ରାଷ୍ଟ୍ରପତିଙ୍କୁ ଚିଠି ଲେଖି କ୍ଷମାମାଗିଲେ ଅଧୀର। ଟିପ୍ପଣୀକୁ ନେଇ ସୋନିଆ ବନାମ ସ୍ମୃତି ଇରାନୀ।

195

କନକ ବ୍ୟୁରୋ: କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଦେଇଥିବା ‘ରାଷ୍ଟ୍ରପତ୍ନୀ’ ମନ୍ତବ୍ୟ ପାଇଁ ବଡ଼ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି । କଂଗ୍ରେସ, ଦ୍ରୌପଦୀ ମୁର୍ମୁଙ୍କୁ ଅସମ୍ମାନ କରୁଛି ବୋଲି ବିଜେପି ଅଭିଯୋଗ କରିଛି । ଏଥିପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ବିଜେପି ସାଂସଦମାନେ ଲୋକସଭାରେ ଦାବି କରିଛନ୍ତି । ସେପଟେ ସନ୍ଧ୍ୟାରେ ଅଧୀର ରାଷ୍ଟ୍ରପତିଙ୍କୁ ଚିଠି ଲେଖି କ୍ଷମା ମାଗିଛନ୍ତି ।

ଅନ୍ୟପକ୍ଷରେ ଅଧୀରଙ୍କର ଏହି ଟିପ୍ପଣୀକୁ ନେଇ ସୋନିଆ ଗାନ୍ଧୀ ଓ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମୁହାଁମୁହିଁ ହୋଇଛନ୍ତି । ରାଷ୍ଟ୍ରପତିଙ୍କ ବିରୋଧରେ ଏଭଳି ଅଶୋଭନୀୟ ମନ୍ତବ୍ୟ ପାଇଁ ସୋନିଆ କ୍ଷମା ପ୍ରାର୍ଥନା କରିବାକୁ ଦାବି କରି ବିଜେପି ଆଜି ଗୃହ ଭିତରେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇଥିଲେ । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ଅଧୀରଙ୍କ ମନ୍ତବ୍ୟ ପାଇଁ ସୋନିଆ ଗାନ୍ଧି କ୍ଷମା ମାଗିବା ଉଚିତ୍ ବୋଲି କହିଛନ୍ତି । କେନ୍ଦ୍ରମନ୍ତ୍ରୀ କିରନ ରିଜିଜୁ ଅଧୀର ରଞ୍ଜନଙ୍କ ବୟାନଙ୍କୁ ଉଦ୍ଦେଶ୍ୟମୂଳକ ବୋଲି କହିଛନ୍ତି । ଅନ୍ୟପଟେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ଯେହେତୁ ଅଧୀର ରଞ୍ଜନ ଜଣେ ବଙ୍ଗାଳୀ, ତେଣୁ ତାଙ୍କୁ ହିନ୍ଦୀରେ ସାମାନ୍ୟ ସମସ୍ୟା ହୋଇଛି । ଆଉ ଏଥିପାଇଁ ସେ କ୍ଷମା ମାଗିସାରିଛନ୍ତି । ଏହା ସତ୍ୱେ ବିଜେପି ଯେଉଁଭଳି ଭାବେ ହଙ୍ଗାମା କରୁଛି, ତାହା ଲଜ୍ଜାଜନକ ବୋଲି ସେ କହିଛନ୍ତି ।

ସେପଟେ ଅଧୀର ଚୌଧୁରୀ ରାଷ୍ଟ୍ରପତିଙ୍କ ପ୍ରତି ଦେଇଥିବା ଅପମାନଜନକ ମନ୍ତବ୍ୟ କଥା ଲୋକସଭାରେ ଉଠାଇବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଓ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ରାଷ୍ଟ୍ରପତି ଭବନକୁ ଯାଇ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ।