କଂଗ୍ରେସର ଗ୍ୟାରେଣ୍ଟି: ବିଜୟୀ ହେଲେ ଦେବେ ୯ ସୁବିଧା

171

କନକ ବ୍ୟୁରୋ: ବିଜେଡି-ବିଜେପି ମେଂଟ ହେବକି ନାହିଁ ସ୍ପଷ୍ଟ ହୋଇପାରୁନି । ନିର୍ବାଚନ ତାରିଖ ଘୋଷଣା ହୋଇନି କି କୌଣସି ଦଳ ପ୍ରାର୍ଥୀ ଦେଇନାହାନ୍ତି । କିନ୍ତୁ ଆଗୁଆ ପ୍ରତିଶ୍ରୁତିର ପାହାଡ ଠିଆ କରିଛି ରାଜ୍ୟ କଂଗ୍ରେସ । ୨୪ ପାଇଁ ଦେଇଛି ୯ ଗ୍ୟାରେଂଟି ଓ ୯୦ ସଂକଳ୍ପ । ନିର୍ବାଚନୀ ଇସ୍ତାହାରରେ ମହିଳାଙ୍କ ପାଇଁ ଗୃହଲକ୍ଷ୍ମୀ ଯୋଜନା, ଚାଷୀଙ୍କ ପାଇଁ ପେନ୍ସନ, ବେକାରୀ ଭତା, କୃଷିରୁଣ ଛାଡ ସହ ବିଜୁଳି ବିଲ ଛାଡ ନେଇ ଘୋଷଣା କରିଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ।

୨୦୨୪ ନିର୍ବାଚନ ପାଇଁ ଇସ୍ତାହାର ଜାରି କରିଛି ରାଜ୍ୟ କଂଗ୍ରେସ । ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ପିସିସି ସଭାପତି, ରାଜ୍ୟ କଂଗ୍ରେସ ପ୍ରଭାରୀ ଇସ୍ତାହାର ଜାରି କରିଛନ୍ତି । ୨୪ ବର୍ଷର ବିଜେଡି ଓ ୯ ବର୍ଷର ବିଜେପି ଶାସନରେ ଯାହା ହୋଇନାହିଁ ତାହା କରି ଦେଖାଇବାକୁ ପ୍ରତିଶ୍ରୁତି ଦେଇଛି ଦଳ । କଂଗ୍ରେସ ସରକାର ପ୍ରତିଷ୍ଠା ହେଲେ,

– ସମସ୍ତ କୃଷି ଋଣ ଛାଡ କରାଯିବ, ଚାଷୀଙ୍କୁ ମାସିକ ୨ ହଜାର ଟଙ୍କାର ପେନସନ୍
– ଉପଭୋକ୍ତାଙ୍କ ପାଇଁ ୨୦୦ ୟୁନିଟ ବିଦ୍ୟୁତ ଦେୟ ଛାଡ଼
– ୫ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା, ବେକାରୀ ଭତ୍ତା ମାସିକ ୩ ହଜାର ଟଙ୍କା
– ସମସ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ଼
– ଗୃହଲକ୍ଷ୍ମୀ ଯୋଜନାରେ ପ୍ରତି ଘରର ମହିଳା ମୁଖ୍ୟଙ୍କୁ ୨ ହଜାର ଟଙ୍କା ଭତ୍ତା
– ପ୍ରତି ପରିବାରକୁ ମାସକୁ ୫୦୦ ଟଙ୍କାରେ ସିଲିଣ୍ଡର
– ସମସ୍ତଙ୍କ ପାଇଁ ୨୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା
– ବାର୍ଦ୍ଧକ୍ୟ, ବିଧବା ଓ ଦିବ୍ୟାଙ୍ଗଙ୍କୁ ମିଳି ମାସିକ ୨ ହଜାର ଟଙ୍କା ଭତ୍ତା
– ୭ ଲକ୍ଷ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ୬ ମାସ ଭିତରେ ଟଙ୍କା ଫେରସ୍ତ

କର୍ଣ୍ଣାଟକ ଓ ତେଲେଙ୍ଗାନାରେ ଏହିଭଳି, ଲୋଭନୀୟ ଅଫର ଦେଇ, ସରକାରକୁ ଫେରିଥିଲା କଂଗ୍ରେସ । ସେହିଭଳି ଲୋଭନୀୟ ପ୍ରତିଶ୍ରୁତି ଦେଇ ଭୋଟରଙ୍କୁ ଆକୃଷ୍ଠ କରିପାରିବେ ବୋଲି ଆଶା ରଖିଛନ୍ତି ଓଡିଶା ନେତା ।

ରାହୁଲ ଗାନ୍ଧୀଙ୍କ ନାରୀ ନ୍ୟାୟ ଗ୍ୟାରେଂଟି ଓ ଓଡିଶାରେ କଂଗ୍ରେସର ଗୃହଲକ୍ଷ୍ମୀ ସ୍କିମ୍ ଘୋଷଣା କରି, ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରିଛି କଂଗ୍ରେସ । ତେବେ କଂଗ୍ରେସର ଏହି ଗ୍ୟାରେଂଟିକୁ ଲୋକେ କେତେ ବିଶ୍ୱାସ କରୁଛନ୍ତି ତାହା ଆଗାମି ନିର୍ବାଚନରେ ସ୍ପଷ୍ଟ ହେବ ।