ଗୁଲାମନବୀଙ୍କ ସମର୍ଥନରେ ବାହାରିଲେ ମନୀଷ ତିୱାରୀ । ଜାଣନ୍ତୁ ଦଳର ପରିଚାଳନାକୁ ନେଇ କଣ କହିଲେ

169

କନକ ବ୍ୟୁରୋ : କଂଗ୍ରେସ କନ୍ଦଳ ଥମିବାର ନାଁ ନେଉନି । ଗତକାଲି ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗୁଲାମନବୀ ଆଜାଦ ଦଳର ସମସ୍ତ ପଦ ପଦବୀରୁ ଇସ୍ତଫା ଦେଇଥିବା ବେଳେ ଆଜି ତାଙ୍କ ସମର୍ଥନରେ ବୟାନ ଦେଇଛନ୍ତି ବରିଷ୍ଠ ନେତା ମନୀଷ ତିୱାରୀ ।

ସେ ପ୍ରଥମେ କହିଛନ୍ତି କି ଦଳକୁ କୌଣସି ନେତାଙ୍କର ସାର୍ଟିଫିକେଟ ଦରକାର ନାହିଁ । ମୁଁ ଦଳରେ ୪୨ ବର୍ଷ ଧରି ରହିଛି । କଂଗ୍ରେସ ନେତାମାନେ ଦଳର ଭଡାଟିଆ ନୁହେଁ ବରଂ ଜଣେ ଜଣେ ସଦସ୍ୟ ଭାବେ କାମ କରିବା ଉଚିତ୍ । ଦଳର ସମର୍ଥନରେ ମନୀଷ ଏଭଳି ବୟାନ ଦେଇଥିବା ବେଳେ ଗୁଲାମଙ୍କ ସମର୍ଥନରେ କହିଛନ୍ତି ଯେ ଯେତେବେଳେ ଦଳର ୨୩ ଜଣ ବରିଷ୍ଠ ନେତା ଦଳର ପରିଚାଳନାଗତ ତୃଟି ଦର୍ଶାଇ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିଲେ ସେତେବେଳେ ଅଧ୍ୟକ୍ଷା ଏହାକୁ ଗମ୍ଭୀରତାର ସହ ବିଚାର କରିବାର ଥିଲା । ଏହି ଚିଠି ପରେ କଂଗ୍ରେସ ସମସ୍ତ ବିଧାନସଭା ନିର୍ବାଚନରେ ପରାଜିତ ହୋଇଥିବା କଥା ସେ ଗୁଲାମନବୀଙ୍କ ସହ ଦୋହରାଇଛନ୍ତି ।

ସେପଟେ ଗୁଲାମନବୀ ଆଜାଦ ଦଳର ସମସ୍ତ ପଦରୁ ଇସ୍ତଫା ଦେବା ପରେ ନିଜେ ଏକ ରାଜନୈତିକ ପାର୍ଟି ଗଠନ କରିବା କଥା କହିଛନ୍ତି । ସେ କହିଛନ୍ତି କି କୌଣସି ରାଷ୍ଟ୍ରୀୟ ଦଳ ଗଠନ ନେଇ ସେ ତତ୍ପର ନାହଁନ୍ତି ହେଲେ ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଖୁବଶୀଘ୍ର ଏକ ଆଞ୍ଚଳିକ ଦଳ ଗଠନ କରିବେ ।