ଅଧାରେ ରହିଗଲା ଝିଅ ସହ ରଙ୍ଗ ଖେଳ… ଝିଅକୁ ଆଣିବାକୁ ଯାଉଥିଲେ, ଅଧା ବାଟରେ ଆଖି ବୁଜିଲେ… ହୋଲିର ପର୍ବରେ ସୋରରୁ ଆସିଲା ହୃଦୟଥରା ଖବର

17,349

କନକ ବ୍ୟୁରୋ: ଅଧାରେ ରହିଗଲା ରଙ୍ଗ ଖେଳ । ଫିକା ପଡିଗଲା ହୋଲରି ପର୍ବ । ଆଉ କିଛି ବାଟ ଗଲା ପରେ ଝିଅକୁ ନେଇ ଘରକୁ ଫେରିଥାନ୍ତା ବାପା । ବଜାରରୁ ରଙ୍ଗ କିଣି ଘରକୁ ଫେରି ସାତ ରଙ୍ଗରେ ହୋଲି ଖେଳିଥାନ୍ତେ ପୂରା ପରିବାର । ହେଲେ ବାପ-ଝିଅର ସବୁ ସ୍ୱପ୍ନ ଅଧାରେ ରହିଗଲା । ଅଧା ବାଟରେ ଉଡିଗଲା ଅବିରର ରଙ୍ଗ । ବାଇକ ଦୁର୍ଘଟଣାରେ ପ୍ରାଣ ହରାଇଲେ ଝିଅକୁ ନେବାକୁ ଆସୁଥିବା ବାପା ।

ହୋଲିର ପର୍ବରେ ସୋରରୁ ଆସିଛି ଏଭଳି ହୃଦୟ ଥରା ଖବର । ସୂଚନା ଅନୁସାରେ ଆଜି ସକାଳେ ଝିଅକୁ ନେବାକୁ ସୋର ଆସୁଥିଲେ ମହୁମୁହାଣର ନରେନ୍ଦ୍ର ଜେନା । ହୋଲି ପାଇଁ କଲେଜ ଛୁଟି ଥିବାରୁ ଝିଅକୁ ଘରକୁ ନେବାକୁ ଆଉ ଆସିବା ବାଟରେ ରଙ୍ଗ କିଣି ଫେରିବାକୁ ବାଇକରେ ବାହାରିଥିଲେ ନରେନ୍ଦ୍ର । ହେଲେ ଭାଗ୍ୟରେ ଲେଖାଥିଲା ଆଉ କିଛି । ରଙ୍ଗ ଲାଗିବା ଆଗରୁ ସବୁଦିନ ପାଇଁ ଲିଭି ଯାଇଥିଲା ଜୀବନର ରଙ୍ଗ ।

ତେବେ ବାଗୁଡି ବଜାର ନିକଟରେ ୨ ଷଣ୍ଢ ଲଢେଇ କରୁଥିଲେ । ଆଉ ନରେନ୍ଦ୍ର ସେହି ସମୟରେ ଆସିବା ବେଳେ ତାଙ୍କ ବାଇକକୁ ଷଣ୍ଢ ଧକା ଦେଇଥିଲେ ଏବଂ ପରେ ତାଙ୍କୁ ଟେକି କଚାଡି ଦେଇଥିଲେ । ତେବେ ଏତିକିରେ ସରି ନଥିଲା ମୃତ୍ୟୁର ତାଣ୍ଡବ । ଷଣ୍ଢଙ୍କ ସହ ଧକ୍କା ହେବା ପରେ ପଛରୁ ଆସୁଥିବା ଏକ ଦୃତଗାମୀ ଟ୍ରକ ତାଙ୍କ ଉପରେ ଚଢି ଯାଇଥିଲା । ଆଉ କିଛି ବାଟ ଘୋଷାଡି ଘୋଷାଡି ନେଇଯାଇଥିଲା । ଶେଷରେ ସେହି ରାସ୍ତାରେ ହିଁ ପ୍ରାଣ ହରାଇଥିଲେ ନରେନ୍ଦ୍ର । ହୋଲି ପର୍ବରେ ରଙ୍ଗ ବଦଳରେ ତାଙ୍କ ଚାରିପଟେ ମୃତ୍ୟୁ ଘେରିଥିଲା । ନରେନ୍ଦ୍ରଙ୍କ ଆକସ୍ମିକ ମୃତ୍ୟୁ ପରେ ସାରା ଅଞ୍ଚଳ ସ୍ତବ୍ଧ ହୋଇଯାଇଛି ।