ବଦଳିଲା ଭାରତ ନ୍ୟାୟ ଯାତ୍ରାର ନାମ । ଦଳର ନିଷ୍ପତ୍ତି ପରେ ଏହା ଭାରତ ଯୋଡ ନ୍ୟାୟଯାତ୍ରା ନାମରେ କରାଗଲା ନାମିତ

199

କନକ ବ୍ୟୁରୋ : କଂଗ୍ରେସ ତରଫରୁ ଜାନୁଆରୀ ୧୪ ତାରିଖରୁ ଆରମ୍ଭ ହେବାକୁ ଥିବା ଭାରତ ନ୍ୟାୟ ଯାତ୍ରାର ନାମ ପରିବର୍ତ୍ତନ କରିଛି । ଏବେ ଏହି ଯାତ୍ରାକୁ ଭାରତ ଯୋଡ ନ୍ୟାୟ ଯାତ୍ରା ନାମରେ ଦଳ ନାମିତ କରିଛି । ଗୁରୁବାର ଦିନ ଦିଲ୍ଲୀସ୍ଥିତ ଦଳର ମୁଖ୍ୟାଳୟରେ ଚାଲିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଏହି ବୈଠକରେ ଅଧ୍ୟକ୍ଷତା ମଲ୍ଲିକାର୍ଜୁନ ଖଡଗେ କରିଥିଲେ । ଏଥିରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଦଳର ସମସ୍ତ ମସଚିବମାନେ ଯୋଗ ଦେଇଥିଲେ । ବୈଠକରେ ଭାରତ ନ୍ୟାୟ ଯାତ୍ରାର ନାମ ପରିବର୍ତ୍ତନ କରାଯାଇ ଭାରତ ଯୋଡ ନ୍ୟାୟ ଯାତ୍ରା ନାମରେ ନାମିତ କରାଯାଇଛି । ଏହି ବୈଠକରେ ନ୍ୟାୟ ଯାତ୍ରା ପ୍ରସ୍ତୁତି ଠାରୁ ଆରମ୍ଭ କରି ଆଗାମୀ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ସମସ୍ତ ବିଷୟରେ ଆଲୋଚନା ହୋଇଥିଲା ।

ବୈଠକ ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି କି, ୨୦୨୪ ଲୋକସଭା ନିର୍ବାଚନରେ ବହୁମତ ହାସଲ କରିବା ଓ ଭାରତ ନ୍ୟାୟ ଯାତ୍ରାର ପ୍ରସ୍ତୁତି ସହିତ ଜଡିତ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଛି । କେବଳ ସେତିକି ନୁହେଁ ବୈଠକରେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବର୍ଷିଥିଲେ ଖଡଗେ । ପ୍ରଧାନମନ୍ତ୍ରୀ ଆଜି ପର୍ଯ୍ୟନ୍ତ ମଣିପୁର ଗଲେନାହିଁ,ଏହା ସୂଚାଇ ଦେଉଛି କି, ରାଷ୍ଟ୍ରୀୟ ପ୍ରଶ୍ନ ଉପରେ ପ୍ରଧାନମନ୍ତ୍ରୀ କେତେ ଦାୟିତ୍ୱହିନତାର ସହ କାର୍ଯ୍ୟ କରୁଛନ୍ତି ।

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଜାନୁଆରୀ ୧୪ ତାରିଖରୁ ଭାରତ ଯୋଡ ନ୍ୟାୟ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ଏହି ଯାତ୍ରା ମଣିପୁରରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ତାରିଖରେ ମୁମ୍ବାଇରେ ସମାପ୍ତ ହେବ । ଏହି ଯାତ୍ରା କ୍ରମରେ ୧୪ ରାଜ୍ୟ ଓ ୮୫ଟି ଜିଲ୍ଲା କଭର କରିବ । ଯେଉଁଥିରେ ରାହୁଲ ଗାନ୍ଧୀ ଚାଲି ଚାଲି ଓ ବସରେ ୬ ହଜାର ୨୦୦ କିଲୋମିଟର ଯାତ୍ରା କରିବେ ।