ଭାରତ ଫେରୁଛନ୍ତି ୟୁକ୍ରେନରେ ଫସିଥିବା ନାଗରିକ । ଅପରେସନ୍ ଗଙ୍ଗା ଜରିଆରେ ଚାଲିଛି ଉଦ୍ଧାର କାର୍ଯ୍ୟ

70

କନକ ବ୍ୟୁରୋ : ୟୁକ୍ରେନରେ ଫଶି ରହିଥିବା ଭାରତୀୟଙ୍କୁ ଅପରେସନ ଗଙ୍ଗା ଜରିଆରେ ଉଦ୍ଧାର କରି ଦେଶକୁ ଅଣାଯାଉଛି । ଏହି ଅଭିଯାନରେ ୟୁକ୍ରେନରେ ଡାକ୍ତରୀ ପାଠପଢ଼ିବାକୁ ଯାଇଥିବା ଛାତ୍ରଛାତ୍ରୀ ମଧ୍ୟ ଦେଶକୁ ଫେରିଛନ୍ତି । ସ୍ୱତନ୍ତ୍ର ବିମାନ ଯୋଗେ ଦେଶରେ ପହଁଚିବା ପରେ ଗତକାଲି ସନ୍ଧ୍ୟାରେ ୪ଜଣ ଓଡିଆ ରାଜ୍ୟକୁ ଫେରିଛନ୍ତି । ଫେରିବା ପରେ କହିଛନ୍ତି ଆଖିରେ ଦେଖିଥିବା ଭୟଙ୍କର ଯୁଦ୍ଧ ଭୂମିର କାହାଣୀ ।
ଅନ୍ୟପଟେ, ଗତ ୨୪ ଘଣ୍ଟା ମଧ୍ୟରେ ୟୁକ୍ରେନରୁ ଭାରତକୁ ୧ ହଜାର ୩୭୭ ଛାତ୍ର ଫେରିଛନ୍ତି । ପୋଲାଣ୍ଡ ଓ ରୋମାନିଆରୁ ଏୟାର ଇଣ୍ଡିଆର ବିମାନରେ ଆସିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ଦିଲ୍ଲୀ ବିମାନ ବନ୍ଦରରେ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜି କିଷନ ରେଡ୍ଡୀ । ଏହି ଅବସରରେ ସେ କହିଛନ୍ତି, ଭାରତୀୟଙ୍କ ଉଦ୍ଧାର ପାଇଁ ସରକାର ସଂକଳ୍ପବଦ୍ଧ । ଅନ୍ୟପଟେ ଯୁୁଦ୍ଧ ଯୋଗୁଁ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ନୂଆ ଦିଲ୍ଲୀରେ ଥିବା ୟୁକ୍ରେନ ରାଷ୍ଟ୍ରଦୂତ । କହିଛନ୍ତି ରୁଷ ୟୁକ୍ରେନରେ ଗଣସଂହାର ଚଲାଇଛି, ଭାରତୀୟ ଛାତ୍ରଙ୍କ ମୃତ୍ୟୁ ପାଇଁ ମଧ୍ୟ ରୁଷ ଦାୟୀ । ସେପଟେ ପୋଲାଣ୍ଡରେ ଥାଇ ଭାରତୀୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତନର ଅନୁଧ୍ୟାନ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଭିକେ ସିଂ । ୟୁକ୍ରେନରୁ ପୋଲାଣ୍ଡ ପହଂଚିଥିବା ଛାତ୍ରଛାତ୍ରୀଙ୍କୁ ରେସଜୋରେ ଭେଟି ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଛନ୍ତି । ପୋଲାଣ୍ଡରୁ ଆଜି ୬ଶହ ଭାରତୀୟ ଛାତ୍ରଛାତ୍ରୀ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ସେପଟେ ରୋମାନିଆରେ ଯାଇ ଭାରତୀୟ ଛାତ୍ରଛାତ୍ରୀ ସୁରକ୍ଷିତ ଭାରତ ଫେରିବା ବ୍ୟବସ୍ଥା କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଦୁଇ ଦିନ ଭିତରେ ରୋମାନିଆର ବୁଚାରେଷ୍ଟରୁ ୩୫ଶହ ଛାତ୍ରଛାତ୍ରୀ ଫେରିବେ ବୋଲି କହିଛନ୍ତି ସିନ୍ଧିଆ ।