ୟୁକ୍ରେନରେ ଭୟଙ୍କର ଯୁଦ୍ଧ ଭିତରେ ପାକିସ୍ତାନୀଙ୍କ ଭରସା ପାଲଟିଲା ଭାରତ । ଜୀବନ ବଞ୍ଚାଇବାକୁ ଧରିଲେ ତ୍ରୀରଙ୍ଗା ।

770

କନକ ବ୍ୟୁରୋ : ୟୁକ୍ରେନ-ରୁଷ ଲଢେଇରେ ଫସିଛନ୍ତି ଅନେକ ଭାରତୀୟ । ଏବେ ସେମାନଙ୍କୁ ୟୁକ୍ରେନ ସୀମାରୁ ଉଦ୍ଧାର କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ଏବେ ୟୁକ୍ରେନରେ ଭାରତ ସହ ଅନ୍ୟ ଦେଶର ଛାତ୍ରଛାତ୍ରୀଙ୍କ ସାହାରା ପାଲଟିଛି ତ୍ରୀରଙ୍ଗା ପତାକା । ତ୍ରିରଙ୍ଗା କେବଳ ସେମାନଙ୍କୁ ସୁରକ୍ଷା ଦେଉନି ବରଂ ୟୁକ୍ରେନ ସୀମା ପାର କରାଇବାରେ ମଧ୍ୟ ସହାୟକ ହେଉଛି । ଏପରିକି ଭାରତୀୟଙ୍କ ସମେତ ପାକିସ୍ତାନ ଓ ତୁର୍କୀର ଛାତ୍ରଛାତ୍ରୀ ମଧ୍ୟ ତ୍ରିରଙ୍ଗା ପତାକାର ସାହାରା ନେଇଛନ୍ତି । ସେପଟେ ଅପରେସନ ଗଙ୍ଗାରେ ଦେଶକୁ ଫେରୁଛନ୍ତି ଯୁଦ୍ଧଭୂମି ୟୁକ୍ରେନରେ ଫସିଥିବା ଭାରତୀୟ ।

ୟୁକ୍ରେନ-ରୁଷ ମଧ୍ୟରେ ଚାଲିଛି ଘମୋଘୋଟ ଲଢେଇ । ରୁଷ ସେନାର ଆକ୍ରମଣରେ ୟୁକ୍ରେନ ଧ୍ୱସ୍ତବିଧ୍ୱସ୍ତ ଅବସ୍ଥାରେ ପହଞ୍ଚିଲାଣି । ଏହାରି ମଧ୍ୟରେ ସବୁଠାରୁ ଚିନ୍ତାର କାରଣ ହେଉଛି ସେଠାରେ ଫଶି ରହିଥିବା ବିଦେଶୀ ଛାତ୍ରଛାତ୍ରୀ । ଏବେ ୟୁକ୍ରେନରେ ଭାରତ ସହ ଅନ୍ୟ ଦେଶର ଛାତ୍ରଛାତ୍ରୀଙ୍କ ସାହାରା ପାଲଟିଛି ତ୍ରୀରଙ୍ଗା ପତାକା । ତ୍ରିରଙ୍ଗା କେବଳ ସେମାନଙ୍କୁ ସୁରକ୍ଷା ଦେଉନି ବରଂ ୟୁକ୍ରେନ ସୀମା ପାର କରାଇବାରେ ସାହାଯ୍ୟ ମଧ୍ୟ କରୁଛି । ୟୁକ୍ରେନରୁ ଫେରୁଥିବା ଭାରତୀୟ ଛାତ୍ରଛାତ୍ରୀ ଏମିତି ବଖାଣିଛନ୍ତି ନିଜ ଅନୁଭୂତି । ସେମାନେ କହିଛନ୍ତି ଜୀବନ ବଞ୍ଚାଇବା ପାଇଁ ପାକିସ୍ତାନ ଓ ତୁର୍କୀର ଛାତ୍ରଛାତ୍ରୀ ମଧ୍ୟ ତ୍ରିରଙ୍ଗା ପତାକାର ସାହାରା ନେଇଛନ୍ତି ।

ଯୁଦ୍ଧ ଭୂମି ୟୁକ୍ରେନରୁ ବାହାରି ରୋମାନିଆ ସୀମାରେ ପହଞ୍ଚିଥିବା କିଛି ଛାତ୍ର ୟୁକ୍ରେନରୁ ବାହାରିବାର ଅନୁଭୂତି ବଖାଣିଛନ୍ତି । ଭାରତୀୟ ଛାତ୍ର କହିଛନ୍ତି, ସେଠାରୁ ସୁରକ୍ଷିତ ବାହାରିବା ପାଇଁ ପତାକା ସାଙ୍ଗରେ ଧରି ଯିବାକୁ କୁହାଯାଇଥିଲା । ତେଣୁ ବଜାରକୁ ଯାଇ ସ୍ପ୍ରେ ଆଉ କପଡା ଆଣି ସେଥିରେ ପତାକା ତିଆରି କରିଥିଲେ । ଏପରିକି ପାକିସ୍ତାନ ଓ ତୁର୍କୀର ଛାତ୍ରଛାତ୍ରୀ ମଧ୍ୟ ନିଜ ଜୀବନ ବଞ୍ଚାଇବା ପାଇଁ ନିଜ ଦେଶର ପତାକା ନଉଠାଇ ତ୍ରିରଙ୍ଗାର ସାହାରା ନେଇଥିଲେ ।

