କ୍ୟାନସର ନଥାଇ କାଟିଦେଲେ କି ରୋଗୀଙ୍କ ଅଙ୍ଗ ? ରାଜ୍ୟର ସବୁଠାରୁ ବଡ଼ ମେଡିକାଲ କଲେଜ ଏସସିବି ବିରୋଧରେ ଅଭିଯୋଗ ।

158

କନକ ବ୍ୟୁରୋ: ରାଜ୍ୟର ସବୁ ବଡ଼ ମେଡିକାଲ, ଯାହାକୁ ଏମ୍ସ ପ୍ଲସ୍ ହପ୍ସିଟାଲରେ ପରିଣତ କରିବା ପାଇଁ ସରକାର ଅଣ୍ଟା ଭିଡୁଥିବା ବେଳେ ଏପରି ଏକ ଅଭିଯୋଗ ହୋଇଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳର ୪୫ ବର୍ଷୀୟା ପ୍ରଦୀପ୍ତା ଶତପଥୀ । ତାଙ୍କ ଛାତିରେ ଏକ ମାଂସ ବଢ଼ିବାରୁ ଗତବର୍ଷ ଅଗଷ୍ଟ ୬ତାରିଖରେ ଏସସିବିର ସର୍ଜରି ବିଭାଗକୁ ଚିକିତ୍ସା ପାଇଁ ଯାଇଥିଲେ । ସେଠାରେ ତାଙ୍କର କ୍ୟାନସର ପରୀକ୍ଷା କରାଯାଇଥିଲା । ବାୟୋପ୍ସି ରିପୋର୍ଟ ନେଗେଟିଭ୍ ଆସିବାରୁ ଡାକ୍ତର ଔଷଧ ଖାଇବା ଲାଗି ପରାମର୍ଶ ଦେବା ସହ ଚଳିତ ବର୍ଷ ଜାନୁଆରୀ ୨୬ ତାରିଖ ପରେ ଅସ୍ତ୍ରୋପଚାର ପାଇଁ ସମୟ ଦେଇଥିଲେ । କିନ୍ତୁ କରୋନାର ତୃତୀୟ ଲହର ଯୋଗୁଁ ମାର୍ଚ୍ଚ ୧୬ ତାରିଖରେ ହୋଇଥିଲା ଅପରେସନ୍ । ଏସସିବିର ସର୍ଜରି ବିଭାଗରେ ତାଙ୍କର ଅସ୍ତ୍ରୋପଚାର କରାଯାଇ ମାଂସକୁ ବାହାର କରି ଦିଆଯାଇଥିଲା ।

ଅସ୍ତ୍ରୋପଚାର ପରେ ବାହାରିଥିବା ମାଂସକୁ ବାୟୋପ୍ସି ପାଇଁ ପୁଣିଥରେ ପଠାଯାଇଥିଲା । ଏପ୍ରିଲ ୬ତାରିଖରେ ରିପୋର୍ଟ କ୍ୟାନସର ପଜିଟିଭ୍ ଥିବା ରିପୋର୍ଟ ଆସିଥିଲା । କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିଲେ । ଏସସିବି ପାଥୋଲୋଜି ଦେଇଥିବା ରିପୋର୍ଟକୁ ଆଧାର କରି ମେ’ ୧୩ ତାରିଖରେ ଡାକ୍ତର ପୁଣିଥରେ ଅସ୍ତ୍ରୋପଚାର କରିଥିଲେ । ଜୁନ ମାସରୁ ୨ଟି କେମୋ ମଧ୍ୟ ଦିଆଯାଇଛି ।

