କାଲି ନିର୍ବାଚନ ତାରିଖ ଘୋଷଣା: ସାରାଦେଶରେ ଲାଗୁ ହେବ ଆଦର୍ଶ ଆଚରଣ ବିଧି

127

କନକ ବ୍ୟୁରୋ: ନିର୍ବାଚନ କେବେ ହେବ? କେତୋଟି ପର୍ଯ୍ୟାୟରେ ନିର୍ବାଚନ ହେବ? ଏହାକୁ ନେଇ ଲାଗି ରହିଥିବା ଚର୍ଚ୍ଚା ଉପରେ ପଡିବ ପୂର୍ଣ୍ଣଛେଦ । ଆସନ୍ତାକାଲି ନିର୍ବାଚନ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ । ଆଉ ତାପରେ ଦେଶର ସମସ୍ତ ରାଜନୈତିକ ଦଳଙ୍କ ପାଇଁ ଆରମ୍ଭ ହେବ ଅସଲ ପରୀକ୍ଷା । କେଉଁ ଦଳକୁ ସାଧାରଣ ଜନତା କେତେ ଗ୍ରହଣ କରୁଛି ତାହା ସ୍ପଷ୍ଟ ହେବ ।

ଦୀର୍ଘ ଦିନର ଅପେକ୍ଷା ପରେ ଘୋଷଣା ହେବ ନିର୍ବାଚନ ତାରିଖ । ଦୁଇ ନୂଆ ନିର୍ବାଚନ କମିଶନଙ୍କ ନିଯୁକ୍ତି ପରେ ଶନିବାର ନିର୍ବାଚନ ତାରିଖ ଘୋଷଣା କରିବାକୁ ନିଷ୍ପତି ନେଇଛନ୍ତି ନିର୍ବାଚନ ଆୟୋଗ । ଏନେଇ ଆଜି ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ନିର୍ବାଚନ କମିଶନ । ଏଥିପାଇଁ ଶନିବାର ଅପରାହ୍ଣ ୩ଟାକୁ ସମୟ ଧାର୍ଯ୍ୟ କରିଛନ୍ତି ଇସି ।

ନିର୍ବାଚନ ଆୟୋଗ ଲୋକସଭା ନିର୍ବାଚନ ସହ ୪ଟି ରାଜ୍ୟର ବିଧାନସଭା ପାଇଁ ତାରିଖ ଘୋଷଣା କରିବେ । ନିର୍ବାଚନ ତାରିଖ ଘୋଷଣା ହେବା ପରେ ସାରାଦେଶରେ ଲାଗୁ ହେବ ଆଦର୍ଶ ଆଚରଣ ବିଧି ।

ଲୋକସଭା ସହ ଓଡି଼ଶା, ସିକ୍କିମ, ଅରୁଣାଚଳପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନ ହେବ । ଗତ ୨୦୧୯ରେ ମଧ୍ୟ ଏହି ସବୁ ରାଜ୍ୟରେ ଲୋକସଭା ସହ ବିଧାନସଭା ନିର୍ବାଚନ ହୋଇଥିଲା । ଓଡିଶାରେ ଲୋକସଭା ସହ ବିଧାନସଭା ନିର୍ବାଚନ ହୋଇଥିଲା । ଚାରିଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହୋଇଥିଲା । ତେଣୁ ଏଥର ଓଡିଶାରେ କେତୋଟି ପର୍ଯ୍ୟାୟରେ ନିର୍ବାଚନ ହେବ ତା ଉପରେ ସମସ୍ତଙ୍କ ନଜର ରହିଛି । ତେବେ ସବୁ ରାଜନୈତିକ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ।

ନିର୍ବାଚନ କମିସନ ନିର୍ବାଚନ ତାରିଖ ଘୋଷଣା କରିବା ସହ ମଡେଲ କୋଡ୍ ଅଫ୍ କଣ୍ଡକ୍ଟ ବା ଆଦର୍ଶ ଆଚରଣ ବିଧି ଲାଗୁ ହେବ । ନଜର ପକନ୍ତୁ – କ’ଣ ଏହି

ଆଦର୍ଶ ଆଚରଣ ବିଧି
ଉଭୟ ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ଉପରେ ଆଦର୍ଶ ଆଚରଣ ବିଧି ଲାଗୁ ହୁଏ
ଘୃଣା, ବିଭେଦ ଓ ଉତ୍ତେଜନା ସୃଷ୍ଟି କରୁଥିବା ଭାଷଣ କିମ୍ବା କାର୍ଯ୍ୟ ଉପରେ ଅଙ୍କୁଶ ଲାଗିଥାଏ
କେବଳ ଯୋଜନା, କାର୍ଯ୍ୟକ୍ରମ ସଂପର୍କରେ ସମାଲୋଚନା କରିପାରିବେ ରାଜନୈତିକ ଦଳ
ସରକାରୀ କଳର ଅପବ୍ୟବହାର କରିପାରିବେନି ଶାସକ ଦଳ
ସରକାରୀ କାର୍ଯ୍ୟକ୍ରମ ଭିତରେ ନିର୍ବାଚନୀ ପ୍ରଚାର କରିପାରିବେନି ମନ୍ତ୍ରୀ ଓ ବିଧାୟକ
ସର୍ବସାଧାରଣ ସ୍ଥଳ, ସରକାରୀ ବଙ୍ଗଳା ଆଦିର ଏକଚାଟିଆ ବ୍ୟବହାର କରିପାରିବେନି ଶାସକ ଦଳ
କୌଣସି ନୂଆ ଯୋଜନା, ଘୋଷଣା କରିପାରିବେନି ସରକାର
ରାଜନୈତିକ ଫାଇଦା ପାଇଁ ସରକାରୀ ଅର୍ଥରେ ବିଜ୍ଞାପନ ଦେବା ମନା
ମାଗଣା ବଣ୍ଟନ ଆଦି ଉପରେ ଅଙ୍କୁଶ

୨୦୧୯ରେ ମାର୍ଚ୍ଚ ୧୦ତାରିଖରେ ତାରିଖ ଘୋଷଣା କରିଥିଲେ ନିର୍ବାଚନ କମିଶନ । କିନ୍ତୁ ଏଥର ଜଣେ କମିଶନ ଅଚାନକ ପଦରୁ ଇସ୍ତଫା ଦେବାରୁ ତାରିଖ ଘୋଷଣା ସାମାନ୍ୟ ବିଳମ୍ବ ହୋଇଛି । ସୂଚନା ରହିଛି ଏପ୍ରିଲରୁ ଜୁନ୍ ମାସ ଭିତରେ ଦେଶରେ ସାଧାରଣ ନିର୍ବାଚନ ହୋଇପାରେ ।