ନିର୍ବାଚନୀ ବଣ୍ଡକୁ ନେଇ ନିର୍ବାଚନୀ ମଇଦାନକୁ ଓହ୍ଲାଇଲା କଂଗ୍ରେସ । ପ୍ରମୁଖ ଖବରକାଗଜରେ ବିଜ୍ଞାପନ ଦେଇ ବିଜେପିକୁ କଲା ସିଧାସଳଖ ଟାର୍ଗେଟ

203

କନକ ବ୍ୟୁରୋ: ୨୦୨୪ ନିର୍ବାଚନୀ ବିଗୁଲ ବାଜିସାରିଛି । ମଇଦାନ ପ୍ରସ୍ତୁତ, ମତଦାତା ବି ପ୍ରସ୍ତୁତ । ଭୋଟରଙ୍କ ମନ ଜିଣିବା ପାଇଁ ରାଜନୈତିକ ଦଳ ପ୍ରସ୍ତୁତି କଲେଣି । ନେତା ନିଜ ନିଜ ଅଞ୍ଚଳରେ ଶକ୍ତି ପ୍ରଦର୍ଶନ କରୁଥିବା ବେଳେ ଗଣମାଧ୍ୟମରେ ବିଜ୍ଞାପନ ଦେଇ ପ୍ରଚାର ଆରମ୍ଭ କରିଛି ରାଜ୍ୟ କଂଗ୍ରେସ । ନିର୍ବାଚନୀ ବଣ୍ଡକୁ ପ୍ରସଙ୍ଗ କରି ବିଜେପିକୁ ଟାର୍ଗେଟ କରିଛି ଦଳ ।

  • ଗଣମାଧ୍ୟମରେ କଂଗ୍ରେସର ବିଜ୍ଞାପନ
  • ‘ବଦଳେଇ ଦିଅ ଏଇଥର, ବସୁଲିର ସରକାର’

କିଛି ଦିନ ହେଲା ଦେଶରେ ରାଜନୈତିକ ହଇଚଇ ଖେଳାଇଥିବା ନିର୍ବାଚନୀ ବଣ୍ଡକୁ ମୁଖ୍ୟ ପ୍ରସଙ୍ଗ କରି ମୈଦାନକୁ ଓହ୍ଲାଇଛି କଂଗ୍ରେସ । ରାଜ୍ୟର ପ୍ରମୁଖ ଖବର କାଗଜରେ କଳା ଧଳା ପ୍ରିଣ୍ଟରେ ଚାନ୍ଦା ଦିଅ, ଧନ୍ଦା ନିଅ ଶୀର୍ଷକ କଂଗ୍ରେସ ଦେଇଥିବା ଏହି ବିଜ୍ଞାପନକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ବଢିଛି । ବିଜ୍ଞାପନ ଜାରି କରି ସିଧା ସଳଖ ବିଜେପିକୁ ଟାର୍ଗେଟ କରିଛି । ବିଜେପି ଦଳୀୟ ପାଣ୍ଠି ପାଇଁ ମୋଟା ଅଙ୍କର ବଟି ଆଦାୟ କରିଥିବା କଂଗ୍ରେସ ଅଭିଯୋଗ ଆଣିଛି ।

କଂଗ୍ରେସର ଅଭିଯୋଗ

  • ‘୨୦୧୮ ରୁ ଫେବ୍ରୁଆରି ୨୦୨୪ ସୁଦ୍ଧା ବିଜେପି ୮ହଜାର ୨୫୨ କୋଟି ଟଙ୍କା ଦଳୀୟ ପାଣ୍ଠି ଅସତ୍ ଉପାୟରେ ପାଇଛି’
  • ‘ଇଡି, ସିବିଆଇ ଭଳି ଜାତୀୟ ତଦନ୍ତକାରୀ ସଂସ୍ଥାର ଭୟ ଦେଖାଇ ବଟି ଆଦାୟ କରିଛି ବିଜେପି’
  • ‘ଯେଉଁ ବ୍ୟବସାୟୀଙ୍କ ଉପରେ ତଦନ୍ତକାରୀ ସଂସ୍ଥାର ଚଢାଉ ହୋଇଛି, ସେମାନେ ନିର୍ବାଚନୀ ବଣ୍ଡ କିଣି ବିଜେପିକୁ ଚାନ୍ଦା ଦେଇଛନ୍ତି’
  • ‘ନିର୍ବାଚନ ପୂର୍ବରୁ କଂଗ୍ରେସକୁ ନିଷ୍କ୍ରିୟ କରିବା ପାଇଁ ଯୋଜନା କରାଯାଇଛି ‘
  • ଅନ୍ୟପଟେ କଂଗ୍ରେସର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ବିଜେପି କହିଛି, ନିର୍ବାଚନୀ ବଣ୍ଡ ପ୍ରକ୍ରିୟା ସଂପୂର୍ଣ୍ଣ ସ୍ୱଚ୍ଛ, କଂଗ୍ରେସ କେଉଁ ଧନ୍ଦା କରି ୧ ହଜାର ୧୨୩ କୋଟି ପାଇଛି, ତାହାର ହିସାବ ପ୍ରଥମେ ଦେଉ ।

ସେପଟେ ଟିକସ ଫାଙ୍କିଥିବା ଆଳ ଦେଖାଇ କେନ୍ଦ୍ର ସରକାର କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିଦେଇଥିବା ଅଭିଯୋଗ ହୋଇଛି । ଲୋକସଭା ନିର୍ବାଚନରେ କଂଗ୍ରେସକୁ ଦୁର୍ବଳ ଓ ଅଚଳ କରିବା ପାଇଁ ଏହି ଷଡଯନ୍ତ୍ର କରାଯାଇଥିବା କଂଗ୍ରେସ ନେତା କହୁଛନ୍ତି । ବ୍ୟାଙ୍କ ଖାତା ଅଚଳ ଯୋଗୁଁ ପ୍ରଚାର ପାଇଁ ଆବଶ୍ୟକ ଖର୍ଚ୍ଚ ଉଠାଇବାକୁ ଦଳ ଅସମର୍ଥ । ଏପରି ସ୍ଥିତିରେ ଓଡିଶା କଂଗ୍ରେସ କଣ କରିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କିଛି ନେତା ନିଜ ଦମରେ ପ୍ରଚାର କରିବେ ବୋଲି କହୁଥିବା ବେଳେ ଆଉ କିଛି ଆଶାୟୀ ଏଆଇସିସିକୁ ଭରସା କରିଥିବା କହିଛନ୍ତି ।

ତେବେ ଏ ସବୁ ଭିତରେ ବିଗୁଲ ବାଜି ସାରିଛି, ମୈଦାନ ପ୍ରସ୍ତୁତ ଅଛି । ଯଦିଓ କେଉଁ ଆସନରୁ କିଏ ସେନାପତି ହେବେ ତାହା ଘୋଷଣା ହୋଇନାହିଁ । ହେଲେ ଘରେ ପଶିବା ଆଗରୁ ମୁଣ୍ଡରେ ଚାଳ ବାଜିବା ଭଳି ପ୍ରଚାର ଆରମ୍ଭରୁ କଗ୍ର୍ରେସର ନିଅଣ୍ଟିଆ ବିତ୍ତିୟ ସ୍ଥିତି ଦଳକୁ ଅଡୁଆରେ ପକାଇଛି । ଏହି ସମସ୍ୟର ସମାଧାନ କରି କେମିତି କଂଗ୍ରେସ ବିଜେପିର ମୁକାବିଲ କରିବ ତାହା ଆଗାମୀ ସମୟ କହିବ ।