍ଟେମ୍ବର ୭ ଭାରତ ଯୋଡୋ ଯାତ୍ରା ପୂର୍ବରୁ ଏକାଠି ହୋଇଛନ୍ତି କଂଗ୍ରେସ ନେତା । ଦରଦାମ ବୃଦ୍ଧି ଏବଂ ବେକାରୀ ଭଳି ସମସ୍ୟାକୁ ପ୍ରସଙ୍ଗ କରି ରାହୁଲ ଗାନ୍ଧୀଙ୍କ ଆହ୍ୱାନ କ୍ରମେ ଦିଲ୍ଲୀ ରାମଲୀଳା ମୈଦାନରେ ଆୟୋଜିତ ହୋଇଛି ହଲ୍ଲା ବୋଲ ରାଲି ।

ହଜାର ହଜାର କଂଗ୍ରେସ କର୍ମୀ ଏବଂ ନେତାଙ୍କ ଉପସ୍ଥିତିରେ ଏଭଳି କିଛି କହି ମୋଦୀ ସରକାରକୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ । ୟୁପିଏ ସରକାର ୧୦ ବର୍ଷରେ ୨୭ କୋଟି ଲୋକଙ୍କୁ ଗରିବ ଶ୍ରେଣୀରୁ ବାହାରକୁ ଆଣିଥିଲା । କିନ୍ତୁ ବିଜେପି ୨୩ କୋଟି ଲୋକଙ୍କୁ ଗରିବ ଶ୍ରେଣୀକୁ ଠେଲି ଦେଇଛି । ଦରଦାମ ବୃଦ୍ଧି ପାଇଁ ଏପରି ପରିସ୍ଥିତି ଉପୁଜିଛି ।  ଜିଏସଟି ପାଇଁ ଛୋଟ ବ୍ୟବସାୟୀଙ୍କ କାରବାର ଠପ୍ ହୋଇଯାଇଛି । କିନ୍ତୁ ୭୦ ବର୍ଷ ସରକାରରେ କଂଗ୍ରେସ ଏପରି କେବେ ଦରଦାମ ବୃଦ୍ଧି କରିନଥିଲା ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ଏଥିସହ ପରୋକ୍ଷରେ ସେ ଟ୍ୱିଟ୍ କରି କହିଛନ୍ତି, ଦେଶରେ ବେରୋଜଗାରୀ ବଢୁଥିବା ବେଳେ ମୋଦୀ ସରକାର ନିଜ ବନ୍ଧୁଙ୍କୁ ରୋଜଗାର ଯୋଗାଇ ଦେଉଛନ୍ତି ।

ବିଜେପି ଘୃଣାଭାବ ସୃଷ୍ଟି କରୁଛି । ଯିଏ ଭୟଭୀତ ସିଏ ଘୃଣାଭାବ ସୃଷ୍ଟି କରୁଛି । ରାହୁଲଙ୍କ ଏହି ମନ୍ତବ୍ୟର ଜବାବ ରଖିଛି ବିଜେପି । ନ୍ୟାଶନାଲ ହେରାଲ୍ଡ ମାମଲାରେ ଜାମିନରେ ଅଛନ୍ତି ସୋନିଆ ଓ ରାହୁଲ ଗାନ୍ଧୀ । କୋର୍ଟରେ ମାମଲା ରଦ୍ଦ ନହେବା ପରେ ତଦନ୍ତର ସାମ୍ନା କରୁଛନ୍ତି । ତେଣୁ ନିଜେ ଭୟଭୀତ ବୋଲି ବିଜେପି କହିଛି ।

ଆଗକୁ ସାଧାରଣ ନିର୍ବାଚନ । ଅନ୍ୟପଟେ ଗୁଲାମ ନବୀ ଆଜାଦଙ୍କ ପରେ ଆଉ କିଛି କଂଗ୍ରେସ ନେତା ମଧ୍ୟ ଆଜାଦଙ୍କ ରାସ୍ତା ଆପଣାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏହାରି ଭିତରେ ଦଳୀୟ ନେତାଙ୍କୁ ଏକାଠି କରି ରାହୁଲ ଗାନ୍ଧୀ ଉତ୍ସାହ ଭରିବାକୁୁ ଚେଷ୍ଟା କରିଛନ୍ତି ।