ଦେଶକୁ ଫେରିବାର ଖୁସି । ୟୁକ୍ରେନର ସଂକଟାପନ୍ନ ପରିସ୍ଥିତିରେ ଫସି ରହିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ଉଦ୍ଧାରକାର୍ଯ୍ୟକୁ ପ୍ରାଥମିକତା ଦିଆଯାଇଛି । କିଭରୁ ସମସ୍ତ ଭାରତୀୟଙ୍କୁ ବାହାର କରାଯାଇଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ୟୁକ୍ରେନର ପଡୋଶୀ ଦେଶ, ପୋଲାଣ୍ଡ, ରୋମାନିଆ, ସ୍ଲୋଭାକିଆ ଓ ହଙ୍ଗେରୀରେ ପହଞ୍ଚି ଭାରତୀୟ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି କେନ୍ଦ୍ର ମନ୍ତ୍ରୀ । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ରୋମାନିଆ ରାଜଧାନୀ ବୁକାରେଷ୍ଟରେ ପହଞ୍ଚିଛନ୍ତି । ବୁକାରେଷ୍ଟ ବିମାନବନ୍ଦରରେ ଭାରତୀୟ ଛାତ୍ରଛାତ୍ରୀଙ୍କ ଭେଟି ସେମାନଙ୍କ ସମସ୍ୟା ବୁଝିଛନ୍ତି । ଫସିରହିଥିବା ଛାତ୍ରଛାତ୍ରୀଙ୍କୁ ଖୁବଶୀଘ୍ର ଭାରତ ଫେରାଇ ନିଆଯିବ ବୋଲି କହିଛନ୍ତି ।

ସେହିପରି ପୋଲାଣ୍ଡରେ ପହଞ୍ଚି ଭାରତୀୟ ଛାତ୍ରଛାତ୍ରୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ଭିକେ ସିଂ । ଅପରେସନ ଗଙ୍ଗାରେ ଏପର୍ଯ୍ୟନ୍ତ ୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ଭାରତ ଫେରିଛନ୍ତି । ଭାରତୀୟଙ୍କୁ ଉଦ୍ଧାର କରିବା ଦାୟିତ୍ୱ ନେଇ ହଙ୍ଗେରୀ ଯାଇଥିବା କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଭେଟି ତାଙ୍କ ସୁବିଧା ଅସୁବିଧା ପଚାରି ବୁଝିଛନ୍ତି । ପୋଲାଣ୍ଡରୁ ଭାରତୀୟଙ୍କୁ ନେଇ ଫେରିଥିବା ସ୍ୱତନ୍ତ୍ର ବିମାନରେ ପହଞ୍ଚି ସେମାନଙ୍କୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ।

ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଆଣିବା ପାଇଁ ଅପରେସନ ଗଙ୍ଗାକୁ ଜୋରଦାର କରାଯାଉଛି । ୩ଦିନ ହେଲା ପ୍ରତିଦିନ ପ୍ରାୟ ୪ରୁ ୫ଟି ବିମାନରେ ସେଠାରେ ଫସିଥିବା ଭାରତୀୟଙ୍କୁ ଦେଶକୁ ଫେରାଇ ଅଣାଯାଉଛି । ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ବାୟୁସେନା ବି ସକ୍ରିୟ ହୋଇଉଛଠିଛି । ସ୍ୱତନ୍ତ୍ର ପରିବହନ ବିମାନ ସି-ସେଭେନଟିନ୍ ଗ୍ଲୋବମାଷ୍ଟରକୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି । ଏହି ବିମାନରେ ଭାରତୀୟଙ୍କୁ ଦେଶକୁ ଅଣାଯିବ । ଦିଲ୍ଲୀର ହିଣ୍ଡନ ଏୟାରବେସରୁ ଏଥିପାଇଁ ପର୍ଯ୍ୟାୟକ୍ରମେ ସି-ସେଭେନଟିନ ଗ୍ଲୋବମାଷ୍ଟର ୟୁକ୍ରେନର ପଡୋଶୀ ରାଷ୍ଟ୍ରଗୁଡିକୁ ଉଡାଣ ଭରିଛନ୍ତି । ଏଥିରେ ବିଭିନ୍ନ ଖାଦ୍ୟ ସାମଗ୍ରୀ ମଧ୍ୟ ନିଆଯାଉଛି ।