କାଲି ନିର୍ବାଚନ ତାରିଖ ଘୋଷଣା: ହେଲେ ଏଯାଏଁ ଦୂର ହେଉନି ମେଣ୍ଟ ଦ୍ୱନ୍ଦ୍ୱ

114

କନକ ବ୍ୟୁରୋ: ରାତି ପାହିଲେ ବାଜିବ ୨୪ ବିଗୁଲ । ହେଲେ ଏଯାଏଁ ରାଜ୍ୟ ରାଜନୀତିରେ ନିର୍ବାଚନ ଆଧାର ତିଆରି ହୋଇପାରିନାହିଁ । ରାଜନୈତିକ ଦଳର ସବୁ ନିର୍ବାଚନୀ କସରତ ଯେମିତି ମେଂଟ ଚର୍ଚ୍ଚା ପାଖରେ ଅଟକି ଯାଇଛି । ଆଉ ଏହାରି ଭିତରେ ମେଂଟ ବାବଦରେ ଜାଣିବା ପାଇଁ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ରାଜନେତା ଯାଏଁ ସମସ୍ତଙ୍କ ମଧ୍ୟରେ ଉକ୍ରଣ୍ଠା ବଢି ଯାଇଛି । ବିଭିନ୍ନ ଆଳ ଦେଖାଇ ତଥ୍ୟ ସଂଗ୍ରହ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି ।

ଆସନ୍ତାକାଲି ଅପରାହ୍ଣ ୩ଟା ବେଳେ ନିର୍ବାଚନ ତାରିଖ ଘୋଷଣା କରିବେ ନିର୍ବାଚନ କମିସନ । କିନ୍ତୁ ଏପର୍ଯ୍ୟନ୍ତ ରାଜ୍ୟରେ ନିର୍ବାଚନ କେଉଁ ଆଧାର ସ୍ପଷ୍ଟ ହେଉନାହିଁ । କାରଣ ଶାସକ ଦଳ ବିଜେଡି ଓ ମୁଖ୍ୟ ବିରୋଧୀ ଦଳ ବିଜେପି ମଧ୍ୟରେ ମେଂଟ ହେବା ନେଇ ପାଖାପାଖି ୧୫ ଦିନ ହେଲା ଯେଉଁ କସରତ ଚାଲିଛି, ତାହା ରୂଡ଼ାନ୍ତ ହୋଇପାରୁନାହିଁ । କେଉଁ ଏକ ଅଜଣା କାରଣରୁ ଆଜି ଅସମ୍ଭବ ନିରବତା ଅବଲମ୍ବନ କରିଛନ୍ତି ଉଭୟ ଦଳର ଶୀର୍ଷ ନେତୃତ୍ୱ । ମେଂଟ ହେବ କି ଅଲଗା ଅଲଗା ଦୁଇ ଦଳ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ହୋଇ ନିର୍ବାଚନ ମଇଦାନକୁ ଓହ୍ଲାଇବେ, ଜାଣିବା ପାଇଁ ସାରା ଓଡ଼ିଶା ଅପେକ୍ଷା କରି ରହିଛି । କେବଳ ସାଧାରଣ ଜନତା ନୁହେଁ, ଉଭୟ ବିଜେପି ଓ ବିଜେଡିର ଛାମୁଆ ନେତା ଓ କର୍ମୀ ମଧ୍ୟ ଦ୍ୱନ୍ଦ୍ୱରେ ରହିଛନ୍ତି ।

ବିଜେଡି ବିଜେପି ମେଂଟକୁ ନେଇ ଚର୍ଚ୍ଚା ଭିତରେ, ନବୀନ ନିବାସ ଓ ଶଂଖ ଭବନରେ ଲାଗିଛି ନେତା ଓ ସମର୍ଥକଙ୍କ ଭିଡ । ନେତା ଓ ବିଭିନ୍ନ ସଂଗଠନର କର୍ମକର୍ତା ନିଜ ନିଜର ସମର୍ଥକଙ୍କୁ ଧରି ଶୁଭେଛା ଜଣାଇବା ପାଇଁ ପହଁଚିଛି । କିନ୍ତୁ ଏହି ଭିଡ ପଛରେ ଦୁଇଟି କାରଣ ଥିବା କୁହାଯାଉଛି । ନେତାମାନେ ନିଜ ନିଜର ଲବି କରିବା ସହ ମେଂଟ ହେବ କି ନାହିଁ ଜାଣିବା ପାଇଁ ଭୁବନେଶ୍ୱର ଆସିଛନ୍ତି । ସଂକେତ ପାଇଲେ ଆଗାମୀ ନିର୍ବାଚନ ପାଇଁ ସେହି ଅନୁସାରେ ପ୍ରସ୍ତୁତ କରିବେ ରଣନୀତି ।

କେବଳ ବିଜେଡି ନୁହେଁ ବିଜେପି କାର୍ଯ୍ୟାଳୟରେ ବି ବିଭିନ୍ନ ସ୍ଥାନରୁ ଆସି ନେତା ଓ କର୍ମୀ ପହଁଚିଛନ୍ତି । ମେଂଟ ନେଇ ରାଜ୍ୟସ୍ତରୀୟ ନେତାଙ୍କୁ ଭେଟି ପଚାରୁଛନ୍ତି । କେହି କେହି ସାମ୍ବାଦିକଙ୍କୁ ପଚାରୁଛନ୍ତି । ହେଲେ, କାହା ପାଖରେ ନାହିଁ ସ୍ପଷ୍ଟ ସୂଚନା । ତଥାପି ନିଜ ଦଳର ନାରାବାଜି କରି ନିଜକୁ ଉତ୍ସାହିତ କରୁଛନ୍ତି ।

ଗୁରୁବାର ବିଜେପି ରାଜ୍ୟ ସଭାପତିଙ୍କ ମନ୍ତବ୍ୟ ଓ ବିଜେଡି ବରିଷ୍ଠ ନେତାଙ୍କ ବୈଠକ ପରେ, ଆଶା କରାଯାଉଥିଲା ମେଂଟକୁ ନେଇ ଚିତ୍ର ସ୍ପଷ୍ଟ ହେବ । ମେଂଟକୁ ନେଇ ଉଭୟ ଦଳ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିବ । ହେଲେ, ସମୟ ଗଡି ଚାଲିଥିବାରୁ ଆଶା ଆଶଙ୍କା ବଢ଼ିବାରେ ଲାଗିଛି । ବିଜେଡି-ବିଜେପି ନେତାଙ୍କ ଘନ ଘନ ବୈଠକ, ଦିଲ୍ଲୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ ମାନସ ମନ୍ଥନ ସତ୍ୱେ ବି ମେଂଟର ଚିତ୍ର ଅସ୍ପଷ୍ଟ ରହିଛି । ଦୁଇ ଦଳର ବରିଷ୍ଠ ନେତାଙ୍କ ନିରବତା, ମେଂଟ ଦ୍ୱନ୍ଦ୍ୱକୁ ଆହୁରି ବଢ଼ାଇ ଦେଇଛି ।