କଲେଜ ଗଲାବେଳେ, ଚଢିଗଲା କାର । ଦୁର୍ଘଟଣାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ ।

753

କନକ ବ୍ୟୁରୋ: କଲେଜ ଯାଉଥିବା ଛାତ୍ରୀ ଉପରେ ଚଢ଼ିଗଲା କାର । କାର ଦୁର୍ଘଟଣାରେ ଆଖି ବୁଜିଦେଲେ ଭଦ୍ରକ ମଣିକଲାଲ ମହିଳା ମହାବିଦ୍ୟାଳୟର ଛାତ୍ରୀ । ଯୁକ୍ତ ଦୁଇରେ ପାଠ ପଢ଼ୁଥିବା ପ୍ରଭାସିନୀ ନାୟକଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଆଉ ଭଦ୍ରକ, ନନ୍ଦପୁର ଛକ ନିକଟରେ ଘଟିଥିବା ଏହି ଦୁର୍ଘଟଣା ପରେ ସୃଷ୍ଟି ହୋଇଥିଲା ବ୍ୟାପକ ଉତେଜନା ।

  • ରାସ୍ତା ଉପରେ ଜଳୁଛି ପ୍ରତିବାଦର ନିଆଁ
  • ଛାତ୍ରୀ ଉପରେ ଚଢ଼ିଗଲା କାର, ତାତିଲେ ଲୋକ

କଲେଜ ଯାଉଥିବା ଛାତ୍ରୀଙ୍କ ଉପରେ କାର ଚଢ଼ିଯିବା ପରେ ଲୋକଙ୍କ ପ୍ରତିବାଦ । ଭଦ୍ରକ ତିହିଡି ନନ୍ଦପୁର ବଜାର ନିକଟରେ ଟାୟର ଜାଳି ପ୍ରତିବାଦ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଦୁର୍ଘଟଣା ପରେ କାର ଭଙ୍ଗାରୁଜା ସହ ଡ୍ରାଇଭରକୁ କାବୁ କରି ପୋଲିସ ଜିମା ଦେଇଛନ୍ତି ଲୋକେ ।

  • ସମୟ: ପ୍ରାୟ ୧୦ଟା
  • ସ୍ଥାନ: ନନ୍ଦପୁର ବଜାର

ତଳପଡ଼ା ସ୍ଥିତ ମଣିକଲାଲ ମହିଳା କଲେଜରେ ଯୁକ୍ତ ଦୁଇ ପଢୁଥିବା ପ୍ରଭାସିନୀ ନାୟକ, କଲେଜ ଯାଉଥିଲେ । ଠିକ୍ ନନ୍ଦପୁର ଛକ ନିକଟରେ ଘଟିଥିଲା ଏକ ଅଘଟଣ । ସାମ୍ନା ପଟୁ ଦ୍ରୁତ ଗତିରେ ଆସୁଥିବା ଏକ କାର ପ୍ରଭାସିନୀଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ପ୍ରଭାସିନୀଙ୍କୁ ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଛାତ୍ରୀଙ୍କୁ ମୃତ ଘୋଷଣା କରିଥିଲେ । ଆଉ ଦୁର୍ଘଟଣା ପରେ ସ୍ଥାନୀୟ ଅଂଚଳରେ ଦେଖିବାକୁ ମିଳିଥିଲା ତୁମୁଳକାଣ୍ଡ ।

ଦୁର୍ଘଟଣାରେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ବ୍ୟାପକ ଉତ୍ତେଜନା ସୃଷ୍ଟି ହେବାରୁ ଘଟଣାସ୍ଥଳରେ ପୁଲିସ ଓ ପ୍ରଶାସନିକ ଅଧିକାରୀ ଆସି ଲୋକଙ୍କୁ ବୁଝାସୁଝା କରିଥିଲେ । କ୍ଷତିପୂରଣର ପ୍ରତିଶ୍ରୁତି ଦେବା ପରେ ଉତ୍ତେଜନା ଥମିଥିଲା । ତେବେ ଦୁର୍ଘଟଣାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।