କେନ୍ଦ୍ରାପଡ଼ା ଡିଇଓ ସଞ୍ଜୀବ ସିଂଙ୍କ ଅମାପ ସମ୍ପତି । ଦରମା ଟଙ୍କାରେ ବାଜୁନଥିଲା ହାତ, ଉପୁରି ରୋଜଗାରରେ ବନିଥିଲେ କୋଟିପତି ।

278

କନକ ବ୍ୟୁରୋ: ଲାଞ୍ଚୁଆ ସରକାରୀ ଅଧିକାରୀ । ଲାଞ୍ଚ ଟଙ୍କାରେ ଚଳେ ପରିବାର । ଦରମା ଟଙ୍କାରେ ବାଜେନି ହାତ । ଉପୁରି ଏଭଳି କରନ୍ତି ଯେ, ଘର ପରିବାର ଚଳିବା ପାଇଁ ହୋଇଯାଏ ଯଥେଷ୍ଟ । କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ ସଞ୍ଜୀବ ସିଂହ ଭିଜିଲାନ୍ସ ହାତରେ ଧରା ପଡିବା ପରେ ତାଙ୍କୁ ନେଇ କିଛି ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଯାହାକୁ ନେଇ ସରକାରୀ ବାବୁଙ୍କ ସମ୍ପତି ଖୋଳତାଡ କରୁଛି ଭିଜିଲାନ୍ସ ବିଭାଗ ।

  • ଦରମା ପଇସାରେ ବାଜୁନଥିଲା ହାତ
  • ଲାଞ୍ଚ ଟଙ୍କାରେ ଚଳୁଥିଲେ ବାବୁ!

ସରକାରୀ ଚାକିରି କରିଥିବା ଲାଞ୍ଚୁଆ ଅଧିକାରୀମାନେ ତାଙ୍କ ଦରମା ଟଙ୍କାରେ ହାତ ମାରନ୍ତି ନାହିଁ, ଯାହା ଉପୁରି ଆସେ ସେହି ଟଙ୍କାରେ ଚଳନ୍ତିି । ଲୋକେ ଏମିତି କଥାବାର୍ତ୍ତା ହେଉଥିବା ଆପଣମାନେ ଶୁଣିଥିବେ । ହେଲେ, କେବେ ହୁଏତ ପ୍ରମାଣ ପାଇନଥିବେ । କିନ୍ତୁ ଲାଞ୍ଚ ନେବାବେଳେ ଧରାପଡିଥିବା କେନ୍ଦ୍ରାପଡା ଡିଇଓ ସଞ୍ଜୀବ ସିଂଙ୍କ ସମ୍ପତ୍ତିର ଖୋଳତାଡବେଳେ ଏମିତି ତଥ୍ୟ ସାମନାକୁ ଆସିଛି । ସୂଚନା ଅନୁସାରେ ବାବୁ ଜଣଙ୍କ ଗତ ୧୯ ମାସ ହେଲା ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସୁଥିବା ଦରମାରୁ ଟଙ୍କାଟିଏ ବି ଉଠାଇ ନାହାନ୍ତିି । ଦରମା ଟଙ୍କା ଉଠାଇନଥିଲେ ବି ରାଜକୀୟ ଢ଼ଙ୍ଗରେ ଚଳୁଥିଲେ । ଅର୍ଥାତ ନିଜର କ୍ଷମତାର ଅପବ୍ୟବହାର କରି ଯେଉଁ ଲାଞ୍ଚ ନେଉଥିଲେ ସେହି ଟଙ୍କାରେ ସେ ବେଶ୍ ଆରାମରେ ଚଳୁଥିଲେ ।

କେବଳ ଲାଞ୍ଚ ଟଙ୍କାରେ ଚଳୁନଥିଲେ ବରଂ ସେହି ଟଙ୍କାରେ ସମ୍ପତି ବଢ଼ାଇ ଚାଲିଥିଲେ । ପତ୍ନୀ ଓ ଝିଅଙ୍କ ନାଁରେ ବି ଟଙ୍କା ଜମା କରିବା ସହ ଘର ଓ ଜାଗା କିଣିଥିଲେ । ନଜର ପକାନ୍ତୁ ଡିଇଓଙ୍କ ସମ୍ପତି ଉପରେ..

– ପତ୍ନୀ ଓ ଝିଅଙ୍କ ବ୍ୟାଙ୍କ ଆକାଉଣ୍ଟରୁ କୋଟିଏରୁ ଅଧିକ ଟଙ୍କା ଜବତ
– ଭୁବନେଶ୍ୱରରେ ୪ଟି ପ୍ଲଟ, କଟକରେ ଘର, ବାଲେଶ୍ୱରରେ ଘର ରହିଛି

ଜିଲ୍ଲା ଶିକ୍ଷାଧିକାରୀ ଥିବା ସଞ୍ଜୀବ ସିଂଙ୍କ ମାସିକ ମାସିକ ଦରମା ୧ ଲକ୍ଷ ୫୮ ହଜାର ଟଙ୍କା । ବିଭିନ୍ନ ବାବଦକୁ କଟିଯିବା ପରେ ତାଙ୍କ ଆକାଉଣ୍ଟକୁ ଆସୁଥିଲା ୧ଲକ୍ଷ ୪୮ ହଜାର ଟଙ୍କା । ଯେଉଁ ଟଙ୍କାରେ ଏତେ ସମ୍ପତି ଠୁଳ କରିବା ସମ୍ଭବ ନୁହେଁ । ତେଣୁ ଯେଉଁ ସବୁ ଉପାୟରେ ସେ ଏତେ ଟଙ୍କା କମାଇଥିଲେ ତାର ତଦନ୍ତ ହେବା ଆବଶ୍ୟକ । ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ସନ୍ତୋଷ କୁଣ୍ଡୁଙ୍କ ବଦଳି ଡେରାବିଶ ବିଇଓ ଅଫିସକୁ କରାଇ ଦେବା ପାଇଁ ସଞ୍ଜୀବ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରିଥିଲା ଭିଜିଲାନ୍ସ । ତାପରେ କେନ୍ଦ୍ରାପଡା ସ୍ଥିତ ତାଙ୍କ ଭଡା ଘର ଓ କାର୍ଯ୍ୟାଳୟ, ବାଲେଶ୍ୱର ସ୍ଥିତ ପୈତୃକ ଘର ଏବଂ କଟକ ବାସଭବନରେ ଏକକାଳୀନ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍ ।