ବିଧାନସଭାରେ ପୁଣି ଉଠିଲା ରତ୍ନ ଭଣ୍ଡାର ସୁରକ୍ଷା ପ୍ରସଙ୍ଗ । ଶ୍ରୀଜିଉଙ୍କ ସୁନା ସୁରକ୍ଷିତ ଅଛି କି ନାହିଁ, ବୋଲି ପ୍ରଶ୍ନ କଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ।

51

କନକ ବ୍ୟୁରୋ: ବିଧାନସଭା ଶୂନ୍ୟକାଳରେ ପୁଣି ଉଠିଲା ଶ୍ରୀମନ୍ଦିରର ଅସୁରକ୍ଷିତ ରତ୍ନ ଭଣ୍ଡାର ପ୍ରସଙ୍ଗ । ରତ୍ନଭଣ୍ଡାର ଚାବି ସୁରକ୍ଷିତ ଅଛି କି ନାହିଁ, ସେ ନେଇ ଗୃହରେ ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ରତ୍ନ ଭଣ୍ଡାର ଚାବି ହଜିବା ଘଟଣାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏଥିପାଇଁ ଗଠନ ହୋଇଥିବା କମିଶନ କ’ଣ ରିପୋର୍ଟ ଦେଇଛନ୍ତି, ତାହା ମଧ୍ୟ ଗୃହରେ ଉପସ୍ଥାପନ କରାଯାଉନାହିଁ ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ।

  • ଶ୍ରୀମନ୍ଦିରରେ ସୁରକ୍ଷିତ ଅଛି ଶ୍ରୀଜିଉଙ୍କ ସୁନା?
  • ରତ୍ନଭଣ୍ଡାର ସୁରକ୍ଷାକୁ ନେଇ ଗୃହରେ ଉଦବେଗ୍

ଶ୍ରୀମନ୍ଦିରର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି । ରତ୍ନଭଣ୍ଡାର ଚାବି ସୁରକ୍ଷିତ ଅଛି କି ନାହିଁ, ଶୂନ୍ୟକାଳରେ ଏସଂପର୍କରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । କହିଛନ୍ତି, ରତ୍ନ ଭଣ୍ଡାର ଚାବି ହଜିବା ଘଟଣାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏଥିପାଇଁ ଗଠିତ କମିସନଙ୍କ ରିପୋର୍ଟରେ କଣ ଅଛି, ତାହା ଗୃହରେ ଉପସ୍ଥାପନ କରାଯାଉନାହିଁ । ତେଣୁ ଜଷ୍ଟିସ ରଘୁବୀର ଦାସ କମିସନଙ୍କ ରିପୋର୍ଟ ହାଉସରେ ଉପସ୍ଥାପନ କରିବାକୁ ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି କଂଗ୍ରେସ ବିଧାୟକ । ଏଥିସହ ସେ କହିଛନ୍ତି …

  • ଗତ ୨୧ ବର୍ଷରେ ସରକାର ରତ୍ନଭଣ୍ଡାର ପାଇଁ ୨୪ଟି କମିସନ ବସାଇଛନ୍ତି
  • ଏ ବାବଦରେ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି
  • ଆଜି ପର୍ଯ୍ୟନ୍ତ ୮ଟି କମିସନଙ୍କ ରିପୋର୍ଟ ଦାଖଲ ହୋଇପାରିନି
  • କମିଶନଙ୍କ କାର୍ଯ୍ୟକାଳ ସରିବା ପରେ ତଦନ୍ତ ଆଳରେ ଅବଧି ବଢ଼ାଯାଉଛି
  • ରତ୍ନଭଣ୍ଡାର ପ୍ରସଙ୍ଗ ରାଜ୍ୟବାସୀଙ୍କ ଭାବାବେଗସହ ଜଡିତ ହୋଇଥିବା ବେଳେ ସରକାର ଏହାକୁ ଅଣଦେଖା କରିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ସନ୍ତୋଷ ସିଂ ସାଲୁଜା

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ରାଜନୈତିକ ତମ୍ବି ତୋଫାନ ସତ୍ତ୍ୱେ ପ୍ରକୃତ ସତ୍ୟ ପଦାକୁ ଆସି ପାରି ନାହିଁ । ୨୦୧୮ ମସିହାରେ ରତ୍ନଭଣ୍ଡାର ଖୋଲିବା ପାଇଁ ଚାବି ଖୋଜା ହେବା ପରେ ଏହା ହଜିଯାଇଥିବା ଘଟଣା ସାମ୍ନାକୁ ଆସିଥିଲା । ଆରଟିଆଇ ତଥ୍ୟ ଅନୁସାରେ ୧୯୭୦ ମସିହା ପରଠୁ ରତ୍ନଭଣ୍ଡାର ଚାବି ଜିଲ୍ଲା ପ୍ରଶାସନ ପାଖରେ ନଥିବା ଜଣାପଡିଛି । ତେଣୁ ପ୍ରଶ୍ନ ଉଠୁଛି ରତ୍ନଭଣ୍ଡାରରେ ମହାପ୍ରଭୁଙ୍କ ସମ୍ପତି ସୁରକ୍ଷିତ ଅଛି ତ? ଚାବି କିଏ ହଜାଇଛି ? ଚାବି ଏବେ କାହା ପାଖରେ ଅଛି? ଓଡିଶାବାସୀଙ୍କ ଭାବାବେଗ ସହ ଜଡିତ ଏହି ପ୍ରସଙ୍ଗରେ ସରକାର ତୁରନ୍ତ ଉତ୍ତର ରଖିବା ଉଚିତ ।