ନାଗରିକତା ସଂଶୋଧନ ଆଇନକୁ ନେଇ କଂଗ୍ରେସର ପ୍ରତିବାଦ । ରାଜଘାଟରେ ସୋନିଆ, ପ୍ରିୟଙ୍କା, ରାହୁଲ ଗାନ୍ଧୀ ଓ ମନମୋହନ ସିଂ, ସମେତ ବରିଷ୍ଠ ନେତାଙ୍କ ଧାରଣା ।

187

କନକ ବ୍ୟୁରୋ : ନାଗରିକତା ସଂଶୋଧନ ଆଇନକୁ ନେଇ ତେଜିଛି ରାଜନୀତି । ପ୍ରତିବାଦରେ କଂଗ୍ରେସ ରାଜଘାଟରେ ସତ୍ୟାଗ୍ରହ କରିଥିବାବେଳେ ବିଜେପି ପଶ୍ଚିମବଙ୍ଗରେ କରିଛି ସମର୍ଥନ ରାଲି । କେନ୍ଦ୍ର ସରକାର ବିରୋଧରେ ବର୍ଷିଛନ୍ତି ସୋନିଆଙ୍କ ସମେତ କଂଗ୍ରେସର ବରିଷ୍ଠ ନେତା । ଅନ୍ୟପଟେ କୋଲକାତାରେ ସମର୍ଥନ ରାଲି କରି ବିରୋଧୀଙ୍କୁ ଟାର୍ଗେଟ କରିବା ସହ ଲୋକମାନଙ୍କୁ ମମତା ମିଛ କହି ଭ୍ରମିତ କରୁଛନ୍ତି ବୋଲି କହିଛନ୍ତି ବିଜେପି କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା ।

ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶର ଅଧିକାଂଶ ରାଜ୍ୟରେ ଅସନ୍ତୋଷର ନିଆଁ ଜଳୁଥିବା ବେଳେ କଂଗ୍ରେସର ନୂଆ ପ୍ରତିବାଦ ରାଜନୀତି । ରାଜଘାଟରେ ସତ୍ୟାଗ୍ରହରେ ବସିଛନ୍ତି ଦଳର ତୁଙ୍ଗ ନେତା । କଂଗ୍ରେସର ଏକତା ପାଇଁ ସତ୍ୟାଗ୍ରହରେ ସାମିଲ ହୋଇଛନ୍ତି ଦଳର ହେବିୱେଟ୍ ନେତା । ଅହିଂସା ସ୍ଥଳରେ ସମ୍ବିଧାନ ପଢିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ଆଉ, କେନ୍ଦ୍ର ସରକାରଙ୍କ ନୂଆ ଆଇନକୁ ନିଜ ରାଜ୍ୟରେ ଲାଗୁ କରିବେ ନାହିଁ ବୋଲି ସିଧାସଳଖ ମନା କରିଦେଇଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ।

ନାଗରିକତା ଆଇନକୁ ନେଇ ଦିଲ୍ଲୀରେ କଂଗ୍ରେସ ସତ୍ୟାଗ୍ରହ କରୁଥିବା ବେଳେ କୋଲକାତାରେ ବଡ ଧରଣର ସମର୍ଥନ ରାଲି କରିଛି ବିଜେପି । କେନ୍ଦ୍ର ସରକାରଙ୍କ ଆଇନ ସମର୍ଥନରେ ବାହାରିଥିବା ରାଲିର ନେତୃତ୍ୱ ନେଇଛନ୍ତି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା । କହିଛନ୍ତି, ଭାରତରେ ଖୁସିରେ ଅଛନ୍ତି ମୁସଲିମ ସଂପ୍ରଦାୟ ହେଲେ ପାକିସ୍ତାନରେ ହିନ୍ଦୁଙ୍କୁ ନିର୍ଯାତନା ଦିଆଯାଉଛି । କେନ୍ଦ୍ରର ଲୋକପ୍ରିୟ ଆଇନକୁ ନେଇ ଭୋଟ ବ୍ୟାଙ୍କ ରାଜନୀତି କରୁଛି କଂଗ୍ରେସ ।

ନାଗରିକତା ସଂଶୋଧନ ଆଇନ୍ ଆସିବା ପରେ ଏହାର ପ୍ରତିବାଦରେ ସାରା ଦେଶରେ ହିଂସାତ୍ମକ ପ୍ରତିବାଦ ଜାରି ରହିଛି । ଏପରିକି ହିଂସା ଏଡାଇବାକୁ ଯାଇ ପୋଲିସ ଗୁଳିରେ ୨୨ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ଏବେ ଆଇନକୁ ନେଇ ଆରମ୍ଭ ହୋଇଛି ନୂଆ ରାଜନୀତି ।