ଦିଲ୍ଲୀରେ ବସିବ ବିଜେପିର ତୃତୀୟ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । ଆସିପାରେ ଓଡ଼ିଶାର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ତାଲିକା

128

କନକ ବ୍ୟୁରୋ: ମେଣ୍ଟ ଚର୍ଚ୍ଚାରେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ପଡ଼ିବା ପରେ ଏବେ ବିଜେପି ଶିବିର ଚଳଚଞ୍ଚଳ ହୋଇପଡ଼ିଛି । ଗୋଟିଏ ପଟେ ପ୍ରାର୍ଥି ଉତ୍ସାହିତ ଥିବା ବେଳେ ରାଜ୍ୟ ବିଜେପି ସଭାପତି ଦିଲ୍ଲୀ ଗସ୍ତ କରି ସିଇସି ବୈଠକରେ ଯୋଗଦେବେ । ବୈଠକ ପରେ ଓଡ଼ିଶାର କିଛି ଆସନ ପାଇଁ ପ୍ରାର୍ଥୀ ତାଲିକା ଆସିବାର ସମ୍ଭାବନା ଅଛି । ଆଉ ଏହାକୁ ଅପେକ୍ଷା କରି ରହିଛନ୍ତି ରାଜ୍ୟ ନେତା ।

  • ଦିଲ୍ଲୀରେ ବସିବ ବିଜେପିର ସିଇସି ବୈଠକ
  • ଘୋଷଣା ହେବ ଓଡ଼ିଶାର ପ୍ରାର୍ଥୀ ତାଲିକା!

ମେଣ୍ଟ ଚର୍ଚ୍ଚା ଭିତରେ ଦିଲ୍ଲୀରେ ଦୁଇ ଦୁଇଥର ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିଲା । କିନ୍ତୁ ଓଡ଼ିଶା ପାଇଁ ଜଣେ ବି ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇପାରିନଥିଲା । ପ୍ରଥମ ପର୍ଯ୍ୟାୟରେ ୧୯୫, ଦ୍ୱିତୀୟ ପର୍ଯ୍ୟାୟରେ ୭୨, ତୃତୀୟ ପର୍ଯ୍ୟାୟରେ ୯ ଏବଂ ଚତୁର୍ଥ ପର୍ଯ୍ୟାୟରେ ୧୫ ପ୍ରାର୍ଥିଙ୍କ ତାଲିକା ଘୋଷଣା ହୋଇଛି । ଏହାରି ଭିତରେ ମେଣ୍ଟ ଚର୍ଚ୍ଚାରେ ବିରାମ ଲଗାଇଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ । ଶନିବାର ଦିଲ୍ଲୀରେ ବସିବାକୁ ଥିବା ସିଇସି ବୈଠକରେ ୧୦ଟି ରାଜ୍ୟ ପାଇଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହେବ । ଆଉ ଏଥିପାଇଁ ଦିଲ୍ଲୀ ଗସ୍ତ କରିଛନ୍ତି ରାଜ୍ୟ ସଭାପତି ଏବଂ ସଂଗଠନ ମହାମନ୍ତ୍ରୀ । ଏଥିରେ ଓଡ଼ିଶାର କିଛି ଲୋକସଭା ଆସନ ସହ ବିଧାନସଭା ପାଇଁ ମଧ୍ୟ ପ୍ରାର୍ଥୀଙ୍କ ନାଁରେ ମୋହର ମାରିପାରନ୍ତି କେନ୍ଦ୍ରୀୟ ନେତୃତ୍ୱ ।

  • ଏକାକୀ ଲଢ଼ିବାକୁ ବିଜେପି ପ୍ରସ୍ତୁତ
  • କେଉଁ ବାର୍ତ୍ତା ନେଇ ଲୋକଙ୍କ ପାଖକୁ ଯିବ ଦଳ?

ନିର୍ବାଚନକୁ ଆଉ ଦୁଇ ମାସରୁ କମ୍ ସମୟ ଥିଲା ବେଳେ କେଉଁ ବାର୍ତ୍ତା ନେଇ ଲୋକଙ୍କ ପାଖକୁ ଯିବ ଦଳ । ଗୋଟିଏ ପଟେ ବିଜେପି-ବିଜେଡିର ମେଣ୍ଟ ଚର୍ଚ୍ଚା କାରଣରୁ ଦ୍ୱନ୍ଦ୍ୱରେ ଥିଲେ କର୍ମୀ । ସାଧାରଣରେ ବିଜେଡି-ବିଜେପି ସମ୍ପର୍କକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା । କିଛି ଦିନ ହେଲା ଉଭୟ ଦଳ ପରସ୍ପରକୁ ପ୍ରତି ଆକ୍ରମଣ କରିବା ମଧ୍ୟ ବନ୍ଦ ହୋଇଯାଇଥିଲା । ତେବେ ଏହାରି ଭିତରେ ମେଣ୍ଟ ଚର୍ଚ୍ଚାରେ ବିରାମ ଲାଗିବା ପରେ ମୋଦୀଙ୍କର ଗ୍ୟାରେଣ୍ଟି, ମୋଦୀ ସରକାରଙ୍କ ୧୦ ବର୍ଷର ସଫଳତାକୁ ନେଇ ଲୋକଙ୍କ ପାଖକୁ ଯିବାକୁ ମନସ୍ଥ କରିଛି ବିଜେପି ।

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମେ’ ୧୩ ତାରିଖରେ ହେବ । ଏଥିପାଇଁ ଦୁଇ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ବିଜେଡି ଲୋକସଭାୱାରୀ ସମୀକ୍ଷା କରୁଥିବା ବେଳେ ବିଜେପି ମଧ୍ୟ ଏହି ଦୌଡ଼ରେ ପଛରେ ପଡ଼ିନାହିଁ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦୁଇଦଳ ଏକା ଏକା ନିର୍ବାଚନ ଲଢ଼ିବେ । ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶାକୁ ଆସି ରାଜ୍ୟ ସରକାରଙ୍କ ବିଫଳତାକୁ ଟାର୍ଗେଟ୍ କରିବେ ନାହିଁ । ବିଜେଡି ମଧ୍ୟ ପ୍ରଚାର ବେଳେ କେନ୍ଦ୍ରୀୟ ଅବହେଳା କଥା ଉଠାଇବନି । ଏହାକୁ ଭୋଟର ଗ୍ରହଣ କରିବେ ତ?