ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ମିଳିଲା ଜାମିନ, ଜାଣନ୍ତୁ ଜେଲରୁ କେବେ ବାହାରିବେ

64

କନକ ବ୍ୟୁରୋ : ଅର୍ଥ ହେରଫେର ମାମଲାରେ ଜେଲରେ ଥିବା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଜାମିନ ମିଳିଛି । ଏହି ଅର୍ଥ ହେରଫେର ମାମଲାରେ ସିବିଆଇ ଯାଂଚ କରୁଛି  । ଏହି ମାମଲାରେ ଅନିଲଙ୍କୁ ଜାମିନ ମିଳିଥିଲେ ବି ଏବେ ସେ ଜେଲରୁ ମୁକୁଳିପାରିବେ ନାହିଁ । ତଳକୋର୍ଟ ଜାମିନ ଦେଇଥିବା ବେଳେ ସିବିଆଇ ଏହି ମାମଲାକୁ ହାଇକୋର୍ଟକୁ ନେବାକୁ ଚାହୁଁଛି । ଏନେଇ ସିବିଆଇ ପକ୍ଷରୁ ଅନିଲଙ୍କୁ ଏବେ ଜେଲରୁ ବାହାରକୁ ନଛାଡିବାକୁ ତଳକୋର୍ଟରେ ଆବେଦନ କରିଛି ସିବିଆଇ ।

ଜଷ୍ଟିସ ଏମଏସ କାର୍ଣ୍ଣିକଙ୍କ ଏକ ପୀଠ ଉଭୟ ପକ୍ଷର ଓକିଲଙ୍କ ଯୁକ୍ତି ଶୁଣିବା ପରେ ଦେଶମୁଖଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଦେଶମୁଖ ଏବେ ମୁମ୍ବାଇର ଆର୍ଥର ରୋଡ ଜେଲରେ ରହିଛନ୍ତି । ସୂଚନା ଥାଉକି ସିବିଆଇର ଏକ ସ୍ୱତନ୍ତ୍ର ଅଦାଲତ ଗତମାସରେ ଦେଶମୁଖଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲା । ଏହାପରେ ଦେଶମୁଖ ଏହି ମାମଲାକୁ ନେଇ ହାଇକୋର୍ଟରେ ପହଂଚିଥିଲେ । ସେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ଜାମିନ ଆବେଦନ କରିଥିଲେ ।

ଅର୍ଥ ହେରଫେର ମାମଲାରେ ଗତବର୍ଷ ନଭେମ୍ବର ମାସରୁ ଦେଶମୁଖ ଜେଲରେ ରହିଛନ୍ତି । ହେଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦେଶମୁଖଙ୍କ ଉପରେ ଯେଉଁ ଅଭିଯୋଗ ଆଣିଥିଲା ସେହି ମାମଲାରେ ଗତମାସ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିସାରିଛନ୍ତି ।

କହିରଖୁ କି ଆଇପିଏସ ଅଧିକାରୀ ପରମ ବୀର ସିଂ ମାର୍ଚ୍ଚ ୨୦୨୧ ରେ ଦେଶମୁଖଙ୍କ ନାମରେ ଅଭିଯୋଗ ଆଣିଥିଲେ କି ଦେଶମୁଖ ଗୃହମନ୍ତ୍ରୀ ଥିବା ବେଳେ ରାଜ୍ୟର ପୋଲିସ ଅଧିକାରୀଙ୍କୁ ପ୍ରତିମାସ ୧୦୦ କୋଟି ଟଙ୍କା ଚାନ୍ଦା ଆଦାୟ କରି ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।