  • ଗତବର୍ଷ ଅଗଷ୍ଟ ୬ତାରିଖରେ ଏସସିବିର ସର୍ଜରି ବିଭାଗକୁ ଚିକିତ୍ସା ପାଇଁ ଆସିଥିଲେ ପ୍ରଦୀପ୍ତା
  • ଜାନୁଆରୀ ୨୬ ତାରିଖ ପରେ ଅସ୍ତ୍ରୋପଚାର ପାଇଁ ସମୟ ଦେଇଥିଲେ ଡାକ୍ତର
  • କରୋନାର ତୃତୀୟ ଲହର ଯୋଗୁଁ ମାର୍ଚ୍ଚ ୧୬ ତାରିଖରେ ହୋଇଥିଲା ଅପରେସନ
  • ଅସ୍ତ୍ରୋପଚାର ପରେ ବାହାରିଥିବା ମାଂସକୁ ବାୟୋପ୍ସି ପାଇଁ ପୁଣିଥରେ ପଠାଯାଇଥିଲା
  • ଏପ୍ରିଲ ୬ତାରିଖରେ ରିପୋର୍ଟ କ୍ୟାନସର ପଜିଟିଭ୍ ଥିବା ରିପୋର୍ଟ ଆସିଥିଲା
  • ଏସସିବି ପାଥୋଲୋଜି ଦେଇଥିବା ରିପୋର୍ଟକୁ ଆଧାର କରି ମେ’ ୧୩ତାରିଖରେ ପୁଣିଥରେ ଅସ୍ତ୍ରୋପଚାର କରାଯାଇଥିଲା

ଏପ୍ରିଲ ୬ ତାରିଖରେ ଏସସିବି ପାଥୋଲଜି ବିଭାଗ ପଜିଟିଭ୍ ରିପୋର୍ଟ ଦେଇଥିଲା । ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ରେଡିଓ ଥେରାପିଷ୍ଟଙ୍କ ମନରେ ସନ୍ଦେହ ଉପୁଜିବାରୁ ଆଉ ଥରେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ପରୀକ୍ଷା ପାଇଁ କହିଥିଲେ । ମାତ୍ର ଏସସିବି କର୍ମଚାରୀ ନମୁନା ଦେବାକୁ ମନା କରିଥିଲେ । ପରେ ହିଷ୍ଟୋପାଥୋଲଜିକୁ ଯିବା ପରେ ନମୁନା ନମ୍ବର ପି-୫୩ ଓ ପି-୬୩ରେ ସଂଶୋଧନ କରି ରିପୋର୍ଟ ଦେଇଥିଲେ । ଯାହାକୁ ନେଇ ଦ୍ୱନ୍ଦ୍ୱ ଉପୁଜିବାରୁ ଘରୋଇ ଲ୍ୟାବରେ ନମୁନା ପରୀକ୍ଷା କରିଥିଲେ ପରିବାର ଲୋକ । ସେଠାରେ ରିପୋର୍ଟ ନେଗେଟିଭ୍ ଆସିଥିଲା । ଏସସିବିରେ ନମୁନା ରିପୋର୍ଟ ନମ୍ବରରେ ହୋଇଥବା ତ୍ରୁଟିକୁ ଟାଇପିଂ ଏରର୍ ଓ ମନୁଷ୍ୟକୃତି ବୋଲି କହିଥିଲେ ଏସସିବି କର୍ମଚାରୀ । ପରିବାର ଲୋକ ସନ୍ଦେହ କରୁଛନ୍ତି ଭିନ୍ନ ନମୁନାର ରିପୋର୍ଟ ଦିଆଯାଇଛି ।

ତେବେ ଏସସିବି କର୍ତ୍ତୃପକ୍ଷ କହିଛନ୍ତି ଅଭିଯୋଗ ଆସିବା ପରେ ରିପୋର୍ଟ ମଗାଯାଇଛି, ଯଦି କେହି ତ୍ରୁଟି କରିଥିବେ । ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଅଙ୍ଗ ହରାଇ, ଦୁଇଟି କେମୋ ନେଇ ଏବେ ରୋଗୀ ଜଣଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି । ରିପୋର୍ଟକୁ ସନ୍ଦେହ ଉପୁଜିବା ପରେ ଚିକିତ୍ସା ମଧ୍ୟ ବନ୍ଦ କରିଛି ।

  • କ୍ୟାନସର ଅଛି କି ନାହିଁ କେମିତି ହେବ ସ୍ପଷ୍ଟ?
  • ଯଦି ତାଙ୍କୁ କ୍ୟାନସର ହୋଇନାହିଁ, ତେବେ ଏଥିପାଇଁ କିଏ ରହିବେ ଦାୟୀ?
  • ହସ୍ପିଟାଲ କର୍ତୃପକ୍ଷ ଉତ୍ତରଦାୟିତ୍ୱ ନେବେ ନା ରାଜ୍ୟ ସରକାର କିଛି ବ୍ୟବସ୍ଥା କରିବେ? ଏବେ ଏହିପରି ଅନେକ ପ୍ରଶ୍ନ ଉଠିଛି