ମୁଁ ଆପଣଙ୍କ ପାଖରେ କୃତଜ୍ଞ… ଜନାଦେଶ ପାଇଁ ଝାଡଖଣ୍ଡ ଜନତାଙ୍କୁ ହୃଦୟରୁ ଧନ୍ୟବାଦ ଦେଲେ ହେମନ୍ତ ସୋରେନ । କହିଲେ, ଆଜିର ଦିନ ମୋ ପାଇଁ ‘ସଂକଳ୍ପର ଦିନ’

830

କନକ ବ୍ୟୁରୋ: ଝାଡଖଣ୍ଡରେ ଧନୁତୀର ମାଡରେ ଝଡି ପଡିଲା ପଦ୍ମ ପାଖୁଡା । ମୋଟ ୮୧ ଆସନରୁ ସରକାରରେ ଥିବା ବିଜେପି ବିପର୍ଯ୍ୟୟର ସାମ୍ନା କରିଥିବା ବେଳେ ଗଣତି ଆରମ୍ଭରୁ ଆଗକୁ ଆଗକୁ ମାଡି ମାଡି ଚାଲିଥିଲା ମହାମେଣ୍ଟ । ଜେଏମଏମ, କଂଗ୍ରେସ ଓ ଆରଜେଡି ମେଣ୍ଟ ଝାଡଖଣ୍ଡରେ ଝାଡୁ ବୁଲାଇ ପଦ୍ମକୁ ସଫା କରିଛନ୍ତି । ଆଉ ମହା ଗଠବନ୍ଧନର ମହାବିଜୟ ପରେ ମିଡିଆ ଆଗରେ ଜନତାଙ୍କୁ ଧନ୍ୟବାଦ ଦେଇଛନ୍ତି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ମୁଖ୍ୟ ହେମନ୍ତ ସୋରେନ ।

ଜନାଦେଶ ପାଇଁ ଜନତାଙ୍କୁ ଧନ୍ୟବାଦ ଦେଇଛନ୍ତି ହେମନ୍ତ । ମୁକ୍ତି ମୋର୍ଚ୍ଚା ସହ ମେଣ୍ଟକୁ ଗ୍ରହଣ କରିଥିବାରୁ ମୁଁ ଆପଣଙ୍କ ପାଖରେ କୃତଜ୍ଞ ବୋଲି ହେମନ୍ତ ଝାଡଖଣ୍ଡବାସୀଙ୍କୁ ହୃଦୟଖୋଲା ଧନ୍ୟବାଦ ଦେଇଛନ୍ତି । ତେବେ ସମସ୍ତଙ୍କ ପାଇଁ ଆଜିର ଦିନ ଉତ୍ସାହର ଦିନ ହୋଇଥିବା ବେଳେ ମୋ ପାଇଁ ଏହା ସଂକଳ୍ପର ଦିନ ବୋଲି ହେମନ୍ତ ପ୍ରେସମିଟରେ କହିଛନ୍ତି ।

ତେବେ ମିଳିଥିବା ଏ ଜନାଦେଶ ଶିବୁ ସୋରେନଙ୍କ ପରିଶ୍ରମର ଫଳ । ତେଣୁ ଯେଉଁ ଉଦ୍ଦେଶ୍ୟରେ ଏହା ଗଠନ ହୋଇଥିଲା ତାକୁ ପୂରା କରିବାର ପ୍ରକୃତ ସମୟ ଏବେ ଉପନୀତ ବୋଲି ହେମନ୍ତ କହିଛନ୍ତି ।

ସେପଟେ ଖାଲି ସାଧାରଣ ଜନତାଙ୍କ ନୁହଁନ୍ତି କଂଗ୍ରେସର ହେଭିୱେଙ୍କୁ ବି ଧନ୍ୟବାଦ ଜଣାଇଛନ୍ତି ହେମନ୍ତ ସୋରେନ । ତାଙ୍କ ଉପରେ ବିଶ୍ୱାସ ରଖି ଏତେ ବଡ ଦାୟିତ୍ୱ ଦେବା ସହ ସବୁଆଡୁ ସହଯୋଗ କରିଥିବାରୁ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ ଲାଲୁ ପ୍ରସାଦ ଯାଦବଙ୍କ ସହ ସମସ୍ତ କଂଗ୍ରେସ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଇଛନ୍ତି ହେମନ୍ତ ।